/odisha-reporter/media/media_files/2025/11/24/hidma-2025-11-24-16-13-43.jpg)
ବିକ୍ଷୋଭ ବେଳେ ହିଡମା ସପକ୍ଷରେ ପୋଷ୍ଟର
ଦେଶର ରାଜଧାନୀ ଦିଲ୍ଲୀ ଏବେ ପ୍ରଦୂଷଣର ବିଷରେ ଆଉଟ ପାଉଟ ହେଉଛି। ଏହା ବିରୋଧରେ ହୋଇଥିବା ଗୋଟିଏ ବିକ୍ଷୋଭ ଶୋଭାଯାତ୍ରା ବିବାଦୀୟ ସ୍ଥିତି ସୃଷ୍ଟି କରିଛି। ନଭେମ୍ବର ୨୩ରେ ଇଣ୍ଡିଆ ଗେଟ୍ ନିକଟରେ ଆୟୋଜିତ ଶୋଭାଯାତ୍ରାରେ ଦେଖାଯାଇଛି ନକ୍ସଲବାଦ ସପକ୍ଷରେ ପୋଷ୍ଟର।
ନିକଟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ମାଓବାଦୀ(Naxal) ନେତା ମାଡଭୀ ହିଡମା ସପକ୍ଷରେ ଦିଆଯାଇଛି ନାରା। ସେ ନିହତ ହୋଇଥିଲେ ହେଁ ତା’ ସପକ୍ଷରେ ବିକ୍ଷୋଭ ସମୟରେ ପୋଷ୍ଟର ପ୍ରଦର୍ଶନ କରାଯାଇଛି। ସେହିପରି ବିକ୍ଷୋଭ ସମୟରେ ପୁଲିସ୍ ଉପରକୁ ବିଷାକ୍ତ ସ୍କ୍ରେ ମଧ୍ୟ ମାଡ଼ କରାଯାଇଛି। ପୁଲିସ୍ ବ୍ୟାରିକେଡ ଲଗାଇ ଭିଡ଼ ନିୟନ୍ତ୍ରଣ କରୁଥିବା ବେଳେ ଏପରି ଘଟଣା ଘଟିଛି।
ରବିବାର ସନ୍ଧ୍ୟାରେ ହୋଇଥିବା ବିକ୍ଷୋଭ ବେଳେ ଏପରି ଘଟଣା ଘଟିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହି ଘଟଣାରେ ପୁଲିସ ୨୩ ଜଣଙ୍କୁ ଗିରଫ କରିଥିବା ବେଳେ କେଉଁ ପରିସ୍ଥିତିରେ ଓ କାହିଁକି ହିଡମାର ପୋଷ୍ଟର ଏବଂ ସପକ୍ଷରେ ନାରା ଦିଆଗଲା, ତା’ର ତଦନ୍ତ କରୁଛି।
ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଅନେକ ଯୁବ ବିକ୍ଷୋଭକାରୀ ଇଣ୍ଡିଆ ଗେଟ ନିକଟ ସି-ହେକ୍ସାଗାଓଁ ଅଞ୍ଚଳରେ ବସି ରହିଛନ୍ତି ଓ ଦିଲ୍ଲୀ ବାୟୁ ପ୍ରଦୂଷଣ ବିରୋଧରେ ନାରାବାଜୀ କରୁଛନ୍ତି। ଏହି ସମୟରେ ବିକ୍ଷୋଭକାରୀଙ୍କ ମଧ୍ୟରୁ ଜଣେ ଯୁବକଙ୍କ ହାତରେ ହିଡମାର ଗୋଟିଏ ସ୍କେଚ ଥିବା ଫଟୋ ରହିଛି। ଏଥିରେ ତା’ ସପକ୍ଷରେ କିଛି ଲେଖାଯାଇଛି। ସେହିପରି ବିକ୍ଷୋଭ ବେଳେ ମାଓବାଦୀ ନେତା ହିଡମା ସପକ୍ଷରେ ନାରାବାଜୀ ମଧ୍ୟ କରାଯାଇଥିଲା। କେତେ ହିଡମାକୁ ମାରିବ? ପ୍ରତିଘରୁ ହିଡମା ବାହାରିବେ ଓ ହିଡମା ଅମର ରହେ ନାରା ଦିଆଯାଇଛି।
ବିକ୍ଷୋଭକାରୀମାନେ ରାସ୍ତାରେ ବସିରହିବାରୁ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ସ୍ଥାନ ଖାଲି କରିବାକୁ କହିଥିଲେ। ତଥାପି ସେମାନେ କିଛି ବି ଶୁଣି ନଥିଲେ। ଫଳରେ ପୁଲିସ୍କର୍ମୀମାନେ ସେମାନଙ୍କୁ ସେଠାରୁ ବଳପୂର୍ବକ ଉଠାଇ ନେଇଥିଲେ। ଏହି ସମୟରେ ପୁଲିସ୍ ଉପରେ ବିଷାକ୍ତ ଗ୍ୟାସର ସ୍ପ୍ରେ କରାଯାଇଛି। ଏଥିଯୋଗୁ ଅନେକ ପୁଲିସ କର୍ମଚାରୀ ଆଖି ଓ ମୁହଁରେ ଯନ୍ତ୍ରଣା ଅନୁଭବ କରିବାରୁ ସେମାନଙ୍କୁ ହସ୍ପିଟାଲ ନିଆଯାଇଛି। ସେହିପରି ଏନେଇ ଗୋଟିଏ ଏଫଆଇଆର ମଧ୍ୟ ହୋଇଛି।
ଜଣେ ବିକ୍ଷୋଭକାରୀ କହିଛନ୍ତି, “ହିଡମା ଜଣେ ଆଦିବାସୀ। ସେ ନିଜର ଅଧିକାର ପାଇଁ ଅସ୍ତ୍ର ଉଠାଇଥିଲେ। ଲୋକମାନେ ତାଙ୍କ ଶୈଳୀରେ ଏକମତ ହୋଇ ନପାରନ୍ତି ଓ ଏହାକୁ ଭୁଲ କହିପାରନ୍ତି। କିନ୍ତୁ ସେମାନେ ଏହା ପଛର କାରଣକୁ କେବେ ହେଲେ ମନା କରିପାରିବେ ନାହିଁ। ନିଜର ଅଧିକାର ପାଇଁ ଲଢ଼େଇ କରୁଥିବା ଲୋକଙ୍କୁ ଏପରି ଢଙ୍ଗରେ ଦମନ କରାଯାଇ ପାରିବ ନାହିଁ।”
ପୁଲିସ୍ ବିଭିନ୍ନ ଭିଡିଓ ଓ ସିସିଟିଭି ଆଧାରରେ ୨୩ ଜଣଙ୍କୁ ଗିରଫ କରିଛି। କର୍ତ୍ତବ୍ୟ ପଥ ଓ ସଂସଦ ରାସ୍ତା ପୁଲିସ୍ ଷ୍ଟେସନରେ ଏନେଇ ଦୁଇଟି ଏଫଆଇଆର ମଧ୍ୟ ରୁଜୁ ହୋଇଛି।
ବାସ୍ତବରେ ପ୍ରଦୂଷଣ ବିରୋଧୀ ଆନ୍ଦୋଳନକୁ କ୍ଲିନ ଏୟାର ଫର ଦିଲ୍ଲୀ ସମନ୍ୱୟ କମିଟି ପକ୍ଷରୁ ଆୟୋଜନ କରାଯାଇଥିଲା। ଦିଲ୍ଲୀ ସରକାର ପ୍ରଦୂଷଣ(Air Pollution)କୁ ନିୟନ୍ତ୍ରଣ କରିବାରେ କିଛି ଉପଯୁକ୍ତ ପଦକ୍ଷେପ ନେଉ ନଥିବାରୁ ରବିବାର ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ସରକାରୀ ବିରୋଧରେ ବିକ୍ଷୋଭକାରୀ ନାରାବାଜୀ କରିଥିଲେ। କିନ୍ତୁ ଏହି ସମୟରେ ହିଡମା ସପକ୍ଷରେ ନାରା ସମସ୍ତଙ୍କୁ ଚକିତ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
