Advertisment

ଅପରେସନ ସିନ୍ଦୂର: କର୍ଣ୍ଣେଲ ସୋଫିୟା କ୍ୟୁରେଶି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କିଏ?

ଭାରତ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର। ଭାରତୀୟ ସେନା ସବୁ ଧର୍ମରେ ବିଶ୍ୱାସ କରେ। ଭାରତର ସଚ୍ଚା ମୁସଲମାନ ମଧ୍ୟ ଭାରତୀୟ ସେନା ଉପରେ ବିଶ୍ୱାସ ରଖନ୍ତି। ପାକିସ୍ତାନ ଯେଉଁ ସାଂପ୍ରଦାୟିକ ବିଷ ଭାରତରେ ବୁଣିବାକୁ ଚାହୁଁଥିଲା, ତା’କୁ ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଅକାମୀ କରି ଦେଇଥିଲେ।

ଅଦ୍ୟତନ ହୋଇଛି
army

army

Advertisment

ମହିଳାମାନଙ୍କ ଆଗରେ ସେମାନଙ୍କ ସ୍ୱାମୀମାନଙ୍କୁ ପହଲଗାମର ବୈସାରନ ଭ୍ୟାଲିରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ ଆତଙ୍କବାଦୀ। ସ୍ୱାମୀମାନଙ୍କୁ ମାରି ପତ୍ନୀମାନଙ୍କୁ ବିଧବା ସଜାଇଥିଲେ। ସେମାନଙ୍କ ମଥାରୁ ସିନ୍ଦୂର ପୋଛି ପୂରା ବିଶ୍ୱକୁ ବାର୍ତ୍ତା ଦେଇଥିଲେ। ହିନ୍ଦୁ ଧର୍ମର ପୁରୁଷମାନଙ୍କୁ ମାରି ଭାରତରେ ସାଂପ୍ରଦାୟିକ ହିଂସା ସୃଷ୍ଟି କରିବା ସେମାନଙ୍କର ଲକ୍ଷ୍ୟ ଥିଲା।

Advertisment

ହେଲେ ଭାରତ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର। ଭାରତୀୟ ସେନା ସବୁ ଧର୍ମରେ ବିଶ୍ୱାସ କରେ। ଭାରତର ସଚ୍ଚା ମୁସଲମାନ ମଧ୍ୟ ଭାରତୀୟ ସେନା ଉପରେ ବିଶ୍ୱାସ ରଖନ୍ତି। ପାକିସ୍ତାନ ଯେଉଁ ସାଂପ୍ରଦାୟିକ ବିଷ ଭାରତରେ ବୁଣିବାକୁ ଚାହୁଁଥିଲା, ତା’କୁ ହିନ୍ଦୁ ଓ ମୁସଲମାନ ମିଳିତ ଭାବେ ଅକାମୀ କରି ଦେଇଥିଲେ। ଏହାପରେ ଭାରତୀୟ ସେନା ତା’ର ପରାକ୍ରମ ଦେଖାଇଛି। ଆତଙ୍କବାଦୀମାନେ ମହିଳାଙ୍କ ସିନ୍ଦୂର ପୋଛି ଥିବାରୁ ଭାରତୀୟ ସେନା ଆତଙ୍କବାଦୀ ଓ ସେମାନଙ୍କ ଠିକଣାରେ ଅପରେସନ ସିନ୍ଦୂର ବଳରେ ବଡ଼ ପ୍ରହାର କରିଛି।

ଏହି ନାଁରେ ହିଁ ଏକାଧିକ ବାର୍ତ୍ତା ଉଭୟ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ଦିଆଯାଇଛି। ସେହିପରି ଅପରେସନ ସିନ୍ଦୂରର ବିସ୍ତୃତ ତଥ୍ୟ ଦେବାକୁ ପ୍ରଥମଥର ପାଇଁ ଭାରତୀୟ ସେନାର ଦୁଇ ଜଣ ମହିଳା ଅଧିକାରୀ ଆସିବା ମଧ୍ୟ ବିରଳ ଘଟଣା। ଭାରତର କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେନା ବାହିନୀର ମହିଳା ଅଧିକାରୀ ସାମ୍ବାଦିକ ସମ୍ମିଳନୀ କରି ନଥିଲେ। ହେଲେ ଆଜି କର୍ଣ୍ଣେଲ ସୋଫିୟା କ୍ୟୁରେଶି ଓ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ ସମସ୍ତଙ୍କୁ ଅପରେସନ ସିନ୍ଦୂର ସମ୍ପର୍କରେ ତଥ୍ୟ ଦେଇଛନ୍ତି।

Advertisment

ଆତଙ୍କବାଦୀମାନେ ହିନ୍ଦୁ-ମୁସଲିମ ବିଦ୍ୱେଷ ବୁଣିବାକୁ ଆସିଥିଲେ। କିନ୍ତୁ ସେମାନଙ୍କ ଉପରେ ହୋଇଥିବା ସବୁଠାରୁ ବଡ଼ ଷ୍ଟ୍ରାଇକର ତଥ୍ୟ ଜଣେ ମୁସଲିମ ଓ ଜଣେ ହିନ୍ଦୁ ମହିଳା ସମସ୍ତଙ୍କୁ ସୂଚିତ କରିଛନ୍ତି। ସେହିପରି ଆଜିର ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ମଧ୍ୟ ଉପସ୍ଥିତ ଥିଲେ। ସେ ହେଉଛି କଶ୍ମୀର ପଣ୍ଡିତ। ଏହି କଶ୍ମୀର ପଣ୍ଡିତଙ୍କୁ ନେଇ ଉପତ୍ୟକାରେ ହିଂସାର ମଞ୍ଜି ବୁଣା ଯାଇଥିଲା। ଆଜି କଶ୍ମୀର ସହ ଜଡ଼ିତ ୩ ଜଣ ଅଧିକାରୀଙ୍କୁ ସାମ୍ନାରେ ରଖି ଭାରତ ପଡ଼ୋଶୀ ପାକିସ୍ତାନ ଓ ପୂରା ଦେଶକୁ ଭାଇଚାରାର ବାର୍ତ୍ତା ଦେଇଛି। ପାକିସ୍ତାନ ଚଳାଇଥିବା ଘୃଣାର ବଜାରରେ ମୋହବତର ଦୋକାନ ଖୋଲିଛି।

ତେବେ ଭାରତୀୟ ସ୍ଥଳ ସେନାର କର୍ଣ୍ଣେଲ ସୋଫିୟା କ୍ୟୁରେଶୀ ଓ ବାୟୁ ସେନାର ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କିଏ? ସେମାନଙ୍କ ଗଠନମୂଳକ ଓ ତୀକ୍ଷ୍ଣ ବୟାନ କେବଳ ଭାରତର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟକୁ ଦର୍ଶାଇ ନାହିଁ, ବରଂ ସେନା ବାହିନୀରେ ମହିଳା କେମିତି ସଶକ୍ତ ହେଉଛନ୍ତି, ତା’ର ଉଦାହରଣ ଦେଇଛି।

ଏପ୍ରିଲ ୨୨ରେ ସଶସ୍ତ୍ର ପାକ ପ୍ରାୟୋଜିତ ଆତଙ୍କବାଦୀମାନେ ପହଲଗାମର ବୈସାରନ ଭ୍ୟାଲିରେ ୨୬ ଜଣ ଭାରତୀୟଙ୍କୁ ଗୁଳି କରି ହତ୍ୟା କରିଥିଲେ। ୨୬/୧୧ ମୁମ୍ବାଇ ହମଲା ପରେ ସାଧାରଣ ଲୋକଙ୍କ ଉପରେ ଏହା ସବୁଠାରୁ ବଡ଼ ଆକ୍ରମଣ ଥିଲା। ଏହାର ବଦଲା ନେବାକୁ ଏପ୍ରିଲ ୨୨ରୁ ହିଁ ସ୍ୱର ଉଠିବାରେ ଲାଗିଥିଲା।

ହମଲାର ୧୫ ଦିନ ପରେ ଅର୍ଥାତ ମଙ୍ଗଳବାର ରାତି ୧.୦୫ରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ପଶି ହମଲା କରିଛି। ପହଲଗାମରେ ପ୍ରାଣ ହରାଇଥିବା ଲୋକମାନଙ୍କ ପତ୍ନୀ ଓ ସେମାନଙ୍କ ପରିବାର ଲୋକଙ୍କ ସ୍ମୃତିରେ ଅପରେସନର ନାଁ ସିନ୍ଦୂର ରଖାଯାଇଥିଲା। ଏଥିରେ ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଥିବା ବେଳେ ୮୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି।

କର୍ଣ୍ଣେଲ ସୋଫିୟା କ୍ୟୁରେଶୀ କିଏ?

କ୍ରପ୍ସ ଅଫ ସିଗ୍ନାଲର ଲେଫ୍ଟନାଣ୍ଟ କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ୨୦୧୬ରେ ଇତିହାସ ରଚିଥିଲେ। ସେ ପ୍ରଥମ ମହିଳା ଅଧିକାରୀ ଭାବେ ଫୋର୍ସ ୧୮ରେ ଭାରତୀୟ ସେନାର ଟ୍ରେନିଂ କଣ୍ଟିଜେଣ୍ଟର ନେତୃତ୍ୱ ନେଇଥିଲେ। ୧୮ଟି ଦେଶ ମିଳିତ ଭାବେ କରିଥିବା ସମରାଭ୍ୟାସରେ ଭାରତର ନେତୃତ୍ୱ କର୍ଣ୍ଣେଲ କ୍ୟୁରେଶୀଙ୍କ ହାତରେ ରହିଥିଲା। ମାତ୍ର ୩୫ ବର୍ଷ ବୟସରେ କ୍ୟୁରେଶୀ ସମରାଭ୍ୟାସରେ ଭାଗ ନେଇଥିବା ସମସ୍ତ ଦେଶଗୁଡ଼ିକ ମଧ୍ୟରେ ଏକମାତ୍ର ମହିଳା କଣ୍ଟିଜେଣ୍ଟ କମାଣ୍ଡର ଥିଲେ।

୨୦୧୬ ମାର୍ଚ୍ଚ ୨ରୁ ୮ ଯାଏ ପୁଣେରେ ସାମରିକ ଅଭ୍ୟାସର ଆୟୋଜନ ପୁଣେ ଠାରେ ହୋଇଥିଲା। ଏଥିରେ ଏସିଆନ ଦେଶ ଗୁଡ଼ିକ ସମେତ ରୁଷ, ଆମେରିକା, ଦକ୍ଷିଣ କୋରିଆ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ରାଷ୍ଟ୍ର ସାମିଲ ହୋଇଥିଲେ। ଏହି ସମାରାଭ୍ୟାସରେ ଭାରତର ନେତୃତ୍ୱ କ୍ୟୁରେଶୀ ନେଇଥିଲେ।

ଶାନ୍ତି ପ୍ରତିଷ୍ଠା ଅପରେସନରେ ଟ୍ରେନିଂ ଇନପୁଟ ଦେବା ତାଙ୍କର ପ୍ରମୁଖ କାମ। ଏହି କାମ ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଜଡ଼ିତ। କାରଣ ତାଙ୍କ ଜେଜେବାପାଙ୍କ ଠାରୁ ଆରମ୍ଭ କରି ସ୍ୱାମୀଙ୍କ ଯାଏ ସମସ୍ତେ ଭାରତୀୟ ସେନାରେ ସାମିଲ ହୋଇ ଦେଶର ସେବା କରିଛନ୍ତି।

କର୍ଣ୍ଣେଲ ସୋଫିଆ କ୍ୟୁରେଶୀ ୧୯୯୦ ମସିହାର କମିଶନଡ ଅଫିସର ଯିଏ ୩ ଦଶନ୍ଧିରୁ ଅଧିକ ସମୟ ହେଲା ଭାରତୀୟ ସେନାରେ କାମ କରୁଛନ୍ତି। ସେ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ସାହାସ ପାଇଁ ସବୁବେଳେ ପ୍ରଶଂସିତ ହୋଇ ଆସିଛନ୍ତି। ଏହି ଦୀର୍ଘ ବର୍ଷର ସେବା ମଧ୍ୟରେ ସେ ଅନେକ ପଦପଦବୀରେ ରହିଛନ୍ତି।

୨୦୦୬ରେ କଙ୍ଗୋ ଶାନ୍ତି ପ୍ରତିଷ୍ଠା ମିଶନରେ ସେ ଭାରତର ପ୍ରତିନିଧିତ୍ୱ କରି ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନିଜ ଭିତରେ ଥିବା ଦେଶଭକ୍ତିରେ ଅନୁପ୍ରାଣିତ ହୋଇ ଚାଲିଥିବା କର୍ଣ୍ଣେଲ କ୍ୟୁରେଶୀ ସବୁବେଳେ ଯୁବ ମହିଳାମାନଙ୍କ ଭାରତୀୟ ସେନାରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରି ଚାଲିଛନ୍ତି।

ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ କିଏ?

ଏକାଧିକ ବିପଦପୂର୍ଣ୍ଣ ଫ୍ଲାଇଂ ଅପରେସନରେ ନିଜ ଦକ୍ଷତା ଦେଖାଇ ସାରିଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହ। ସେ ଭାରତୀୟ ବାୟୁ ସେନାର ଜଣେ ପରିଚିତ ନାଁ। ଉତ୍ତର ପୂର୍ବ ରାଜ୍ୟରେ ଭୟଙ୍କର ବନ୍ୟା ବେଳେ ସେ ଦେଖାଇଥିବା ସାହାସ ସମସ୍ତଙ୍କୁ ଆଚମ୍ବିତ କରିଥିଲା। ଏଥିପାଇଁ ତାଙ୍କୁ ସମ୍ମାନୀତି ମଧ୍ୟ କରାଯାଇଥିଲା। ୨୦୦୪ରେ ସେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିଲେ। ହେଲିକପ୍ଟରୀ ଉଡ଼ାଣରେ ୱିଙ୍ଗ କମାଣ୍ଡର ବ୍ୟୋମିକା ସିଂହଙ୍କ ଯଥେଷ୍ଟ ଅଭିଜ୍ଞତା ରହିଛି। ସେ ଚେତକ ଓ ଚିତା ଭଳି ହେଲିକପ୍ଟର ଉଡ଼ାଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ୨୦୧୭ରେ ତାଙ୍କୁ ୱିଙ୍ଗ କମାଣ୍ଡର ଭାବେ ପଦୋନ୍ନତି ମିଳିଥିଲା।

ସ୍କୁଲ ବେଳରୁ ୱିଙ୍ଗ କମାଣ୍ଡ ବ୍ୟୋମିକା ଆକାଶରେ ଉଡ଼ିବାକୁ ମନ ବଳାଇଥିଲେ। ଏହି ସ୍ୱପ୍ନ ତାଙ୍କୁ ଭାରତୀୟ ବାୟୁ ସେନା ପ୍ରତି ଆକୃଷ୍ଟ କରିଥିଲେ। ତାଙ୍କ ନାଁ ବ୍ୟୋମିକା ହିଁ ସବୁ କିଛି ବୟାନ କରୁଛି। ଏହି ନାଁର ଅର୍ଥ ଯିଏ ସବୁବେଳେ ଆକାଶରେ ରହେ ବା ଆକାଶର ଝିଅ। ପିଲାଟି ବେଳକୁ ଆକାଶରେ ଉଡ଼ିବାକୁ ଚାହୁଁଥିବା ବ୍ୟୋମିକା ନିଜ ସ୍ୱପ୍ନ ପୂରଣ କରିବା ପାଇଁ ଏନସିସିରେ ଯୋଗଦେଇଥିଲେ ଓ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।

ସେ ତାଙ୍କ ପରିବାରର ପ୍ରଥମ ସଦସ୍ୟ ଭାବେ ଯିଏ ଭାରତୀୟ ସେନାରେ ଯୋଗ ଦେଇଛନ୍ତି। ପ୍ରଥମେ ବ୍ୟୋମିକା ହେଲିକପ୍ଟର ପାଇଲଟ ଭାବେ ଭାରତୀୟ ବାୟୁ ସେନାରେ ଯୋଗ ଦେଇଥିଲେ। ୨୦୧୯ ଡିସମେମ୍ବର ମାସରେ ଫ୍ଲାଇଂ ବ୍ରାଞ୍ଚରେ ସ୍ଥାୟୀ ନିଯୁକ୍ତି ପାଇଥିଲେ। ବ୍ୟୋମିକା ୨୫୦୦ରୁ ଅଧିକ ଘଣ୍ଟା ବିମାନ ଉଡ଼ାଇ ସାରିଥିବା ବେଳେ ଅନେକ ମିଶନରେ ସାମିଲ ହୋଇଛନ୍ତି।

Terror Attack Jammu Kashmir Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe