/odisha-reporter/media/media_files/2025/12/11/dsp-2025-12-11-15-33-08.jpg)
ଡିଏସ୍ପି କଳ୍ପନା
ଦେଖିବାକୁ ବେଶ ସୁନ୍ଦର। ପେଶାରେ ପୁଲିସ୍। ଛୋଟ ପୁଲିସ୍ ନୁହେଁ, ସିଧା ଡିଏସ୍ପି। ନିଜର ଚେହେରା ଓ ଷ୍ଟାଇଲ ପାଇଁ ମଧ୍ୟ ସେ ବେଶ ଚର୍ଚ୍ଚିତ। ହେଲେ ଏହି ସୁନ୍ଦରୀ ଡିଏସ୍ପିଙ୍କ ଅସୁନ୍ଦର ଲଭ ଟ୍ରାପ୍ ହଇଚଇ ସୃଷ୍ଟି କରିଛି।
ଛତିଶଗଡ଼ର ୨୦୧୭ ବ୍ୟାଚ୍ ପୁଲିସ୍ ଅଫିସର କଳ୍ପନା ବର୍ମାଙ୍କ ବିରୋଧରେ ଜଣେ ପ୍ରତିଷ୍ଠିତ ହୋଟେଲ ବ୍ୟବସାୟୀ ଆଣିଛନ୍ତି ୪୨୦ର ଅଭିଯୋଗ। ଡିଏସ୍ପି କଳ୍ପନାଙ୍କ ବିରୋଧରେ ଲାଞ୍ଚ, ବ୍ଲାକମେଲ, ଠକେଇ ଓ ମାନସିକ ଶୋଷଣ ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ରାୟପୁରର ହୋଟେଲ ବ୍ୟବସାୟୀ ଦୀପକ ଟଣ୍ଡନ।
ଦାନ୍ତେୱାଡା(Chhattisgarh)ରେ ଡିଏସ୍ପି ଭାବେ କାମ କରୁଥିବା କଳ୍ପନା ପ୍ରଥମେ ମିଠାମିଠା କଥା କହି ବିବାହିତ ଦୀପକଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିଲେ। ଦୀପକ ବିବାହିତ ହୋଇଥିଲେ ମଧ୍ୟ କଳ୍ପନାଙ୍କ ଜାଲରେ ଫସିବାକୁ ଆଦୌ କୁଣ୍ଠାବୋଧ ପ୍ରକାଶ କରି ନଥିଲେ। ଦୁଇ ଜଣଙ୍କ ମଧ୍ୟରେ ପରବର୍ତ୍ତୀ ସମୟରେ ଆର୍ଥିକ ବିବାଦ ଆରମ୍ଭ ହୋଇଥିଲା। ଏବେ ଏହା ପଛରେ ଥିବା ସାଂଘାତିକ ଖେଳ ସାମ୍ନାକୁ ଆସିଛି। ପ୍ରେମ, ଟଙ୍କା, ଧମକ, ନକଲି ଚାଟ, ବାଉନ୍ସ ଚେକ ଓ ଆରୋପ-ପ୍ରତ୍ୟାରୋପ ପୁଲିସ୍ ଓ ବ୍ୟବସାୟିକ ମାହୋଲକୁ ପୂରା ଦୋହଲାଇ ଦେଇଛି।
ଦୀପକଙ୍କ କହିବା କଥା ଯେ ସେ ଓ ଡିଏସ୍ପି କଳ୍ପନା ପରସ୍ପରକୁ ୨୦୨୧ରେ ଭେଟିଥିଲେ। ଦୀପକ ବାହା ହୋଇଥିଲେ ହେଁ କଳ୍ପନା ସହ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ। କଳ୍ପନା ମଧ୍ୟ ଦୀପକଙ୍କୁ ମେସେଜ କରୁଥିଲେ। ଏହି ପ୍ରେମ ସମ୍ପର୍କର ୪ ବର୍ଷ ମଧ୍ୟରେ କଳ୍ପନା ବାହାଘରର ନାଁରେ ଦୀପକଙ୍କୁ ଟ୍ରାପ କରି ଦେଇଥିଲେ। ଏହି ୪ ବର୍ଷ ମଧ୍ୟରେ କଳ୍ପନା ତାଙ୍କ ଠାରୁ ନଗଦ ୨ କୋଟି ଟଙ୍କା, ୧୨ ଲକ୍ଷର ହୀରା ମୁଦି, ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଲକ୍ଷେ ଟଙ୍କାର ବ୍ରେସଲେଟ ଓ ଗୋଟିଏ ଇନୋଭା କ୍ରାୟଷ୍ଟା ଗାଡ଼ି ନେଇଛନ୍ତି।
ଏହାବାଦ ରାୟପୁରର ଭିଆଇପି ରୋଡରେ ଥିବା ଗୋଟିଏ ହୋଟେଲକୁ କଳ୍ପନା ନିଜ ଭାଇଙ୍କ ନାଁରେ କରିବାକୁ ମଧ୍ୟ ଦୀପକଙ୍କୁ ପ୍ରବର୍ତ୍ତାଇ ଥିଲେ। ପରବର୍ତ୍ତୀ ଅବସ୍ଥାରେ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରି କଳ୍ପନା ଉକ୍ତ ହୋଟେଲକୁ ନିଜ ନାଁରେ କରିଥିଲେ। ଦୀପକଙ୍କ କହିବା କଥା ଯେ କଳ୍ପନା ତାଙ୍କୁ ବ୍ଲାକମେଲ କରିବା ସହ ମିଛ କେସରେ ଫସାଇ ଦେବାର ଧମକ ଦେଇ ଚାଲିଥିଲେ। କଳ୍ପନାଙ୍କ ଚାହିଦା ପୂରଣ କରିବାରେ ଦୀପକ ବିଫଳ ହେବାରୁ ସେ ଏପରି ଧମକ ଦେଉଥିବା ଅଭିଯୋଗ ହୋଇଛି।
ନିଜ ଅଭିଯୋଗରେ ସତ୍ୟତା ଥିବା ପ୍ରମାଣ କରିବା ପାଇଁ ଦୀପକ କିଛି ହ୍ୱାଟସଆପ ଚାଟ, ସିସିଟିଭି ଫୁଟେଜ ଓ ଡିଜିଟାଲ ରେକର୍ଡକୁ ଖାମହରଡି ପୁଲିସ୍ ଷ୍ଟେସନରେ ଦାଖଲ କରିଛନ୍ତି। ଦୀପଙ୍କ ବୟାନ ଓ ଡିଜିଟାଲ ପ୍ରମାଣ ସତ୍ତ୍ୱେ ପୁଲିସ୍ ଏଯାଏ କଳ୍ପନାଙ୍କ ବିରୋଧରେ କୌଣସି ଏଫଆଇଆର ରୁଜୁ କରି ନାହିଁ। ମାମଲାକୁ ପୁଲିସ୍ ଆର୍ଥିକ ବିବାଦ ଭାବେ ବିବେଚନା କରି ତଦନ୍ତ ଜାରି ରଖିଥିବା କହିଛି।
ଏହି ସ୍କାଣ୍ଡାଲର ୨ ମାସ ପୂର୍ବରୁ କଳ୍ପନାଙ୍କ ବାପା ହେମନ୍ତ ବର୍ମା ପାଣ୍ଡ୍ରୀ ପୁଲିସ୍ ଷ୍ଟେସନରେ ଦୀପକ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଗୋଟିଏ ଅଭିଯୋଗ କରିଥିଲେ। ଗୋଟିଏ ବ୍ୟବସାୟିକ ଡିଲରେ ଦୀପକ କିଛି ଟଙ୍କା ହେମନ୍ତଙ୍କ ଠାରୁ ନେଇଥିଲେ। ଏହା ବଦଳରେ ଦୀପକ ତାଙ୍କ ପତ୍ନୀଙ୍କ ନାଁରେ ଗୋଟିଏ ଚେକ ସିକ୍ୟୁରିଟୀ ପାଇଁ ହେମନ୍ତଙ୍କ ପାଖରେ ଦାଖଲ କରିଥିଲେ। ହେଲେ ଏହା ବାଉନ୍ସ ହୋଇ ଯାଇଥିଲେ। ଏବେ ଉକ୍ତ ଚେକ ବାଉନ୍ସ ମାମଲା କୋର୍ଟରେ ବିଚାର ଚାଲିଛି। ଏହି ମାମଲାରେ କୋର୍ଟ ଦୀପକଙ୍କ ପତ୍ନୀ ବରଖା ଟଣ୍ଡନଙ୍କୁ ନିୟମିତ ସମନ ମଧ୍ୟ କରୁଛନ୍ତି।
ଏବେ ଦୀପକ ଲଭ ଟ୍ରାପ ଅଭିଯୋଗ ଆଣିଥିବା ବେଳେ ଏସମ୍ପର୍କରେ ମୁହଁ ଖୋଲିଛନ୍ତି ଡିଏସ୍ପି କଳ୍ପନା। ସେ ସଂପୂର୍ଣ୍ଣ ଭାବେ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ସେ ଦୀପକଙ୍କ ବିରୋଧରେ ମାନହାନୀ କେସ କରିବେ ବୋଲି ଧମକ ଦେଇଛନ୍ତି। ତାଙ୍କ କହିବା କଥା ଯେ ସମସ୍ତ ଅଭିଯୋଗ ମିଥ୍ୟା, କପୋଳକଳ୍ପିତ, ଅପମାନଜନକ। ତାଙ୍କ ବାପା ଓ ଟଣ୍ଡନଙ୍କ ମଧ୍ୟରେ ଚାଲିଥିବା ବ୍ୟବସାୟିକ ବିବାଦ କାରଣରୁ ତାଙ୍କ ନାଁକୁ ଏଥିରେ ଘୋଷଡ଼ା ଯାଉଛି। ଭାଇରାଲ ଚାଟ ନକଲି ଓ ସୋଶାଲ ମିଡିଆରୁ ଫଟୋ ନେଇ ଏହାକୁ ତିଆରି କରାଯାଇଥିବା କଳ୍ପନା କହିଛନ୍ତି।
କଳ୍ପନା ଦାବି କରିଛନ୍ତି ଯେ ଦୀପକ ଟଣ୍ଡନ ଯେଉଁ କାର କଥା କହୁଛନ୍ତି ବାସ୍ତବରେ ଏହାକୁ ଆଇନଗତ ଉପାୟରେ ବରଖା ଟଣ୍ଡନଙ୍କୁ ଠାରୁ ସେ କିଣିଛନ୍ତି। ଏନେଇ ସମସ୍ତ ପ୍ରକାରର କାଗଜପତ୍ର ଓ ଆରସି ପରିବର୍ତ୍ତନ ଶେଷ ହୋଇଛି। ଡିଏସ୍ପି କଳ୍ପନା ଅଭିଯୋଗର ସମୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ତେବେ ଦୀପକ ଟଣ୍ଡନ ନିଜ ଅଭିଯୋଗରେ କାଏମ ରହିଛନ୍ତି। ତାଙ୍କ କହିବା କଥା ଯେ ତାଙ୍କୁ ପ୍ରଥମେ ମାନସିକ ଓ ଆର୍ଥିକ ଶୋଷଣ କରାଯିବା ପରେ ଏବେ ଧମକ ଦିଆଯାଉଛି। ଦୁଇ ପକ୍ଷର ଅଭିଯୋଗ ପରେ ଛତିଶଗଡ଼ ପୁଲିସ ଡିଜିଟାଲ ପ୍ରମାଣ, ବ୍ୟାଙ୍କ ନେଣଦେଶ ଓ ଅଭିଯୋଗ ରେକର୍ଡକୁ ଯାଞ୍ଚ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
