Suicide
ପୁଣି ଶିକ୍ଷାନୁଷ୍ଠାନରେ ନିର୍ଯାତନା। କଲେଜର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମାନସିକ ନିର୍ଯାତନା ସହି ନ ପାରି ଜଣେ ଡାକ୍ତରୀ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ରାଜସ୍ଥାନର ଉଦୟପୁରରେ ଥିବା ଫ୍ୟାସିଫିକ ଡେଣ୍ଟାଲ କଲେଜରୁ ଏପରି ଘଟଣା ସାମ୍ନାକୁ ଆସିଛି। ହଷ୍ଟେଲ ରୁମରୁ ରାତି ୧୧ଟାରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ମିଳିବା ପରେଦୟପୁରର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଫ୍ୟାସିଫିକ ଡେଣ୍ଟାଲ କଲେଜର ବିଡିଏସ୍ ପାଠ୍ୟକ୍ରମର ଶେଷ ବର୍ଷ ଛାତ୍ରୀ ହେଉଛନ୍ତି ଶ୍ୱେତା ସିଂହ। ତାଙ୍କ ଘର ଜମ୍ମୁ-କଶ୍ମୀରରେ। ଏଠାରେ ସେ ହଷ୍ଟେଲରେ ରହୁଥିଲେ। ରାତି ପ୍ରାୟ ୧୧ଟା ବେଳେ ଶ୍ୱେତାଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ରୁମମେଟ ଠାବ କରିଥିଲେ। ତୁରନ୍ତ ହଷ୍ଟେଲ କର୍ତ୍ତୃପକ୍ଷ ଓ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେତେବେଳକୁ ଶ୍ୱେତାଙ୍କ ମୃତ୍ୟୁ ହୋଇ ସାରିଥିଲା।
ଶ୍ୱେତାଙ୍କ ରୁମରୁ ଗୋଟିଏ ସୁଇସାଇଡ ନୋଟ ଜବତ ହୋଇଛି। ଏଥିରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଆତ୍ମହତ୍ୟା ପାଇଁ ଦାୟୀ କରିଛନ୍ତି। କଲେଜର ଶିକ୍ଷକ/ଶିକ୍ଷୟିତ୍ରୀମାନେ ଶିକ୍ଷାର୍ଥୀମାନଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି ଓ ଠିକ ସମୟରେ ପରୀକ୍ଷା କରୁ ନାହାନ୍ତି। ପିଲାମାନଙ୍କ ଠାରୁ ଅଯଥାରେ ଟଙ୍କା ଆଦାୟ କରାଯାଉଛି। ଯେଉଁମାନେ ଟଙ୍କା ଦେବାକୁ ସକ୍ଷମ ହେଉ ନଥିଲେ, ସେମାନଙ୍କୁ କର୍ତ୍ତୃପକ୍ଷ ଜାଣିଶୁଣି ହଇରାଣ କରୁଛନ୍ତି ବୋଲି ଶ୍ୱେତା ସୁଇସାଇଡ ନୋଟରେ ଅଭିଯୋଗ କରିଛନ୍ତି।
ଘଟଣା ପରେ ଶିକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ରୋକ କରିଥିଲେ। ସୁଇସାଇଡ ନୋଟରେ ଉଲ୍ଲେଖ ଥିବା କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।
ବିବାଦ ବଢ଼ୁଥିବାରୁ କଲେଜର ନିର୍ଦ୍ଦେଶକ ବିକ୍ଷୋଭ କରୁଥିବା ଶିକ୍ଷାର୍ଥୀଙ୍କ ସହ ଆଲୋଚନା କରିଛନ୍ତି ଓ ଘଟଣାରେ ସାମିଲ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେଇଛନ୍ତି।
ନିର୍ଦ୍ଦେଶକ କହିଛନ୍ତି, “ଘଟଣାର ତଦନ୍ତ ପୁଲିସ୍ ପକ୍ଷରୁ କରାଯାଉଛି। ସେମାନେ ତଥ୍ୟ ପାଇବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କଲେଜ ମ୍ୟାନେଜମେଣ୍ଟ ମଧ୍ୟ ସ୍ଥିତିର ଯାଞ୍ଚ କରୁଛି ଓ ସାମିଲ ଥିବା କର୍ମଚାରୀଙ୍କୁ ବହିଷ୍କାର କରାଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Suicide__1753518008.jpg)