Advertisment

Naxals Surrender: ଓଡ଼ିଶାରେ ଥିବା ନକ୍ସଲ ଛତିଶଗଡ଼ରେ ଆତ୍ମସମର୍ପଣ କରିବାକୁ ବିକଳ, ଗୃହମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଆତ୍ମସମର୍ପଣ କରିବାକୁ ଚାହୁଁଥିବା କ୍ୟାଡରମାନେ ଏବେ ଓଡ଼ିଶାରେ ରହିଛନ୍ତି। କିନ୍ତୁ ସେମାନେ ଛତିଶଗଡ଼ରେ ହିଁ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି। କାରଣ ଅଧିକାଂଶ ସଦସ୍ୟ ବସ୍ତର ଅଞ୍ଚଳର।

author-image
Hemant Lenka
naxal

ନକ୍ସଲ (ଫାଇଲ ଫଟୋ)

ସୁରକ୍ଷାକର୍ମୀଙ୍କ ଘନଘନ ଆକ୍ରମଣରେ ଛାନିଆ ମାଓବାଦୀ। ସ୍ଥିତି ଏପରି ହୋଇଛି ଯେ ଏବେ ଆତ୍ମସର୍ପଣ(Naxal) ପାଇଁ ବିକଳ ହେଲେଣି ନକ୍ସଲ। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହେବା ବଦଳରେ ସେମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ କରିଛନ୍ତି ଗୁହାରୀ। ସିପିଆଇ(ମାଓବାଦୀ)ର ବଲାଙ୍ଗିର-ବରଗଡ଼-ମହାସାମୁଣ୍ଡ ଡିଭିଜନ ପକ୍ଷରୁ ଏନେଇ ଛତିଶଗଡ଼ ଗୃହମନ୍ତ୍ରୀ ବିଜୟ ଶର୍ମାଙ୍କୁ ଲେଖାଯାଇଛି ଚିଠି। ବିବିଏମର ୧୫ ଜଣ ସଶସ୍ତ୍ର କ୍ୟାଡର ମୁଖ୍ୟସ୍ରୋତକୁ ଫେରିବାକୁ ଚାହୁଁଛନ୍ତି ଓ ସେମାନେ ଛତିଶଗଡ଼ର ମହାସାମୁଣ୍ଡରେ ଆତ୍ମସମର୍ପଣ କରିବାକୁ ପ୍ରସ୍ତୁତ ହେଉଥିବା ଚିଠିରେ ଜଣାଇଛନ୍ତି। 

Advertisment

ଚିଠିରେ ବିକାଶ ନାମକ ଜଣେ ବ୍ୟକ୍ତିର ଦସ୍ତଖତ ରହିଛି। ସେ ନିଜକୁ ଓଡ଼ିଶା ରାଜ୍ୟ କମିଟି ସହ ଜଡ଼ିତ ୱେଷ୍ଟର୍ଣ୍ଣ ସବ ଜୋନାଲ ବ୍ୟୁରୋ ସମ୍ପାଦକ ବୋଲି କହିଛି। ଚିଠିରେ କୁହାଯାଇଛି ଯେ ଛତିଶଗଡ଼ର ୧୪ ଜଣ ଓ ତେଲଙ୍ଗାନାର ଜଣେ କ୍ୟାଡର ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି। ହେଲେ ଏହା ପୂର୍ବରୁ ସେମାନେ ନିଜର ସୁରକ୍ଷା ଗ୍ୟାରେଣ୍ଟୀ ଚାହିଁଛନ୍ତି।

ରେଡିଓ ଦ୍ୱାରା ଆତ୍ମସମର୍ପଣ କରିବାକୁ ଥିବା ନକ୍ସଲଙ୍କ ସୁରକ୍ଷାକୁ ସରକାର ନିଶ୍ଚିତ କରିବେ ବୋଲି ଘୋଷଣା କରିବାକୁ ଚିଠିରେ ଅନୁରୋଧ କରାଯାଇଛି। ସରକାରଙ୍କ ପ୍ରତିଶ୍ରୁତି ଶୁଣିବା ପରେ ହିଁ ସେମାନେ ସାମ୍ନାକୁ ଆସିବେ। ମାର୍ଚ୍ଚ ୨-୩ ବେଳକୁ ସେମାନେ ଆଭ୍ୟନ୍ତରୀଣ ସମନ୍ୱୟ ପରେ ଅସ୍ତ୍ର ଛାଡ଼ିବେ ବୋଲି ଚିଠିରେ କହିଛନ୍ତି।

Advertisment

ଗୃହମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି, “ମାଓବାଦୀଙ୍କ ଗୋଟିଏ ଡିଭିଜନ ଚିଠି ଲେଖି ମୁଖସ୍ରୋତରେ ସାମିଲ ହେବାକୁ ସେମାନଙ୍କ ଇଚ୍ଛା ପ୍ରକାଶ କରିଛନ୍ତି। ସେମାନେ ରେଡିଓ ଜରିଆରେ ଜବାବ ରଖିବାକୁ କହିଛନ୍ତି। ଆଜି ଆମେ ଆମର ଜବାବ ଜାରି କରିବୁ ଓ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବୁ। ଆମେ ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସ୍ଥାକୁ ନିଶ୍ଚିତ କରିବୁ। ସେମାନଙ୍କୁ କେବଳ ଶାରିରୀକ ଭାବେ ନୁହେଁ, ବରଂ ମାନସିକସ୍ତରରେ ରିହ୍ୟାବ କରିବାକୁ ନିଜର ଶତପ୍ରତିଶତ ଦେବୁ।”

ଚିଠିରେ ସଂଗଠନ ପକ୍ଷରୁ ଅଧିକାରୀଙ୍କୁ କମ୍ବିଂ ଅପରେସନ ବନ୍ଦ କରିବାକୁ ଓ ଗ୍ରାମବାସୀଙ୍କ ଉପରେ ଚାପ ନ ପକାଇବାକୁ ଅନୁରୋଧ କରାଯାଇଛି। ଏଥିସହ ପୁଲିସ୍‌ର ଗତିବିଧି ଯୋଗୁ ବିଭିନ୍ନ ସଦସ୍ୟ ଏଣେତେଣ ଚାଲିଯିବେ ଓ ପୁଣି ଏକାଠି ହୋଇ ଆତ୍ମସମର୍ପଣ କରିବାରେ ସମସ୍ୟା ହେବ ବୋଲି ମଧ୍ୟ କୁହାଯାଇଛି। 

ଆତ୍ମସମର୍ପଣ କରିବାକୁ ଚାହୁଁଥିବା କ୍ୟାଡରମାନେ ଏବେ ଓଡ଼ିଶାରେ ରହିଛନ୍ତି। କିନ୍ତୁ ସେମାନେ ଛତିଶଗଡ଼ରେ ହିଁ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି। କାରଣ ଅଧିକାଂଶ ସଦସ୍ୟ ବସ୍ତର ଅଞ୍ଚଳର। ମାର୍ଚ୍ଚ ୧ ସୁଦ୍ଧା ସେମାନଙ୍କୁ ଗ୍ରହଣ କରିବାର ଯୋଜନା ସମ୍ପର୍କରେ ପୂର୍ବତନ ମାଓବାଦୀ ସାଗରଙ୍କ ଜରିଆରେ ଜଣାଇବାକୁ ମଧ୍ୟ ଚିଠିରେ ସରକାରଙ୍କୁ ପରାମର୍ଶ ଦିଆଯାଇଛି। 

ଚିଠିରେ ଡିଭିଜନ ପକ୍ଷରୁ ଗୋଟିଏ ବଡ଼ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ଚିଠିରେ କୁହାଯାଇଛି ଯେ ଯଦି ମାଓବାଦୀ ପାର୍ଟି ସଶସ୍ତ୍ର ସଂଘର୍ଷକୁ ପରିତ୍ୟାଗ କରିବେ ଓ ସମ୍ବିଧାନ ଉପରେ ଆସ୍ଥା ପ୍ରକଟ କରିବେ, ତା’ହେଲେ ସେମାନଙ୍କୁ ଗୋଟିଏ ରାଜନୀତିକ ମାନ୍ୟତା ମିଳିବା ଉଚିତ।

ମାଓବାଦୀଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର ଓ ଜେଲରେ ଥିବା ମାଓବାଦୀଙ୍କୁ ରିଲିଜ କରିବା ପାଇଁ ସେମାନେ କହିଛନ୍ତି। ସେମାନଙ୍କୁ ଭାରତୀୟ ସମ୍ବିଧାନ ଆଧାରରେ ମୁକ୍ତ ଭାବେ କାମ କରିବାକୁ ଅନୁମତି ମିଳୁ।

ଯଦି ସରକାର ଏହି ୩ ସର୍ତ୍ତକୁ ଅନୁପାଳନ କରିବେ ତା’ହେଲେ ବାକି ଥିବା ସମସ୍ତ କ୍ୟାଡର ଆତ୍ମସମର୍ପଣ କରିବେ ଓ ଜେଲରେ ଥିବା ମାଓବାଦୀମାନେ ମଧ୍ୟ ସଶସ୍ତ୍ର ସଂଘର୍ଷରୁ ଓହରି ଯିବେ ବୋଲି ମଧ୍ୟ ଚିଠିରେ ବିବିଏମ କହିଛି। 

Naxal