Advertisment

3-Foot Doctor: ଚର୍ଚ୍ଚାରେ ୩ ଫୁଟ ଉଚ୍ଚତାର ଡାକ୍ତର, ସହଜ ନଥିଲା ଯାତ୍ରା

ଡାକ୍ତର ହେବାର ଯାତ୍ରା ତାଙ୍କ ପାଇଁ ଆଦୌ ସହଜ ନଥିଲା। ତାଙ୍କୁ ଅନେକ ଆଇନଗତ ଓ ସାମାଜିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିଛି ବର୍ଷ ପୂର୍ବରୁ ଯେତେବେଳେ ଗଣେଶ NEET ପାସ୍ କରିଥିଲେ ଓ ଆଡମିସନ ପାଇଁ ଭାବନଗର ସରକାରୀ ମେଡିକାଲ କଲେଜକୁ ଯାଇଥିଲେ ସେତେବେଳେ ମେଡିକାଲ ବୋର୍ଡ ତାଙ୍କୁ ଫେରାଇ ଦେଇଥିଲା।

author-image
Hemant Lenka
Docotor

ଡାକ୍ତର ଗଣେଶ

ଅଦ୍ୟମ ଇଚ୍ଛା ଶକ୍ତି ଆଗରେ ସମସ୍ତ ପ୍ରତିକୂଳ ପରିସ୍ଥିତି ଫେଲ ମାରେ। ଇଚ୍ଛା ଥିଲେ ସଫଳତା କେବେ ବି ଆପଣଙ୍କ ବାଟରେ ପ୍ରତିବନ୍ଧକ ସାଜି ପାରିବ ନାହିଁ। ସଫଳତା ପାଇଁ ଇଚ୍ଛା ଶକ୍ତି ସହ ଅଦମ୍ୟ ସାହସ ମଧ୍ୟ ଆବଶ୍ୟକ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୁଜରାଟ(Gujrat)ର ଭାବନଗରରେ ରହୁଥିବା ୨୫ ବର୍ଷୀୟ ଗଣେଶ ବାରାୟା। 

Advertisment

ତାଙ୍କ ଉଚ୍ଚତା ମାତ୍ର ୩ ଫୁଟ। ଓଜନ ୨୦ କେଜିରୁ କମ। ଶରୀରର ୭୨ ପ୍ରତିଶତ ଅଂଶ ଲୋକମୋଟର ଦିବ୍ୟାଙ୍ଗ। ଅର୍ଥାତ ତାଙ୍କ ହାଡ଼, ଗଣ୍ଠି ଠିକ ବିକଶିତ ହୋଇନାହିଁ। ଏତେ ସବୁ ସମସ୍ୟା ସତ୍ତ୍ୱେ ଏବେ ସେ ଜଣେ ଡାକ୍ତର। ସେ ସାଧାରଣ ଡାକ୍ତରଙ୍କ ଭଳି ଜନସେବା ବି କରୁଛନ୍ତି। ଗ୍ରାମାଞ୍ଚଳରେ ଗରିବଙ୍କ ଚିକିତ୍ସା କରିବା ପାଇଁ ତାଙ୍କର ଆଶା ମଧ୍ୟ ରହିଛି। 

କିନ୍ତୁ ଡାକ୍ତର(Doctor) ହେବାର ଯାତ୍ରା ତାଙ୍କ ପାଇଁ ଆଦୌ ସହଜ ନଥିଲା। ତାଙ୍କୁ ଅନେକ ଆଇନଗତ ଓ ସାମାଜିକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିଛି ବର୍ଷ ପୂର୍ବରୁ ଯେତେବେଳେ ଗଣେଶ NEET ପାସ୍ କରିଥିଲେ ଓ ଆଡମିସନ ପାଇଁ ଭାବନଗର ସରକାରୀ ମେଡିକାଲ କଲେଜକୁ ଯାଇଥିଲେ ସେତେବେଳେ ମେଡିକାଲ ବୋର୍ଡ ତାଙ୍କୁ ଫେରାଇ ଦେଇଥିଲା।

Advertisment

କମ ଉଚ୍ଚତା ଓ ଶାରିରୀକ ଅକ୍ଷମତାକୁ ଆଳ କରି ଏମସିଆଇ ତାଙ୍କୁ ଡାକ୍ତରୀ ପାଠ ପଢ଼ିବାକୁ ଅନୁମତି ଦେଇ ନଥିଲା। ଏମସିଆଇ କହିଥିଲା ଯେ “ଏତେ କମ ଉଚ୍ଚତାରେ ଆପଣ କେମିତି ରୋଗୀମାନଙ୍କ ପରୀକ୍ଷା କରିବେ? ଅସ୍ତ୍ରୋପଚାର ଥିଏଟର କାର୍ଯ୍ୟ କରିପାରିବ ତ?" ଏମସିଆଇର ଏପରି କଥା ଗଣେଶ ଓ ତାଙ୍କ ପରିବାର ବର୍ଗଙ୍କୁ ବେଶ କଷ୍ଟ ଦେଇଥିଲା।

ହେଲେ ସେମାନେ ହାର ମାନି ନଥିଲେ। ତାଲାଜା ସ୍ଥିତ ନୀଳକଣ୍ଠ ବିଦ୍ୟାପୀଠାରୁ ପାସ କରିଥିବା ଗଣେଶଙ୍କୁ ଏହି ସମୟରେ ତାଙ୍କ ସ୍କୁଲ ପ୍ରିନ୍ସିପାଲ ଡକ୍ଟର ଦଲପତଭାଇ କଟାରିୟା ସହାୟତା କରିଥିଲେ। ଚାଷ କରି ପରିବାର ଚଳାଉଥିବା ଗଣେଶଙ୍କ ପରିବାରର ସମସ୍ତ ଆଇଗତ ଖର୍ଚ୍ଚ ସେ ବହନ କରିଥିଲେ। ତାଙ୍କ ସମର୍ଥନ ପରେ ଗଣେଶଙ୍କ ପରିବା ପ୍ରଥମେ ଗୁଜରାଟ ହାଇକୋର୍ଟରେ ଆବେଦନ ଦାଖଲ କରିଥିଲେ।

ହେଲେ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ। ଏମସିଆଇ ନିଷ୍ପତ୍ତି କାଏମ ରହିଥିଲା। ଏହା ରାୟ ଗଣେଶକୁ ଆଘାତ ଦେଇଥିଲେ ହେଁ ସେ ହାର ମାନି ନଥିଲେ। ଗଣେଶ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। ସର୍ବୋଚ୍ଚ ଅଦାଲତ ଗଣେଶଙ୍କ ସପକ୍ଷରେ ଐତିହାସିକ ରାୟ ଦେଇ ତାଙ୍କୁ କଲେଜରେ ନାଁ ଲେଖାଇବାକୁ ଅନୁମତି ଦେଇଥିଲେ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଗଣେଶ ଭାବନଗର ମେଡିକାଲ କଲେଜରେ ନାମ ଲେଖାଇଥିଲେ। ଦୀର୍ଘ ପାଞ୍ଚ ବର୍ଷ MBBS ପଢ଼ିଥିଲେ। ସେ ବାଧ୍ୟତାମୂଳକ ଇଣ୍ଟର୍ଣ୍ଣଶିପ ସମୟରେ ମଧ୍ୟ କେବେ ନିଜର ଉଚ୍ଚତାକୁ ସେବାରେ ବାଧକ ସାଜିବାକୁ ଦେଇ ନଥିଲେ। ରୋଗୀ ସେବା ବେଳେ ଯଦି ହସ୍ପିଟାଲର ବେଡ୍ ଉଚ୍ଚ ଥାଏ, ତେବେ ସେ ଏକ ଷ୍ଟୁଲ୍ ବ୍ୟବହାର କରି ସେଥିରେ ଚଢ଼ିଯାଆନ୍ତି। କିଛି ଲୋକ ତାଙ୍କୁ କଟାକ୍ଷ କରୁଥିଲେ ହେଁ ସେସବୁବେଳେ ସମସ୍ତଙ୍କ ସହ ହସି ହସି କଥା ହୁଅନ୍ତି। 

ଗରିବଙ୍କ ସେବା କରିବାକୁ ଚାହାନ୍ତି ଗଣେଶ

କୋର୍ଟଙ୍କ ନିର୍ଦ୍ଦେଶ ପରେ ଗଣେଶ ୨୦୧୯ରେ ଭାବନଗର ମେଡିକାଲ କଲେଜ ନାଁରେ ଲେଖାଇଥିଲେ। ପାଠପଢ଼ା ଶେଷ ଓ ଇଣ୍ଟର୍ଣ୍ଣଶିପ ପରେ ଏବେ ସେ ଲୋକଙ୍କ ସେବା କରୁଛନ୍ତି। ସେ କହିଛନ୍ତି, “ମୁଁ ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ସେବା କରିବାକୁ ଚାହେଁ। ସେହିଠାରେ ହିଁ ଚିକିତ୍ସାର ଆବଶ୍ୟକତା ରହିଛି। ରୋଗୀମାନେ ପ୍ରଥମେ ମୋତେ ଦେଖିବା ମାତ୍ରେ ଚିକିତ ହୁଅନ୍ତି। ସେମାନେ ଚିକିତ୍ସାକୁ ନେଇ ଦ୍ୱନ୍ଦ୍ୱରେ ରୁହନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ସେମାନେ ମୋତେ ଗ୍ରହଣ କରି ନିଅନ୍ତି। ମୁଁ ମଧ୍ୟ ସେମାନଙ୍କ ପ୍ରାରମ୍ଭିକ ବ୍ୟବହାରକୁ ଗ୍ରହଣ କରି ନେଇଛି।”

Doctor Gujrat