Advertisment

ପରୀକ୍ଷା ହଲ୍‌ରେ ଖାତା ନ ଦେଖାଇବାରୁ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗୁଳିକରି ହତ୍ୟା, ସହପାଠୀ ଗିରଫ

ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୀତ କୁମାରଙ୍କୁ ଗିରଫ କରି ସାରିଛି। ସେହିପରି ଏହି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରାଯାଇଛି।

Protest

Protest

Advertisment

ପରୀକ୍ଷା ଚାଲିଥିଲା। ଜଣେ ପରୀକ୍ଷାର୍ଥୀ ତାଙ୍କ ପାଖରେ ବସିଥିବା ଅନ୍ୟ ପରୀକ୍ଷାର୍ଥୀଙ୍କୁ ଖାତା ଦେଖାଇବାକୁ କହିଥିଲେ। କିନ୍ତୁ କେହି ତାଙ୍କୁ ଖାତା ଦେଖାଇ ନଥିଲେ। ପରୀକ୍ଷା ସରିବା ପରେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ପରେ ଏହାକୁ ନେଇ ଫୁଟିଥିଲା ଗୁଳି। ଏଥିରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ଘଟଣାଟି ଘଟିଛି ବିହାରର ରୋହତାସ ଜିଲ୍ଲାର ସାସାରାମରେ। ମୃତ ଛାତ୍ରଙ୍କ ନାଁ ଅମିତ କୁମାର। ତାଙ୍କ ଘର ଶମ୍ଭୁ ବିଘା ଗାଁରେ। 

Advertisment

ଗତକାଲି ସନ୍ଧ୍ୟାରେ ଏହି ଘଟଣା ଘଟିଥିଲା। ପରୀକ୍ଷା ହଲ୍‌ରେ ଖାତା ଦେଖାଇବା ନେଇ ପୂର୍ବରୁ ଯେଉଁ ପାଟିତୁଣ୍ଡ ଓ ହାତାହାତି ହୋଇଥିଲା, ତାହା ଗତକାଲି ସନ୍ଧ୍ୟାରେ ଆହୁରି ଭୟଙ୍କର ରୂପ ନେଇଥିଲା। ଅମିତ କୁମାର ଓ ତାଙ୍କର ଦୁଇ ସାଙ୍ଗଙ୍କ ଉପରକୁ ଅପର ଛାତ୍ର ଗୋଷ୍ଠୀ ହଠାତ୍ ଗୁଳି ଚଳାଇଥିଲା। ଏଥିରେ ଅମିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟ ଜଣଙ୍କ ନିତମ୍ବ ପାଖ ଦେଇ ଗୁଳି ଚାଲି ଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇଛି।

ଘଟଣାସ୍ଥଳରେ ଉପସ୍ଥିତ ଅମିତ କୁମାରଙ୍କ ଅନ୍ୟ ଜଣେ ସାଙ୍ଗ ନୀରଜ କୁମାର କହିଛନ୍ତି, ଅଭିଯୁକ୍ତ ସଞ୍ଜୀତ କୁମାର କିଛି ପଢ଼ାପଢ଼ି କରେ ନାହିଁ। ସେ ପରୀକ୍ଷାରେ କିଛି ଲେଖିପାରୁ ନଥିଲା। ତେଣୁ ଆମକୁ ଖାତା ଦେଖାଇବାକୁ କହିଥିଲା। କିନ୍ତୁ ଆମମାନଙ୍କ ମଧ୍ୟରୁ କେହି ତାକୁ ଖାତା ଦେଖାଇ ନଥିଲେ। ତେଣୁ ସେ ବୋମାରେ ଉଡ଼ାଇ ଦେବ ବୋଲି ଧମକ ଦେଇଥିଲା। ଏହି କଥାକୁ ନେଇ ପରୀକ୍ଷା ପରେ ପାଟିତୁଣ୍ଡ ହୋଇଥିଲା।

Advertisment

ପୁଲିସ ମୁଖ୍ୟ ଅଭିଯୁକ୍ତ ସଞ୍ଜୀତ କୁମାରଙ୍କୁ ଗିରଫ କରିଛି। ସେହିପରି ଏହି ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ଜବତ କରାଯାଇଛି। ବନ୍ଧୁକଟିକୁ ଅଭିଯୁକ୍ତମାନେ ଏକ ବୁଦାରେ ଫୋପାଡ଼ି ଦେଇଥିଲେ। ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ବେଳେ ପୁଲିସ ସେମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଆଜି ସକାଳେ ମୃତ ଅମିତ କୁମାରଙ୍କ ପରିବାର ଓ ତାଙ୍କ ଗାଁ ଲୋକେ ନିଆଁ ଲଗାଇ ରାସ୍ତାରୋକ କରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ସେମାନେ ଏହି ରାସ୍ତାରୋକ କରିଥିଲେ। ଫଳରେ ଟ୍ରାଫିକ ଜାମ୍ ହୋଇଯାଇଥିଲା। ପୁଲିସ ବହୁ ବୁଝାସୁଝା କରିବା ପରେ ସେମାନେ ରାସ୍ତାରୋକରୁ ଉଠିଥିଲେ।

ପରୀକ୍ଷା ହଲ୍‌ରେ ଖାତା ନଦେଖାଇବା ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ପ୍ରକୃତରେ କ’ଣ ହୋଇଛି, ତାହା ଜାଣିବା ପାଇଁ ତଦନ୍ତ ଜାରି ରହିଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ବିହାର ବୋର୍ଡର ମାଟ୍ରିକ୍ ପରୀକ୍ଷା ଫେବ୍ରୁଆରୀ ୧୭ ତାରିଖରୁ ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe