Advertisment

ଦୁଇ ଶିକ୍ଷାର୍ଥୀ ମୃତଦେହ ଭାଇରାଲ: ଅଶାନ୍ତ ମଣିପୁରରେ ଗର୍ଜିଲେ ଶତାଧିକ ଛାତ୍ରଛାତ୍ରୀ

ଶିକ୍ଷାର୍ଥୀମାନେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରା କରିବାର ଥିଲା। କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇବାରୁ ସ୍ଥିତି ବେକାବୁ ହୋଇଥିଲା।

Manipur

Manipur

Advertisment

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ଆଜି ଛାତ୍ରଛାତ୍ରୀଙ୍କ ବିଶାଳ ବିକ୍ଷୋଭ ଦେଖିବାକୁ ମିଳିଛି। ଆଜି ଶତାଧିକ ଶିକ୍ଷାର୍ଥୀ ରାଜ୍ୟର ରାଜଧାନୀ ଇମ୍ଫାଲରେ ଏକାଠି ହୋଇ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ରାଜ୍ୟର ଜଣେ ଛାତ୍ର ଓ ଆଉ ଜଣେ ଛାତ୍ରୀଙ୍କୁ ଅପହରଣ କରିବା ପରେ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାର ଫଟୋ ଆଜି ସୋଶାଲ ମିଡିଆରେ ଭାଇରାଲ ହେବା ପରେ ନ୍ୟାୟ ପାଇଁ ଶିକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। 

ଶିକ୍ଷାର୍ଥୀମାନେ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ବାସଭବନ ଆଡ଼କୁ ଶୋଭାଯାତ୍ରା କରିବାର ଥିଲା। କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇବାରୁ ସ୍ଥିତି ବେକାବୁ ହୋଇଥିଲା। ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା।

Advertisment

ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଲୁହ ବୁହା ଗ୍ୟାସ ଓ ଧୂଆଁ ବାହାରୁଥିବା ବୋମା ମାଡ଼ କରାଯାଇଥିଲା। ଏଥିରେ ଅନେକ ଶିକ୍ଷାର୍ଥୀ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଦୀର୍ଘ ୫ ମାସର ବ୍ୟାନ ପରେ ଏବେ ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାକୁ ସଚଳ କରାଯାଇଛି। ଇଣ୍ଟରନେଟ ସେବା ଚାଲୁ ହେବା ମାତ୍ରେ ଦୁଇ ଜଣଙ୍କ ମୃତଦେହର ଫଟୋ ଭାଇରାଲ ହୋଇଥିଲା।

ଆଦିବାସୀ ଓ ଅଣଆଦିବାସୀଙ୍କ ସଂଘର୍ଷ ମଣିପୁର ଜଳୁଥିବା ବେଳେ ଦୁଇ ଜଣ ଜୁଲାଇ ୬ରେ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କୁ ହତ୍ୟା କରାଯାଇଥିବା ଏବେ ଖବର ଆସିଛି।

ସାମ୍ନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ୧୭ ବର୍ଷୀୟ ଛାତ୍ରୀ ଓ ସମାନ ବୟସର ଜଣେ ଛାତ୍ର ଗୋଟିଏ ଘାଷ ଗାଲିଚାରେ ବସିଛନ୍ତି। କୌଣସି ସଶସ୍ତ୍ର ବାହିନୀର ଜଙ୍ଗଲ କ୍ୟାମ୍ପର ସେମାନେ ବସିଥିବା ଭଳି ଲାଗୁଛନ୍ତି।

ଛାତ୍ରୀ ଜଣଙ୍କ ଧଳା ଟି-ଶାର୍ଟ ପିନ୍ଧିଥିବା ବେଳେ ଛାତ୍ର ଜଣଙ୍କ ଚେକ ଶାର୍ଟ ପିନ୍ଧିଛନ୍ତି। ସେମାନେ କ୍ୟାମେରାକୁ ଚାହିଁଥିବା ବେଳେ ସେମାନଙ୍କ ପଛ ପଟେ ଦୁଇ ଜଣ ବନ୍ଧୁକଧାରୀ କିଛି ଦୂରତାରେ ଛିଡ଼ା ହୋଇଛନ୍ତି। 

ପରବର୍ତ୍ତୀ ଫଟୋରେ ଦୁଇ ଜଣଙ୍କ ରକ୍ତାକ୍ତ ମୃତଦେହ ତଳେ ପଡ଼ିଥିବା ବେଳର ଦୃଶ୍ୟ ରହିଛି। ତେଣୁ ସେମାନଙ୍କୁ ସଶସ୍ତ୍ର ବନ୍ଧୁକଧାରୀମାନେ ଅପହହରଣ କରିବା ପରେ ହତ୍ୟା କରିଥିବା କୁହାଯାଉଛି। ସେହିପରି ହତ୍ୟା ପୂର୍ବରୁ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ, ତା’ର ମଧ୍ୟ ତଦନ୍ତ ଆରମ୍ଭ ହୋଇଛି।

ଦୁଇ ଶିକ୍ଷାର୍ଥୀଙ୍କୁ ଅପହରଣ ପରେ ହତ୍ୟା କରାଯାଇ ସେମାନଙ୍କ ଫଟୋ ସୋଶାଲ ମିଡିଆରେ ପୋଷ୍ଟ ହେବା ଘଟଣା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ଏପରି ଏକ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର ହୋଇସାରିଛି।

କେନ୍ଦ୍ରୀୟ ବଳ ସହଯୋଗରେ ରାଜ୍ୟ ପୁଲିସ ପୂରା ଘଟଣାର ତଦନ୍ତ କରାଯାଉଛି। ଅପରାଧୀଙ୍କୁ ଧରିବା ପାଇଁ ସୁରକ୍ଷା ବାହିନୀ ମଧ୍ୟ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବ ଏକ ବିବୃତିରେ କହିଛନ୍ତି।

Manipur Manipur Violence Manipur Incident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe