Advertisment

ପୁଣି ବିଗିଡ଼ିଲା ମଣିପୁର ସ୍ଥିତି: ମିଲିଟାରୀ ବେଶରେ ଆସି ୩ ଜଣଙ୍କୁ ଗୁଳି, ବିଧାୟକଙ୍କ ଘର ଉପରକୁ ଗ୍ରେନେଡ ମାଡ଼

ଖାକି ବର୍ଦ୍ଦିରେ କମ୍ବିଂ ଅପରେସନ କରୁଥିବା କହି କିଛି ଲୋକ ମଣିପୁରର ଖୋକେନ ଗାଁରେ ପଶିବା ସହ ୩ ଜଣଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧା ଥିବା ଜଣାଯାଇଛି।

Manipur

Manipur

Advertisment

ଥମୁନି ହିଂସା। ଏବେବି ଜଳୁଛି ମଣିପୁର, ଅକାଳରେ ଚାଲି ଯାଉଛି ବହୁ ନୀରିହଙ୍କ ଜୀବନ । ହିଂସା ଯୋଗୁଁ ମଣିପୁରରେ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ଖାକି ବର୍ଦ୍ଦିରେ କମ୍ବିଂ ଅପରେସନ କରୁଥିବା କହି କିଛି ଲୋକ ମଣିପୁରର ଖୋକେନ ଗାଁରେ ପଶିବା ସହ ୩ ଜଣଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ବୃଦ୍ଧା ଥିବା ଜଣାଯାଇଛି। ସେହିପରି ବିଜେପି ବିଧାୟକ ଏସ୍‌ କେବିଙ୍କ ବାସଭବନ ଉପରକୁ ଗ୍ରେନେଡ୍‌ ମାଡ଼ ହୋଇଥିବା ଜଣାଯାଇଛି। 

Advertisment

ବୃଦ୍ଧାଜଣକ ଗାଁ ନିକଟ ଏକ ଚର୍ଚ୍ଚରେ ଗତ ରାତିରେ ଆଶ୍ରୟ ନେଇଥିବା ବେଳେ ତାଙ୍କୁ କରି ହତ୍ୟା କରାଯାଇଛି। ଅନ୍ୟ ୨ ଜଣ ସକାଳୁ ସକାଳୁ ସଉଦା ଆଣିବାକୁ ଏକ ଅଟୋରେ ନିକଟସ୍ଥ ଗାଁକୁ ଯାଉଥିବା ବେଳେ ସେମାନେ ଗୁଳି ମାଡ଼ର ଶିକାର ହୋଇଥିଲେ।  

 ଏହି ହତ୍ୟାକାଣ୍ଡ ଘଟାଇଥିବା ଗନ୍‌ମ୍ୟାନ୍‌ ମିଲିଟାରୀ ଡ୍ରେସକୋଡ ପରି ଡ୍ରେସ ପିନ୍ଧିଥିବା ବେଳେ ସେମାନେ ଆସିଥିବା ଗାଡ଼ି ସେନା ବ୍ୟବହାର କରୁଥିବା ଗାଡ଼ି ପରି ଦିଶୁଥିଲା। ଗୁଳିକାଣ୍ଡ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ଖବର ପାଇ ସେନା ସେଠାରେ ପହଞ୍ଚିବା ବେଳକୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ।

Advertisment

ଗତକାଲି ବିଳମ୍ବିତ ରାତିରେ ୨ ଜଣ ଆକ୍ରମଣକାରୀ ବିଜେପି ବିଧାୟକ ଏସ୍‌ କେବିଙ୍କ ବାସଭବନ ଉପରକୁ ଗ୍ରେନେଡ୍‌ ମାଡ଼ କରିଛନ୍ତି। ବିଧାୟକଙ୍କ ଘରର ସମ୍ମୁଖ ଭାଗ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଇତିମଧ୍ୟରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ମଣିପୁର ହିଂସା ଘଟଣାରେ ୬ଟି ଏତଲା ରୁଜୁ କରିଛି ଏବଂ ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିଛି। ମଣିପୁର ହିଂସା ପଛରେ କିଛି ଷଡ଼ଯନ୍ତ୍ର ଥିବା ଅଭିଯୋଗ ସହ ମୋଟ୍‌ ୬ଟି ମାମଲାର ସିବିଆଇ ତଦନ୍ତ ହେବ। 

କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ଘଟୁ ନ ଥିବାରୁ ଆଜି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କର ମଣିପୁର ଗସ୍ତ କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂ ଓ ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ସହ ଆଲୋଚନା ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ କୁକି ଓ ମୈତେଇ ବିବାଦର ସମାଧାନର ବାଟ ବାହାର କରାଯିବ ବୋଲି ଆଶା କରାଯାଉଛି। ତେବେ ଏହି ହିସାଂକାଣ୍ଡ ପରେ  ଆସାମ ମୁଖ୍ୟମନ୍ତ୍ରୀଙ୍କ ମଣିପୁର ଗସ୍ତ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତ ଜଣାପଡ଼ି ନାହିଁ ।

ଉଲ୍ଲେଖ‌ଯୋଗ୍ୟ, ଗତ ମାସରେ ମଣିପୁରରେ ହିଂସା ହେବା ପରଠାରୁ ଏଯାବତ ୩୭୦୦ରୁ ଅଧିକ ଏତଲା ରୁଜୁ ହୋଇଛି। ଏଥିସହ ରାଜ୍ୟରେ ‌ମୋଟ ୧୦୫ ଜଣ ଲୋକଙ୍କର ମୃତ୍ୟୁ ହେଲାଣି ଏବଂ ୪୦ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ସର୍ବାଧିକ ମାମଲା ରୁଜୁ ହୋଇଛି। ମଣିପୁରରେ ଶାନ୍ତି ଫେରାଇ ଆଣିବାପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନାଗା ବିଧାୟକମାନଙ୍କ ସହ ବୈଠକ କରିଛନ୍ତି। କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ତୁରନ୍ତ ବୁଝାମଣା ପାଇଁ ପଦକ୍ଷେପ ନେବାକୁ ଶାହ ନାଗା ବିଧାୟକମାନଙ୍କୁ କହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ତୀବ୍ର ମତାନ୍ତର ଦେଖିବାକୁ ମିଳିଛି। ଫଳରେ ମଣିପୁରରେ ହିଂସା ଥମିବା ନାଁ ଧରୁନି।

Manipur Manipur Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe