Advertisment

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ: କେମିତି ଥିଲା ସୁରକ୍ଷା ଡ୍ରିଲ?

ଡ୍ରିଲ ବେଳେ ୯ରୁ ୯.୩୦ ଯାଏ ପୂରା ଅଞ୍ଚଳକୁ ଅନ୍ଧାର କରାଯାଇଥିଲା। ଉକ୍ତ ଡ୍ରିଲ ୧୯୭୧ ମସିହା ଯୁଦ୍ଧ କଥା ମନେପକାଇ ଦେଇଛି।

War

War

Advertisment

ପାକିସ୍ତାନ ସହ ବିବାଦ ଚମର ସୀମାରେ ରହିଥିବା ବେଳେ ସମଗ୍ର ଦେଶରେ ସୁରକ୍ଷା ଡ୍ରିଲ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ସାଧାରଣ ନାଗରିକ ଓ ଶିକ୍ଷାର୍ଥୀଙ୍କୁ ଯୁଦ୍ଧ ସମୟର ଆକ୍ରମଣକୁ ମୁକାବିଲା ପାଇଁ ପ୍ରଭାବଶାଳୀ ତାଲିମ ଦିଆଯିବ। ପହଲଗାମ ନରସଂହାର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଚରମସୀମାରେ ରହିଛି। ବିବାଦ ମଧ୍ୟରେ ପାକିସ୍ତାନ ଏଲଓସିରେ କ୍ରମାଗତ ୧୨ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ପାକିସ୍ତାନକୁ ଉଚିତ ଜବାବ ଦେବାକୁ ଭାରତ ସରକାର ପ୍ରସ୍ତୁତ ହେଉଥିବା ବେଳେ ସାଧାରଣ ଲୋକଙ୍କୁ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ତାଲିମ ନେବାକୁ କୁହାଯାଇଛି।

Advertisment

୧୯୭୧ ମସିହା ପରେ ପ୍ରଥମଥର ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶବ୍ୟାପୀ ସିଭିଲ ଡିଫେନ୍ସ ଡ୍ରିଲ ପାଇଁ ନିର୍ଦ୍ଦେଶ ଦେଇଛି। ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା। ଦୁଇ ସପ୍ତାହ ଧରି ଚାଲିଥିବା ୧୯୭୧ ମସିହା ଯୁଦ୍ଧ ପାକିସ୍ତାନକୁ ଦୁଇ ଭାଗ କରିଥିଲା। ପୂର୍ବ ପାକିସ୍ତାନ ଯୁଦ୍ଧ ପରେ ବାଂଲାଦେଶ ନାଁରେ ନାମିତ ହୋଇଥିଲା।

୧୯୯୯ କାର୍ଗିଲ ଯୁଦ୍ଧରେ ଭାରତ ଓ ପାକିସ୍ତାନ ସୀମାରେ ମୁହାଁମୁହିଁ ହୋଇଥିଲେ। ସେହିପରି ୨୦୦୧-୨୦୦୨ରେ ଭାରତ ସୀମାରେ ଅପରେସନ ପରାକ୍ରମ ମଧ୍ୟ ଆରମ୍ଭ କରିଥିଲା। ୨୦୦୧ ସଂସଦ ଆକ୍ରମଣ ପରେ ଭାରତ ସୀମାରେ ସୁରକ୍ଷା ମୁତୟନ କରିବା ସହ ପାକିସ୍ତାନକୁ ପାନେ ଦେବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ଏତେ ବିବାଦ ମଧ୍ୟରେ ମଧ୍ୟ ସାଧାରଣ ପ୍ରତିରକ୍ଷା ଅଭ୍ୟାସ କରିବାକୁ ଲୋକଙ୍କୁ କୁହାଯାଇ ନଥିଲା। କିନ୍ତୁ ୨୦୨୫ ପହଲଗାମ ଆକ୍ରମଣ ପରେ ଭାରତ ସରକାର ଲୋକଙ୍କୁ ଆତ୍ମରକ୍ଷାର ତାଲିମ ନେବାକୁ କହିଛନ୍ତି।

Advertisment

୫୪ ବର୍ଷ ତଳେ ଯେତେବେଳେ ସାଧାରଣ ଲୋକ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଥିଲେ

୧୯୬୨ ମସିହାରୁ ସିଭିଲ ଡିଫେନ୍ସ ଚିନ୍ତାଧାରା ଆରମ୍ଭ ହୋଇଥିଲା। ୧୯୬୨ରେ ଚାଇନିଜ ଟ୍ରୁପ ବେଆଇନ ଭାବେ ଲଦାଖ ଓ ଅରୁଣାଚଳ ପ୍ରଦେଶ(ସେତେବେଳେ ନେଫା ନାଁରେ ପରିଚିତ ଥିଲା)ର ଅଧିକାଂଶ ଅଞ୍ଚଳ ଦଖଲ କରିଥିଲା। ଏହି ସମୟରେ ସିଭିଲ ଡିଫେନ୍ସ କନସ୍ପେଟ ସାମ୍ନାକୁ ଆସିଥିଲା। ସେହି ସମୟରେ ଦେଶର ବିଭିନ୍ନ ରାଜ୍ୟ ବ୍ଲାକଆଉଟର ମୁକସାଖୀ ବନିଥିଲେ।

ଏୟାର ରେଡରୁ ନିଜକୁ ରକ୍ଷା କରିବାର ତାଲିମ ନେଇଥିଲେ। ବଡ଼ବଡ଼ ଗର୍ତ୍ତ ଖୋଳା ଯାଇଥିଲା। ସେହିପରି ଆକ୍ରମଣ ସମୟରେ ଉଦ୍ଧାର କାର୍ଯ୍ୟ କେମିତି ରହିବ, ତା’ର ଯୋଜନା କରାଯାଇଥିଲା। ଦିଲ୍ଲୀ ଭଳି ସହରର ଲୋକମାନଙ୍କୁ ମଧ୍ୟ ମହମବତୀ ନ ଲଗାଇବାକୁ କୁହାଯାଇଥିଲା। କାରଣ ଏହା ଶତ୍ରୁ ପକ୍ଷର ଯୁଦ୍ଧ ବିମାନକୁ ରାସ୍ତା ଦେଖାଇବାରେ ସହାୟତା କରିବାର ଆଶଙ୍କା ରହିଥିଲା। ଅବଶ୍ୟ ଚାଇନା କେବେ ହେଲେ ଆକାଶ ପଥରେ ଭାରତକୁ ଆସି ନଥିଲା।

ଭାରତକୁ ସମାନ ଆକ୍ରମଣର ଭୟ ୩ ବର୍ଷ ପରେ ଅର୍ଥାତ ୧୯୬୫ରେ ଓ ଏହାର ୬ ବର୍ଷ ଅର୍ଥାତ ୧୯୭୧ରେ ମଧ୍ୟ ଘାରିଥିଲା।

୧୯୭୧ରେ ପାକିସ୍ତାନ ଆର୍ମି ପୂର୍ବ ପ୍ରାନ୍ତରେ ରହୁଥିବା ନିଜ ଦେଶର ବେଙ୍ଗଲୀ ଭାଷା କହୁଥିବା ଲୋକଙ୍କ ଉପରେ ଭୟଙ୍କର ନିର୍ଯାତନା ଆରମ୍ଭ କରିଥିଲା। ପାକିସ୍ତାନ ଆର୍ମିର ନିର୍ଯାତନା ବିରୋଧରେ ୧୯୭୧ରେ ସ୍ୱର ଉଠିଥିଲା। ସେହିପରି ଭୟରେ ଅନେକ ଲୋକ ପୂର୍ବ ପାକିସ୍ତାନ ଛାଡ଼ି ଭାରତରେ ପ୍ରବେଶ କରିଥିଲେ। ଏଥିଯୋଗୁ ଭାରତରେ ମାନବୀୟ ସଙ୍କଟ ଦେଖାଯାଇଥିଲା।

୧୯୭୧ର ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କେବଳ ଭାରତୀୟ ସେନା ନୁହନ୍ତି, ସାଧାରଣ ଲୋକଙ୍କୁ ମଧ୍ୟ ସମସ୍ତ ପ୍ରକାରର ଭୟଙ୍କର ଆକ୍ରମଣର ମୁକାବିଲା କରିବା ପାଇଁ ତାଲିମ ଦିଆଯାଇଥିଲା। ୧୯୭୧ରେ ମୁମ୍ବାଇ(ସେତେବେଳେ ବମ୍ବେ)ର ଲୋକମାନେ ୧୩ ଦିନ କାଳ ଲାଇଟ ବନ୍ଦ କରି ରଖିଥିଲେ। ବମ୍ବେ ଭାରତର ଆର୍ଥିକ ରାଜଧାନୀ ହୋଇଥିବାରୁ ଏହା ପାକିସ୍ତାନର ଟାର୍ଗେଟରେ ରହିଥିଲା।

୧୯୭୧ରେ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ମାଇକେଲ ପାଟରାଓ ନିଜ ସ୍ମୃତି ସମ୍ପର୍କରେ ଡେକାନ ହେରାଲ୍ଡରେ ଗୋଟିଏ ସମ୍ଭ ଲେଖିଥିଲେ। ଏଥିରେ ସେ କହିଛନ୍ତି, “୧୯୭୧ ସମୟରେ ମୁଁ ପଢ଼ୁଥିବା ସାନ୍ତାକ୍ରୁଜର ସେଣ୍ଟ ଆନ୍ଥୋନୀ ହାଇସ୍କୁଲରେ ମକ ଡ୍ରିଲ ହେଉଥିଲା। ଏୟାର ପୋର୍ଟର ନିକଟରେ ଏହା ରହିଥିଲା। ତେଣୁ ଶତ୍ରୁ ପକ୍ଷରୁ ସମ୍ଭାବ୍ୟ ଟାର୍ଗେଟ ଆଶଙ୍କାକୁ ଏଡ଼ାଇ ଦିଆଯାଉ ନଥିଲା। ସାଇରନ(ସ୍କୁଲ ବେଲ) ବାଜିବା ମାତ୍ରେ ଆମକୁ ଚର୍ଚ୍ଚ ଭିତରକୁ ଦୌଡ଼ିବାକୁ କୁହାଯାଇଥିଲା। ଆମେ ମଧ୍ୟ ମକ ଡ୍ରିଲ ସାଇରନ ଶୁଣି ବାରମ୍ବାର ଚର୍ଚ୍ଚ ଭିତରକୁ ଦୌଡ଼ୁଥିଲୁ।”

ବମ୍ବେରେ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡର ମୁଖ୍ୟାଳୟ ରହିଥିଲା। ଏହାକୁ ପାକିସ୍ତାନ ରଣନୀତିଗତ ଟାର୍ଗେଟ ଭାବେ ବିବେଚନା କରାଯାଉଥିଲା। ଟାଇମ୍ସ ଅଫ ଇଣ୍ଡିଆର ଗୋଟିଏ ସମ୍ଭରେ କୁହାଯାଇଛି ଯେ ୧୯୭୧ ମସିହା ବେଳେ ଗାଡ଼ିଗୁଡ଼ିକର ହେଡଲାଇଟକୁ ଧୁଷର ରଙ୍ଗର କାଗଜରେ ଢଙ୍କା ଯାଉଥିଲା। ମଧ୍ୟାହ୍ନ ସମୟରେ ବାହାଘର ଅନୁଷ୍ଠିତ ହେଉଥିଲା ଓ ବାରମ୍ବାର ମକ ଡ୍ରିଲ କରି ଲୋକଙ୍କୁ ତାଲିମ ଦିଆଯାଉଥିଲା।

ମୁମ୍ବାଇର ଗୋଟିଏ ଏୟାର ଡ୍ରିଲ ଭିଡିଓରେ ଦେଖାଯାଉଛି ଯେ ଏୟାର ରେଡ ସାଇରନ ବାଜିବା ମାତ୍ରେ ଲୋକମାନେ ଗୋଟିଏ ବସ୍‌ରୁ ଓହ୍ଲାଉଛନ୍ତି ଓ ମୁଣ୍ଡକୁ କଭର କରି ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି। ଅନେକ ସ୍ଥାନୀୟ ଅଞ୍ଚଳରେ ଥିବା ଆଶ୍ରୟ ସ୍ଥଳର ଭିତରେ ଆତ୍ମରକ୍ଷା ପାଇଁ ଚେଷ୍ଟା କରୁଥିବା ଦେଖାଯାଉଛି।

ଦିଲ୍ଲୀ ସମେତ ଏକାଧିକ ରାଜ୍ୟରେ ଏଭଳି ଘଟଣା ୧୯୭୧ରେ ଦେଖାଯାଇଥିଲା। ଭେଟରାନ ସାମ୍ବାଦିକ ଏମଆର ନାରାୟଣ ସ୍ୱାମୀ ଲେଖିଛନ୍ତି, “ ଦକ୍ଷିଣ ଦିଲ୍ଲୀର ନେତାଜୀ ନଗର ଠାରେ ଥିବା ଆମର ଦୁଇ ରୁମ ବିଶିଷ୍ଟ ସରକାରୀ ଘର ଆଗରେ ଏଲ ଆକାରର ଗର୍ତ୍ତ ଖୋଳା ଯାଇଥିଲା। ପାକିସ୍ତାନ ଏୟାର ଷ୍ଟ୍ରାଇକ ବେଳେ ଲୋକମାନେ ସେଠାରେ ଜୀବନ ରକ୍ଷା ପାଇଁ କେମିତି ଆଶ୍ରୟ ନେବେ, ତା’ର ତାଲିମ ଦିଆଯାଇଥିଲା।

କିଛି ହାତ ଗଣତି ସରକାରୀ କର୍ମଚାରୀଙ୍କ ଘରକୁ ଛାଡ଼ି ବାକି ସମସ୍ତଙ୍କୁ ସେମାନଙ୍କ ଝରକାରେ ଧୁଷର କିମ୍ବା କଳା ରଙ୍ଗର କାଗଜ ଲଗାଇବାକୁ କୁହାଯାଇଥିଲା। ଏହାଦ୍ୱାରା ପାକିସ୍ତାନୀ ପାଇଲଟଙ୍କୁ ସେଠାରେ କେହି ରହୁଥିବା ଦେଖାଯିବ ନାହିଁ। ଏହାକୁ ବ୍ଲାକଆଉଟ କୁହାଯାଉଥିଲା। ଭାରତ-ପାକିସ୍ତାନ ତିକ୍ତତା ଆରମ୍ଭ ହେବା ପୂର୍ବରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିଲା।”

୧୯୬୮ ସିଭିଲ ଡିଫେନ୍ସ ଆକ୍ଟ ଭାରତରେ ସାଧାରଣ ପ୍ରତିରକ୍ଷା ବ୍ୟବସ୍ଥାର ମୂଳଦୁଆ ପକାଇଥିଲା। ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ, ଯେକୌଣସି ଲୋକ, ସମ୍ପତ୍ତି, ସ୍ଥାନକୁ ଭୟଙ୍କର ଆକ୍ରମଣରୁ ରକ୍ଷା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରିବା। ଆକାଶ, ସ୍ଥଳ ଓ ଜଳ କିମ୍ବା ଯେକୌଣସି ପ୍ରକାରର ଆକ୍ରମଣକୁ ପ୍ରତିହିତ ପାଇଁ ତାଲିମ ନେବା। ଆଇନ ବଳରେ ସିଭିଲ ଡିଫେନ୍ସ କର୍ପସ ପ୍ରତିଷ୍ଠା ହୋଇଥିଲା। ଏହା ଏକ ସ୍ୱେଚ୍ଛାସେବୀ ସଂଗଠନ। ସାଧାରଣ ପ୍ରତିରକ୍ଷା ଆବଶ୍ୟକତାକୁ ପୂରଣ କରିବା ହେଉଛି ଏହାର ଉଦ୍ଦେଶ୍ୟ।

ପଞ୍ଜାବର ଫିରୋଜପୁରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ସୋମବାର ଗୋଟିଏ ବ୍ଲାକଆଉଟ ଡ୍ରିଲ କରାଯାଇଥିଲା। ଡ୍ରିଲ ବେଳେ ୯ରୁ ୯.୩୦ ଯାଏ ପୂରା ଅଞ୍ଚଳକୁ ଅନ୍ଧାର କରାଯାଇଥିଲା। ଉକ୍ତ ଡ୍ରିଲ ୧୯୭୧ ମସିହା ଯୁଦ୍ଧ କଥା ମନେପକାଇ ଦେଇଛି। କ୍ୟାଣ୍ଟନମେଣ୍ଟ ବୋର୍ଡ ଅଫିସର ପଞ୍ଜାବ ରାଜ୍ୟ ବିଜୁଳି କର୍ପୋରେସନ ଲିଃକୁ ଡ୍ରିଲ ସମୟରେ ବିଜୁଳି କାଟ କରିବାକୁ କହିଥିଲେ। ସେହି ଅନୁସାରେ ସବୁ ପ୍ରକାରର ପଦକ୍ଷେପ ନିଆଯାଇଥିଲା।

୧୯୭୧ରେ କ’ଣ ହୋଇଥିଲା?

୧୯୭୧ ମସିହା ଡିସେମ୍ବର ୩ରେ ପ୍ରଧାନମନ୍ତ୍ରର ଇନ୍ଦିରା ଗାନ୍ଧି ଗୋଟିଏ ରେଡିଓ ବାର୍ତ୍ତା ଦେଇଥିଲେ। ଏଥିରେ ସେ କହିଥିଲେ ଯେ ପାକିସ୍ତାନ ପକ୍ଷରୁ ଅମୃତସର, ପଠାନକୋଟ, ଉତ୍ତରଲାଇ, ଯୋଧପୁର, ଶ୍ରୀନଗର, ଅବନ୍ତିପୁରା, ଆଗ୍ରା ଓ ଅମ୍ବାଲା ସ୍ଥିତ ଏକାଧିକ ଫରୱାର୍ଡ ଅପରେଟିଂ ବେସରେ ବୋମା ମାଡ଼ କରାଯାଇଛି। ଏହାପରେ ପ୍ରଧାନମନ୍ତ୍ରୀ ଗାନ୍ଧି ପାକିସ୍ତାନ ବିପକ୍ଷରେ ଯୁଦ୍ଧ ଘୋଷଣା କରୁଥିବା କଥା ସମଗ୍ର ଦେଶକୁ ଜଣାଇଥିଲେ।

ଯୁଦ୍ଧ ଘୋଷଣାର ୧୩ ଦିନ ପରେ ଅର୍ଥାତ ଡିସେମ୍ବର ୧୬ରେ ୯୩ ହଜାର ପାକିସ୍ତାନ ସୈନ୍ୟ ଢାକାରେ ଆତ୍ମସମର୍ପଣ କରିଥିଲେ। ଏହି ସମୟରେ ପଶ୍ଚିମ ପ୍ରାନ୍ତରେ ଅସ୍ତ୍ରବିରତି ଲାଗୁ ହୋଇଥିଲା। ପାକିସ୍ତାନର ଆତ୍ମସମର୍ପଣ ସହ ୨ ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ ହୋଇଥିଲା।

ଫିରୋଜପୁର ୧୯୬୫ ଓ ୧୯୭୧ରେ ଯୁଦ୍ଧର ସାମ୍ନା କରିଥିଲା। ଦ୍ୱିତୀୟ ମରାଠା ଲାଇଟ ଇନଫାଣ୍ଟ୍ରୀ ଫିରୋଜପୁରର ହୁସାଇନିୱାଲା ଠାରେ ପାକିସ୍ତାନ ବ୍ରିଗେଡ ବିରୋଧରେ ଲଢ଼େଇ କରିଥିଲା।

Terror Attack India Pakistan War Pahalgam Civil Defence Drills
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe