Advertisment

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଉଭୟ ଆକାଶ ଓ ବିଏସ୍‌ପିର ଭବିଷ୍ୟତକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

ଆଜି ଲକ୍ଷ୍ନୌରେ ମାୟାବତୀଙ୍କ ଅଧ୍ୟକ୍ଷତାରେ ବିଏସ୍‌ପିର ଏକ ବୈଠକ ବସିଥିଲା। ଏଥିରେ ଦେଶର ବିଭିନ୍ନ ଭାଗରୁ ଦଳର ନେତାମାନେ ଯୋଗ ଦେଇଥିଲେ। ଏଥିରେ ଦଳର ରଣକୌଶଳ ସଂପର୍କରେ ଆଲୋଚନା କରାଯାଇଥିଲା। ତା’ ସହିତ ଆକାଶ ଆନନ୍ଦଙ୍କୁ ସବୁ ପଦପଦବୀରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ ମାୟାବତୀ।

author-image
Jitendra Garnayak
Mayabati and Akash

Mayabati and Akash

ବହୁଜନ ସମାଜ ପାର୍ଟି (ବିଏସ୍‌ପି) ମୁଖ୍ୟ ମାୟାବତୀ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ତାଙ୍କ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ପଦବରୁ ବିଦା କରିଛନ୍ତି। ଗୋଟିଏ ବର୍ଷ ଭିତରେ ଦ୍ୱିତୀୟ ଥର ପାଇଁ ଆକାଶ ଆନନ୍ଦ ଏହି ପଦରୁ ବିଦା ହୋଇଛନ୍ତି। ଆକାଶ ଆନନ୍ଦଙ୍କ ବଦଳରେ ତାଙ୍କ ବାପା ଆନନ୍ଦ କୁମାର ଓ ବରିଷ୍ଠ ନେତା ରାମଜୀ ଗୌତମଙ୍କୁ ଦଳର ଜାତୀୟ ସଂଯୋଜକ କରିଛନ୍ତି ମାୟାବତୀ। ବିଏସ୍‌ପି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍ ରିଲିଜରୁ ଜଣାପଡ଼ିଛି ଯେ ଜାତୀୟ ସଂଯୋଜକ ସହିତ ଦଳର ଅନ୍ୟାନ୍ୟ ପଦପଦବୀରୁ ଆକାଶ ଆନନ୍ଦଙ୍କୁ ବିଦା କରାଯାଇଛି। ଫଳରେ ତାଙ୍କର ରାଜନୀତିକ ଭବିଷ୍ୟତକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଆଜି ଲକ୍ଷ୍ନୌରେ ମାୟାବତୀଙ୍କ ଅଧ୍ୟକ୍ଷତାରେ ବିଏସ୍‌ପିର ଏକ ବୈଠକ ବସିଥିଲା। ଏଥିରେ ଦେଶର ବିଭିନ୍ନ ଭାଗରୁ ଦଳର ନେତାମାନେ ଯୋଗ ଦେଇଥିଲେ। ଏଥିରେ ଦଳର ରଣକୌଶଳ ସଂପର୍କରେ ଆଲୋଚନା କରାଯାଇଥିଲା। ତା’ ସହିତ ଆକାଶ ଆନନ୍ଦଙ୍କୁ ସବୁ ପଦପଦବୀରୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ ମାୟାବତୀ।

ଆକାଶ ଆନନ୍ଦ ଦିଲ୍ଲୀ ଓ ନୋଏଡାରେ ସ୍ନାତକ ପର୍ଯ୍ୟନ୍ତ ପାଠପଢ଼ା ଶେଷ କରିବା ପରେ ୟୁକେରେ ଏମ୍‌ବିଏ କରିଥିଲେ। ତାଙ୍କୁ ବିଏସ୍‌ପିର ଭବିଷ୍ୟତ ତଥା ମାୟାବତୀଙ୍କ ଉତ୍ତରାଧିକାରୀ ଭାବେ ଦେଖାଯାଉଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ତାଙ୍କୁ ରାଜନୀତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ୨୦୨୩ ଶେଷ ଆଡ଼କୁ ତାଙ୍କୁ ଦଳର ଜାତୀୟ ସଂଯୋଜକ କରିଥିଲେ ମାୟାବତୀ। ଏହା ସହିତ ଆନୁଷ୍ଠାନିକ ଭାବେ ଆକାଶ ଆନନ୍ଦଙ୍କୁ ଦଳର ଦ୍ୱିତୀୟ ବଡ଼ ନେତା ଘୋଷଣା କରିଥିଲେ ମାୟାବତୀ। କିନ୍ତୁ ଗତ ବର୍ଷ (୨୦୨୪) ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ ମାୟାବତୀ ତାଙ୍କୁ ସେହି ପଦରୁ ହଟାଇ ଦେଇଥିଲେ। ଆକାଶ ଆନନ୍ଦଙ୍କଠାରେ ରାଜନୀତିକ ପରିପକ୍ୱତାର ଅଭାବ ଦର୍ଶାଇ ଏହି ପଦକ୍ଷେପ ନେଇଥିଲେ ବିଏସ୍‌ପି ସୁପ୍ରିମୋ। ଏହା ସହିତ ଆକାଶଙ୍କ ବାପା ଆନନ୍ଦ କୁମାରଙ୍କୁ କରାଯାଇଥିଲା ଦଳର ଜାତୀୟ ସଂଯୋଜକ। ଲୋକସଭା ନିର୍ବାଚନରେ ମାଟି କାମୁଡ଼ିଲା ବିଏସ୍‌ପି। ଦଳ ଗୋଟିଏ ବି ଆସନ ଜିତି ପାରିଲା ନାହିଁ। ଏହା ପରେ ମାୟାବତୀ ପୁଣି ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ପଦରେ ବସାଇଥିଲେ। କିନ୍ତୁ ମାତ୍ର ୮ ମାସ ପରେ ମାୟାବତୀ ପୁଣି ଆକାଶଙ୍କୁ ସେହି ପଦରୁ ବିଦା କରି ଦେଇଛନ୍ତି।

Advertisment

ମାୟାବତୀ କହିଛନ୍ତି ଯେ ସେ ଯେ କୌଣସି ବ୍ୟକ୍ତିଙ୍କୁ ତାଙ୍କର ଉତ୍ତରାଧିକାରୀ ଘୋଷଣା କରିପାରିବେ। ତାଙ୍କ ପରିବାର ଭବିଷ୍ୟତରେ ଅନ୍ୟ କୌଣସି ରାଜନୀତିକ ଦଳର ପରିବାର ସହିତ ସଂପର୍କ ଯୋଡ଼ିବ ନାହିଁ।

ଗତ ମାସରେ ଆକାଶ ଆନନ୍ଦଙ୍କ ଶ୍ୱଶୁର ଅଶୋକ ସିଦ୍ଧାର୍ଥଙ୍କୁ ଦଳରୁ ବହିଷ୍କାର କରିଥିଲେ ମୟାବତୀ। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ନିଆଯାଇଥିଲା ଏହି କାର୍ଯ୍ୟାନୁଷ୍ଠାନ। ଏହା ପରେ ସ୍ପଷ୍ଟ ସଙ୍କେତ ମିଳି ଯାଇଥିଲା ଯେ ଆକାଶ ଆନନ୍ଦ ଆଉ ମାୟାବତୀଙ୍କ ଗୁଡ୍ ବୁକ୍‌ରେ ନାହାନ୍ତି।

ସେହିପରି ମାୟାବତୀ ଏକ୍ସରେ ଏକ ଲମ୍ବା ପୋଷ୍ଟ କରି ଲେଖିଥିଲେ ଯେ ସେ ସାରା ଜୀବନ ଦଳିତ ଓ ଗରିବ ଲୋକଙ୍କ ପାଇଁ କାମ କରିବେ। ସବୁ ପ୍ରକାର ବାଧା ସତ୍ତ୍ୱେ ଯିଏ ତାଙ୍କର ଏହି ଆନ୍ଦୋଳନକୁ ଜାରି ରଖିବାକୁ ପ୍ରତିଶ୍ରୁବଦ୍ଧ ହେବେ, ସିଏ ହେବେ ତାଙ୍କର ପ୍ରକୃତ ଉତ୍ତରାଧିକାରୀ। ଫଳରେ ଏଥିରୁ ବି ସଙ୍କେତ ମିଳି ଯାଇଥିଲା ଯେ ଆକାଶ ଆନନ୍ଦ ଯେଉଁ ସ୍ୱପ୍ନ ଦେଖୁଛନ୍ତି, ତାହା ପୂରଣ ହେବା କଷ୍ଟକର।

ମାୟାବତୀ ଏମିତି ବାରମ୍ବାର ପୁତୁରା ଆକାଶ ଆନନ୍ଦଙ୍କୁ ନେଇ ନେଉଥିବା ନିଷ୍ପତ୍ତି ପଛରେ ରହିଛି ନିର୍ବାଚନରେ କ୍ରମାଗତ ଭାବେ ଦଳର ଖରାପ ପ୍ରଦର୍ଶନ। ଦଳ ଦିଗହରା ହୋଇଯାଇଛି। କ’ଣ କରିବା ଉଚିତ, କ’ଣ ନ କରିବା ଉଚିତ୍, ସେ ନେଇ ଦ୍ୱନ୍ଦ୍ୱରେ ଅଛି। ୨୦୦୭ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ୨୦୬ ଆସନ ଜିତିଥିବା ବିଏସ୍‌ପି ୨୦୨୨ରେ ମାତ୍ର ଗୋଟିଏ ଆସନ ଜିତିଥିଲା। ଗତ ବର୍ଷ ଲୋକସଭା ନିର୍ବାଚନରେ ଦଳ ଗୋଟିଏ ବି ଆସନ ଜିତି ପାରିନି। ଦଳର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଏହାକୁ କିଭଳି ବିକଳ୍ପ ଦଳ ଭାବେ ପୁଣି ଗଠନ କରି ହେବ, ସେ ନେଇ ଦଳୀୟ ନେତୃତ୍ୱଙ୍କ ପାଖରେ କୌଣସି ଦୃଢ଼ ଯୋଜନା ନଥିବା ମନେ ହୁଏ। ମାୟାବତୀଙ୍କ ନାଁରେ ଦଳ ଆଉ ଭୋଟ୍ ଜିତିବା ଅସମ୍ଭବ ପ୍ରାୟ ଲାଗୁଥିବା ବେଳେ ଏପର୍ଯ୍ୟନ୍ତ ନୂତନ ନେତୃତ୍ୱ ନେଇ ମଧ୍ୟ ମାୟାବତୀ କିଛି ସ୍ପଷ୍ଟ ନିଷ୍ପତ୍ତି ନେଇପାରି ନାହାନ୍ତି। ହୁଏତ ନୂଆ ମୁହଁ ଦଳକୁ ଏକ ନୂତନ ଦିଗ ଦେଇପାରେ।

Mayabati BSP