/odisha-reporter/media/post_attachments/uploadimage/library/16_9/16_9_0/IMAGE_1752235015.jpg)
Minister Sanjay Shirsat
ଅକଳରେ ପଡ଼ିଛନ୍ତି ମହାରାଷ୍ଟ୍ରରର ବିଜେପି ନେତୃତ୍ୱାଧୀନ ମେଣ୍ଟ ସରକାର। ସରକାରଙ୍କ ଜଣେ ମନ୍ତ୍ରୀଙ୍କୁ ଆୟକର ବିଭାଗ ପକ୍ଷରୁ ନୋଟିସ୍ ପଠାଯିବାର ଦିନକ ପରେ ଆଜି ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କୁ ଟଙ୍କା ଭର୍ତ୍ତି ବ୍ୟାଗ୍ ସହିତ ଦେଖିବାକୁ ମିଳିଛି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରିଛି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା।
ବିବାଦ ମଧ୍ୟକୁ ଆସିଥିବା ମହାରାଷ୍ଟ୍ରର ଏହି ମନ୍ତ୍ରୀଙ୍କ ନାଁ ସଞ୍ଜୟ ଶିରସାଟ। ସେ ଔରାଙ୍ଗାବାଦ (ୱେଷ୍ଟ) ଆସନରୁ ବିଜୟୀ ହୋଇ ବିଧାନସଭାକୁ ଆସିଛନ୍ତି। ସେ ହେଉଛନ୍ତି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାର ନେତା। ଗତ ୫ ବର୍ଷରେ (୨୦୧୯ରୁ ୨୦୨୪ ମଧ୍ୟରେ) ତାଙ୍କର ସଂପତ୍ତିରେ ଅହେତୁକ ବୃଦ୍ଧି ଘଟିଥିବାରୁ ଆୟକର ବିଭାଗ ଗତକାଲି ତାଙ୍କୁ ନୋଟିସ୍ ଜାରି କରିଥିବା ବେଳେ ଆଜି ତାଙ୍କର ଭିଡିଓ ଭାଇରାଲ ହୋଇଛି।
ଏହି ଭାଇରାଲ ଭିଡିଓରେ ସେ ଏକ ରୁମ୍ରେ ବେଡ୍ ଉପରେ ବସି ସିଗାରେଟ୍ ଟାଣୁଛନ୍ତି। କୁକୁରଟିଏ ରୁମ୍ରେ ବୁଲାବୁଲି କରୁଛି। ରୁମ୍ର ଗୋଟିଏ ସ୍ଥାନରେ ଏକ ବଡ଼ ଟ୍ରଲି ବ୍ୟାଗ ଖୋଲା ହୋଇପଡ଼ିଛି। ସେଥିରେ ବିଡ଼ା ବିଡ଼ା ନୋଟ୍ ଥିବା ଦେଖିବାକୁ ମିଳିଛି। ତା’ ସହିତ ସେହି ରୁମ୍ରେ ଆଉ ଏକ ଟ୍ରଲି ବ୍ୟାଗ ମଧ୍ୟ ଥିବା ଦେଖିବାକୁ ମିଳିଛି।
ଟଙ୍କା ବ୍ୟାଗକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ମନ୍ତ୍ରୀ ସଞ୍ଜୟ ଶିରସାଟ କହିଛନ୍ତି, ମୁଁ ଏକ ଗସ୍ତରୁ ଫେରିଥିଲି। ମୁଁ ପୋଷାକ ଖୋଲି ମୋ ବେଡ୍ରୁମ୍ରେ ବସିଥିଲି। ମୋ ପୋଷା କୁକୁରଟି ମୋ ସହିତ ଥିଲା। ବୋଧହୁଏ ସେହି ସମୟରେ କେହି ଏହି ଭିଡିଓ ଉତ୍ତୋଳନ କରିଥିବେ। ମୁଁ ଟଙ୍କା ବିଷୟରେ କିଛି ଜାଣେ ନାହିଁ। ଯଦି ମୋର ଏତେ ଟଙ୍କା ଥାଆନ୍ତା, ମୁଁ ସେଗୁଡ଼ିକୁ କପ୍ବୋର୍ଡରେ ରଖିଥାଆନ୍ତି। ଆମ ପାଖରେ ମାତୋଶ୍ରୀ (ଉଦ୍ଧବ ଠାକରେଙ୍କ ବାସଭବନ) ନାହିଁ। କେହି ଜଣେ ଉକ୍ତ ଭିଡିଓ ଉତ୍ତୋଳନ କରିଛନ୍ତି। ଜାଣିଶୁଣି ସେମିତି କରାଯାଇଛି ଓ ମିଛ କଥା ପ୍ରଚାର କରାଯାଉଛି।
ଆୟକର ବିଭାଗର ନୋଟିସ୍କୁ ନେଇ ଶ୍ରୀ ଶିରସାଟ କହିଛନ୍ତି, କିଛି ଲୋକ ମୋ ନାଁରେ ଅଭିଯୋଗ କରିଛନ୍ତି। ଆୟକର ବିଭାଗ ତାକୁ ଗ୍ରହଣ କରି ମୋତେ ନୋଟିସ୍ ପଠାଇଛି। ମୁଁ ଏହାର ଜବାବ ରଖିବା ପାଇଁ ସମୟ ମାଗିଛି। ମୋ ଉପରେ କୌଣସି ଚାପ ନାହିଁ। ମୁଁ କିଛି ଭୁଲ କରି ନାହିଁ।
ଘେରିଲା ଉଦ୍ଧବ ଗୋଷ୍ଠୀ
ମନ୍ତ୍ରୀ ଶ୍ରୀ ଶିରସାଟଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ମେଣ୍ଟ ସରକାର, ବିଶେଷ କରି ବିଜେପି ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଘେରିଛି ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବ ସେନା।
ଦଳର ନେତା ସଞ୍ଜୟ ରାଉତ ଏହି ଭିଡିଓକୁ ତାଙ୍କ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି- ଏହି ରୋମାଞ୍ଚକର ଭିଡିଓଟିକୁ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ ଭାଇ ଦେଖିବା ଉଚିତ! ଦେଶରେ କ’ଣ ଚାଲିଛି! (ମହାରାଷ୍ଟ୍ରର ଜଣେ ମନ୍ତ୍ରୀଙ୍କ ଏହି ଭିଡିଓ ବହୁତ କିଛି କହୁଛି)।
ସେହିପରି ଏହି ଭିଡିଓକୁ ପୋଷ୍ଟ କରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଉଦ୍ଦେଶ୍ୟରେ ସଞ୍ଜୟ ରାଉତ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପାଇଁ ମୋତେ ଖରାପ ଲାଗୁଛି। ଆଉ କେତେ ଦିନ ସେ ଏମିତି ବସି ରହିବେ ଓ ତାଙ୍କ ଭାବମୂର୍ତ୍ତି ଖରାପ ହେଉଥିବାର ଦେଖୁଥିବେ। ଅସହାୟତାର ଅନ୍ୟନାମ- ଫଡନାଭିସ।
ଉଦ୍ଧବ ଠାକରେଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ମଧ୍ୟ ବୟାନବାଜିକୁ ଓହ୍ଲାଇଛନ୍ତି। ସେ କହିଛନ୍ତି, କେଉଁଠାରୁ ସେହି ଟଙ୍କା ଆସିଲା? କିଏ ତାଙ୍କୁ ଟଙ୍କା ଦେଲା? ଆୟକର ବିଭାଗ କିଛି କାର୍ଯ୍ୟାନୁଷ୍ଠାନ ନେବ କି? ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆମକୁ ମିଳିବା ଉଚିତ।
Shindes men on radar. Shiv Sena minister Sanjay Shirsat’s video surfaced where half opened bag with bundle of notes lying near his bed. Shirsat confirmed the authenticity of this video. Shirsat also facing inquiry in purchase of hotel at Rs 65 Cr against mkt rate of Rs120 Cr. pic.twitter.com/KW5CeiPMeu
— Sudhir Suryawanshi (@ss_suryawanshi) July 11, 2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
