ଅଜିତ ପାୱାର
ମହାରାଷ୍ଟ୍ରର ବାରାମତୀରେ ହୋଇଥିବା ବିମାନ ଦୁର୍ଘଟଣା(Plane Crash)ରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର(Ajit pawar)ଙ୍କ ଦେହାନ୍ତ ହୋଇଛି। ସେ ଯାଉଥିବା ଚାର୍ଟର ବିମାନ ଜରୁରୀ ଅବତର ପାଇଁ ଚେଷ୍ଟା କରୁଥିବା ବେଳେ ବାରାମତୀର ରନୱେ ନମ୍ବର ୧୧ରେ କ୍ରାଶ ହୋଇଛି। ଏହି କ୍ରାଶ ମହାରାଷ୍ଟ୍ରର ଅନ୍ୟତମ ପ୍ରଭାବଶାଳୀ ରାଜନେତାଙ୍କ କ୍ୟାରିୟରକୁ ମାତ୍ର ୬୬ ବର୍ଷ ବୟସରେ ଶେଷ କରି ଦେଇଛି।
୧୯୫୯ ମସିହା ଜୁଲାଇ ୨୨ରେ ଅହମଦନଗର ଜିଲ୍ଲା ଦେଓଲାଲି ପ୍ରଭାରାରେ ଅଜିତ ପାୱାର ଜନ୍ମ ଗ୍ରହଣ କରିଥିଲେ। ପାୱାର ପରିବାର ରାଜନୀତିରେ ଥିବାରୁ ଏହାକୁ ନିଜର କ୍ୟାରିୟରର ଭାବେ ବାଛିଥିଲେ ଅଜିତ। ତାଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ବାପା ଅନନ୍ତରାଓ ପାୱାରଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଅଜିତ ନିଜ ଦାଦା ଶରଦ ପାୱାରଙ୍କ ହାତ ଧରି ରାଜନୀତିରେ ପ୍ରବେଶ କରିଥିଲେ। ମାତ୍ର ୨୩ ବର୍ଷ ବୟସରେ ଅର୍ଥାତ ୧୯୮୨ରେ ସେ ପ୍ରଥମଥର ଗୋଟିଏ ସମବାୟ ସୁଗାର ଫ୍ୟାକ୍ଟ୍ରୀର ବୋର୍ଡକୁ ନିର୍ବାଚିତ ହୋଇ ନିଜ ରାଜନୀତିକ କ୍ୟାରିୟରର ମୂଳଦୁଆ ପକାଇଥିଲେ।
ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଅଧିକ ସମୟ ସମବାୟ ପ୍ରତିଷ୍ଠାନରେ କାଟିଥିଲେ। ଏହି ସମୟରେ ସେ ପଶ୍ଚିମ ମହାରାଷ୍ଟ୍ରରେ ନିଜ ରାଜନୀତିକ ଉପସ୍ଥିତିକୁ ଜାହିର କରିଥିଲେ। ଚିନି କଳ, ଦୁଗ୍ଧ ୟୁନିୟନ ଓ ସ୍ଥାନୀୟ ବ୍ୟାଙ୍କ ସହ ଜଡ଼ିତ ହୋଇ ସେ ନିଜର ନେଟୱର୍କ ତିଆରି କରିବା ପରେ ରାଜନୀତିକ ଅଫିସ ଗଠନ କରିଥିଲେ।
୧୯୯୧ରେ ଅଜିତ ପାୱାର ଓରଫ ଅଜିତ ଦାଦା ପୁଣେ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ହେବା ସହ ୧୬ ବର୍ଷ ଧରି ଏହି ପଦରେ ରହିଥିଲେ। ୧୯୯୧ରେ ମଧ୍ୟ ସେ ପ୍ରଥମଥର ନିର୍ବାଚନ ଲଢ଼ିଥିଲେ। ସେହିବର୍ଷ ଅଜିତ ଦାଦା ବାରାମତୀ ଲୋକସଭାରୁ ବିଜୟ ହୋଇଥିଲେ। କିନ୍ତୁ ନରସୀମା ରାଓ ସରକାରରେ ଶରଦ ପାୱାର ପ୍ରତିରକ୍ଷା ମନ୍ତ୍ରୀ ହେବାରୁ ଅଜିତ ପାୱାର ବାରାମତୀ ଲୋକସଭା ଆସନ ଛାଡ଼ି ଦେଇଥିଲେ। ସେ ଜାତୀୟ ରାଜନୀତି ଛାଡ଼ି ବାରାମତୀ ବିଧାନସଭା ଆସନ ଉପରେ ଫୋକସ କରିଥିଲେ। ସମାନ ବର୍ଷ ସେ ବାରାମତୀ ବିଧାନସଭା ଆସନରୁ ମଧ୍ୟ ବିଜୟୀ ହୋଇଥିଲେ।
ଏହି ସିଟରେ ସେ ୩ ଦଶନ୍ଧିରୁ ଅଧିକ ସମୟ ଧରି ପ୍ରତିନିଧିତ୍ୱ କରି ଚାଲିଥିଲେ। ୨୦୨୪ ନଭେମ୍ବର ମାସରେ ଅଜିତ ପାୱାର ଏଠାରୁ ୮ମ ଥର ପାଇଁ ବିଜୟ ହୋଇଥିଲେ। ତାଙ୍କ ବିଜୟ ବ୍ୟବଧାନ ଏକ ଲକ୍ଷ ଭୋଟରୁ ଅଧିକ ରହିଥିଲା। ଏହି ଠାରୁ ଅଜିତ ପାୱରଙ୍କ ଉଦୟ ନିରନ୍ତର ଭାବେ ହୋଇଥିଲା। ସେ ନିଜର ପ୍ରଶାସନିକ ଦକ୍ଷତା ବଳରେ ଅର୍ଥ, ଜଳ ସେଚନ ଓ ଗ୍ରାମୀଣ ବିଭାଶରେ ନିଜର ବ୍ୟାପକ ପ୍ରଭାବ ସୃଷ୍ଟି କରିଥିଲେ।
ନିଜର କାର୍ଯ୍ୟକାଳ ସମୟରେ ସେ ଜଳ ସେଚ, ଜଳ ସଂଶାଧନ ଓ ଅର୍ଥ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ। ମହାରାଷ୍ଟ୍ରର ବଜେଟ ଓ ପ୍ରଶାସନିକ ନିଷ୍ପତ୍ତିରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେ ସର୍ବାଧିକ ୬ଥର ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେବା ସହ ଏହି ପଦରେ ସବୁଠାରୁ ଅଧିକ ସମୟ ରହିଥିବା ରାଜନେତା ହେବାର ରେକର୍ଡ ନିଜ ନାଁରେ କରିଛନ୍ତି।
ଅଜିତ ଦାଦାଙ୍କ ରାଜନୀତିକ ଯାତ୍ରା ଅନେକ ନାଟକୀୟ ମୋଡ଼ର ମୁକସାଖୀ ବନିଥିଲା। ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ହଠାତ ପଟ ପରିବର୍ତ୍ତନ କରିଥିଲେ ଅଜିତ ପାୱାର। ବିଜେପି ଓ ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ଚାଲିଥିବା ବେଳେ ଭୋର ସମୟରେ ଅଜିତ ପାୱାର ବିଜେପି ନେତା ଦେବନ୍ଦ୍ର ଫଡନାଭିସଙ୍କ ସହ ହାତ ମିଳାଇଥିଲେ। ଲୋକମାନେ ସକାଳୁ ଉଠିଲା ବେଳକୁ ଫଡନାଭିସ ମୁଖ୍ୟମନ୍ତ୍ରୀ ଓ ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ତେବେ ଏହି ସରକାର ମାତ୍ର ୮୦ ଘଣ୍ଟା ରହି ପାରିଥିଲା। ଅଜିତ ପାୱାର ଆବଶ୍ୟକ ବିଧାୟକ ଏନସିପିରୁ ନେବାକୁ ବିଫଳ ହେବାରୁ ସରକାର ଭୁଶୁଡ଼ି ପଡ଼ିଥିଲା। ଅଜିତ ପାୱାର ପୁଣି ଦାଦା ଶରଦ ପାୱାରଙ୍କ ପାଖରେ ରହିଥିଲେ। ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଓ ଏନସିବି ସରକାର ଗଠନ ହୋଇଥିଲା। ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ।
୨୦୨୨ରେ ଶିବସେନାରେ ଫାଟ ଯୋଗୁ ସରାକାର ଭାଙ୍ଗି ଯାଇଥିଲା। ବିଜେପି ଓ ଏକନାଥ ସିନ୍ଦେ ସରକାର ଗଠନ କରିଥିଲେ। ୨୦୨୩ ଜୁଲାଇ ମାସରେ ଅଜିତ ପାୱାରଙ୍କ ଯୋଗୁ ଏନସିପିରେ ବିଭାଜନ ହୋଇଥିଲା। ସେ ୫ମଥର ପାଇଁ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।
୨୦୨୪ ବିଧାନସଭା ନିର୍ବାଚନରେ ବିଜେପି, ସିନ୍ଦେ ସେନା ଓ ଅଜିତ ପାୱାର ମିଳିତ ଭାବେ ବିଜୟୀ ହୋଇଥିଲେ। ଏହାପରେ ଡିସେମ୍ବର ୫ରେ ଅଜିତ ପାୱାର ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ୬ଷ୍ଠ ଥର ଶପଥ ନେଇଥିଲେ।
୨୦୨୩ରେ ଏନସିପିରେ ଝଡ଼ ଦେଖାଯାଇଥିଲେ ହେଁ ଅଜିତ ପାୱାର ନିଜର ଦବଦବା ବାରାମତୀ ଓ ଏହାର ଆଖପାଖ ଅଞ୍ଚଳରେ ବଜାୟୀ ରଖିଥିଲେ। ତୃଣମୂଳ ସ୍ତରରେ ପହଞ୍ଚିବା, ସମବାୟ କ୍ଷେତ୍ରର ଶକ୍ତି ଓ ଶକ୍ତ ସାଂଗଠନିକ ନିୟନ୍ତ୍ରଣ ଯୋଗୁ ସେ ପଟ ପରିବର୍ତ୍ତନ ସତ୍ତ୍ୱେ ନିର୍ବାଚନରେ ସଫଳତା ସାଉଁଟିଥିଲେ। ଦ୍ରୁତ କାର୍ଯ୍ୟଶୈଳୀ ଓ ନିୟମିତ ସାଧାରଣ ଲୋକଙ୍କ ସହ କଥାବାର୍ତ୍ତା ଯୋଗୁ ଅଜିତ ପାୱାର ନିଜ ଜୀବନର ଦୁଃଖଦ ଅନ୍ତ ଯାଏ ସରକାରରେ ରହିପାରିଥିଲେ। ମୃତ୍ୟୁ ସମୟରେ ମଧ୍ୟ ସେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ଓ ଲୋକଙ୍କ ସହ ଆଲୋଚନା କରିବାକୁ ବାରାମତୀ ଯାଉଥିଲେ।
ଅଜିତ ପାୱାରଙ୍କ ଦେହାନ୍ତ ଯୋଗୁ ତାଙ୍କ ପତ୍ନୀ ଓ ଦୁଇ ପିଲା ଏବେ ଏକା ହୋଇ ଯାଇଛନ୍ତି। ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ମହାରାଷ୍ଟ୍ର ଏମିତି ଏକ ରାଜ୍ୟ ଯେଉଁଠାରେ ଗଠବନ୍ଧନର ରଣନୀତି ଓ ମଜବୁତ କ୍ଷେତ୍ରୀୟ ନେଟୱର୍କ ହିଁ ସବୁବେଳେ ପ୍ରବାଭ ସୃଷ୍ଟି କରିଥାଏ। ସେମିତି ଏକ ରାଜ୍ୟରେ ଅଜିତ ପାୱାରଙ୍କ ଅନୁପସ୍ଥିତି ଆଗାମୀ ଦିନରେ ରାଜନୀତିକ ସମୀକରଣ ଓ ସରକାରୀ ସନ୍ତୁଳକୁ ନୂଆ ରୂପ ଦେବ ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/28/ajit-pawar-2026-01-28-11-43-59.jpg)