Advertisment

ତେଜୁଛି ମରାଠା ଆନ୍ଦୋଳନ, ଇସ୍ତଫା ଦେଲେ ୨ ସାଂସଦ

ମରାଠା ସଂରକ୍ଷଣକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଝଡ଼ ସୃଷ୍ଟି ହୋଇଛି।

author-image
Madhupriya Mistry
Maratha Reservation Protest

Maratha Reservation Protest

ମରାଠା ସଂରକ୍ଷଣକୁ ନେଇ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ମହାରାଷ୍ଟ୍ରର ଭିନ୍ନ ଭିନ୍ନ ସ୍ଥାନରେ ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏପରିକି ଆନ୍ଦୋଳନକାରୀମାନେ ବିଜେପି ନେତା ଓ ଏନ୍‌ସିପି ବିଧାୟକଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି। ଏହାରି ଭିତରେ ଏହି ମରାଠା ସଂରକ୍ଷଣକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାମ୍ପରେ ଝଡ଼ ସୃଷ୍ଟି ହୋଇଛି। ଏହାକୁ ସମର୍ଥନ କରି ଦଳରୁ ଇସ୍ତଫା ଦେଇଛନ୍ତି ଦୁଇ ସାଂସଦ।

Advertisment

ହିଙ୍ଗୋଲିରୁ ସାଂସଦ ଥିବା ହେମନ୍ତ ପାଟିଲ ଶିବସେନା ଲୋକସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସେ ତାଙ୍କ ଇସ୍ତଫା ଦିଲ୍ଲୀର ଲୋକସଭା ସଚିବାଳୟକୁ ପଠାଇଛନ୍ତି। ସେହିପରି ନାଶିକ ସାଂସଦ ହେମନ୍ତ ଗୋଡସେ ମଧ୍ୟ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନିକଟକୁ ପଠାଇଛନ୍ତି। ପାଟିଲ କହିଛନ୍ତି ଯେ ଲୋକସଭା ବାଚସ୍ପତି ତାଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ ତେଣୁ ସେ ତାଙ୍କ ଇସ୍ତଫା ପତ୍ର କାର୍ଯ୍ୟାଳୟ ସଚିବଙ୍କ ନିକଟରେ ଦାଖଲ କରିଥିଲେ। ଉଭୟ ସାଂସଦ ଏକନାଥ ସିନ୍ଦେଙ୍କ ନିକଟତର ବୋଲି କୁହାଯାଉଛି।

ବାସ୍ତବରେ ଯବତମାଲରେ ଥିବା ମରାଠା ସମ୍ପ୍ରଦାୟର ଆନ୍ଦୋଳନକାରୀ ସଦସ୍ୟମାନେ ପାଟିଲଙ୍କୁ ଲୋକସଭା ସଦସ୍ୟତା ପଦରୁ ଇସ୍ତଫା ଦେବାକୁ କହିଥିବା ଜଣାପଡିଛି। ଏହାପରେ ପାଟିଲ ତାଙ୍କ ଇସ୍ତଫା ପ୍ରସ୍ତୁତ କରି ଆନ୍ଦୋଳନକାରୀଙ୍କ ନିକଟରେ ଦାଖଲ କରିଥିଲେ।

Advertisment

ଏହାପୂର୍ବରୁ ପାଟିଲ ନିଜକୁ ମରାଠା ସମ୍ପ୍ରଦାୟର ଜଣେ କାର୍ଯ୍ୟକର୍ତ୍ତା ଭାବରେ ବର୍ଣ୍ଣନା କରି କହିଥିଲେ ଯେ ଏହି ପ୍ରସଙ୍ଗରେ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିବା ପାଇଁ ମୁଁ ଦିଲ୍ଲୀରେ ଲୋକସଭା ବାଚସ୍ପତିଙ୍କୁ ଭେଟି ମୋର ଇସ୍ତଫା ପତ୍ର ଦାଖଲ କରିବି। ଗତ କିଛି ଦିନ ମଧ୍ୟରେ ଅନେକ ମରାଠା ଯୁବକ ଏହା ପାଇଁ ଆତ୍ମହତ୍ୟା କରିଛନ୍ତି। ପଦ ଆସିବ ଏବଂ ଯିବ, କିନ୍ତୁ ସମ୍ପ୍ରଦାୟ ସବୁବେଳେ ରହିବ। ଆର୍ଥିକ ଓ ଶିକ୍ଷାଗତ କ୍ଷେତ୍ରରେ ମରାଠା ସମ୍ପ୍ରଦାୟର ଅବସ୍ଥା ଅଧିକ ଖରାପ ହୋଇଯାଇଛି। ସେଥିପାଇଁ ମରାଠାଙ୍କୁ ସଂରକ୍ଷଣ ମିଳିବା ଉଚିତ୍।

ଅନ୍ୟପଟେ ଶିବସେନା ସାଂସଦ ହେମନ୍ତ ଗୋଡସେ ତାଙ୍କ ଇସ୍ତଫା ପତ୍ର ସିନ୍ଦେଙ୍କ ନିକଟକୁ ପଠାଇ ଯଥାଶୀଘ୍ର ମରାଠା ସମ୍ପ୍ରଦାୟକୁ ସଂରକ୍ଷଣ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି।

ମରାଠା ଆନ୍ଦୋଳନ ଏବେ ହିଂସକ ହେବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ପୁଲିସ ଏନ୍‌ସିପି ନେତାଙ୍କ ସୁରକ୍ଷା କଡାକଡି କରିଛି। ମୁମ୍ବାଇରେ ମନ୍ତ୍ରଣାଳୟ ସାମ୍ନାରେ ଥିବା ନୂଆ ଏନ୍‌ସିପି କାର୍ଯ୍ୟାଳୟର ସୁରକ୍ଷା ବଢ଼ାଇ ଦିଆଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାସ ଭବନର ଆଖପାଖ ରାସ୍ତାରେ ମଧ୍ୟ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Maharashtra Govt Eknath Sinde Maratha Reservation