Advertisment

ଶନିବାର ସକାଳେ କଂଗ୍ରେସ ଭବନରୁ ବାହାରିବ ଅନ୍ତିମ ଯାତ୍ରା, ନିଗମବୋଧ ଘାଟରେ ଶେଷକୃତ୍ୟ

ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ମୋଦି ସରକାରଙ୍କ କ୍ୟାବିନେଟରେ ପାରିତ ହେଲା ଶୋକ ପ୍ରସ୍ତାବ।

Manmohan Singh funeral march

Manmohan Singh funeral march

Advertisment

ଦେଶର ଆର୍ଥିକ ସଂସ୍କାରର ପ୍ରମୁଖ ବିନ୍ଧାଣୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଶେଷକୃତ୍ୟ ଶନିବାର ଅନୁଷ୍ଠିତ ହେବ। ଦିଲ୍ଲୀର ନିଗମବୋଧ ଘାଟ ନିକଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର କରାଯିବ। ଏହା ପୂର୍ବରୁ ଆଜି ମୋଦି ସରକାରଙ୍କ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ପାରିତ ହୋଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀମାନେ ମହାନ ଆତ୍ମାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Advertisment
Home Ministry's statement on Manmohan Singh's last ritesମନମୋହନ ସିଂହଙ୍କ ଶେଷକୃତ୍ୟ ନେଇ ଗୃହ ମନ୍ତ୍ରଣାଳୟର ସୂଚନା

ଅନ୍ୟପଟେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ସୂଚନା ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ମୃତଦେହ ଡିସେମ୍ବର ୨୮ (ଶନିବାର) ସକାଳ ୮ଟା ସମୟରେ କଂଗ୍ରେସ ମୁଖ୍ୟାଳୟକୁ ଅଣାଯିବ। ସାଧାରଣ ଜନତା ତଥା କଂଗ୍ରେସ ଦଳର କର୍ମୀମାନେ ସେମାନଙ୍କ ପ୍ରିୟ ନେତାଙ୍କୁ ସକାଳ ସାଢ଼େ ୮ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ କଂଗ୍ରେସ ମୁଖ୍ୟାଳୟରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଏହାପରେ ଅନ୍ତିମ ଯାତ୍ରା ସକାଳ ସାଢ଼େ ୯ଟାରୁ କଂଗ୍ରେସ ମୁଖ୍ୟାଳୟରୁ ବାହାରିବ।

ପ୍ରକାଶ ଥାଉ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସାରା ଦେଶରେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି। ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ସାରା ଦେଶରେ ଜାତୀୟ ପତାକା ଅର୍ଦ୍ଧ ନମିତ କରାଯାଇଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ପଠାଯାଇଥିବା ଚିଠିରେ ଗୃହ ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ ରାଷ୍ଟ୍ରୀୟ ଶୋକ ପାଳନ ଅବଧିରେ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ହେବ ନାହିଁ। ମନମୋହନ ସିଂହଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ କରାଯିବ। ସେହିପରି ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି।

Advertisment

ଉଲ୍ଲେଖ ଯୋଗ୍ୟ, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଥିବା ଡକ୍ଟର ମନମୋହନ ସିଂହଙ୍କର ଦିଲ୍ଲୀସ୍ଥିତ ଏମ୍ସରେ ଗୁରୁବାର ରାତିରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ। ତାଙ୍କର ପରଲୋକରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ଦଳମତ ନିର୍ବିଶେଷରେ ସମସ୍ତେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧି ଗୁରୁବାର ରାତିରେ ମନମୋହନ ସିଂହଙ୍କ ବାସଭବନରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ସମେତ ସମସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।

Congress PM Modi Manmohan Singh Manmohan Singh Passes Away
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe