/odisha-reporter/media/media_files/2025/12/17/nishad-2025-12-17-11-41-33.jpg)
ମନ୍ତ୍ରୀ ନିଶାଦ
ଉତ୍ତର ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ନିଶାଦ ଅଭଦ୍ରଙ୍କ ଭଳି ବୟାନ ଦେଇଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର(Nitish Kumar)ଙ୍କ ଓକିଲାତି କରିବା ବେଳେ ସେ ଅତ୍ୟନ୍ତ ଅଶ୍ଳୀଳ ଟିପ୍ପଣୀ କରିଛନ୍ତି। ପାଟନାରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ନୀତୀଶ କୁମାର ଜଣେ ମହିଳା ଡାକ୍ତରଙ୍କ ହିଜାବକୁ ସର୍ବସମ୍ମୁଖରେ ଭିଡ଼ି ବାହାର କରିବାକୁ ଉଦ୍ୟମ କରିଥିଲେ।
ଏହାକୁ ନେଇ ବିବାଦ ଦେଖା ଯାଇଥିବା ବେଳେ ୟୁପି ମନ୍ତ୍ରୀ ନିଶାଦ ସାଂଘାତିକ ବୟାନ ଦେଇଛନ୍ତି। ଯଦି ନୀତୀଶ କୁମାର ଆଉ କେଉଁଠିକୁ ସ୍ପର୍ଶ କରିଥାଆନ୍ତେ, ତା’ହେଲେ କ’ଣ ହୋଇଥାଆନ୍ତା ବୋଲି ସେ କଟାକ୍ଷ କରି ପ୍ରଶ୍ନ କରିଛନ୍ତି।
ସେ କହିଛନ୍ତି, “ଆରେ ଭାଇ, ସେ ମଧ୍ୟ ଜଣେ ପୁରୁଷ। ତାଙ୍କ ପଛରେ ପଡ଼ିବା କଥା ନୁହେଁ। ମୁଖା(ହିଜାବ) ଛୁଇଁ ଦେଲେ ବୋଲି ଏତେ କଥା ହୋଇଗଲା। ଯଦି ସେ ଆଉ କେଉଁଠିକୁ ଛୁଇଁ ଦେଇଥାଆନ୍ତେ, ତା’ହେଲେ କ’ଣ ହୋଇଥାଆନ୍ତା?” ଏପରି ବୟାନ ଦେବା ବେଳେ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରୁଥିବା ନିଶାଦ କଟାକ୍ଷ କରି ହସୁଥିବା ଦେଖାଯାଉଛି।
ନିଶାଦଙ୍କ ଏପରି ବୟାନକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସମାଜବାଦୀ ପାର୍ଟିର ନେତେ ସୁମୈୟା ରାଣା ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଦାଖଲ କରି ଏଫଆଇଆର ରୁଜୁ କରିବାକୁ କହିଛନ୍ତି। କଂଗ୍ରେସର ପୂର୍ବତନ ବିଧାୟକ ଅସଲମ ଶେଖ ମନ୍ତ୍ରୀ ନିଶାଦଙ୍କ ବୟାନକୁ ନିଚ ଓ ମହିଳା ବିରୋଧୀ ବୋଲି କହି ତୀବ୍ର ନିନ୍ଦା କରିଛନ୍ତି।
ସେ କହିଛନ୍ତି, “ହିଜାବ ମୁସିଲମ ମହିଳାଙ୍କ ପାଇଁ ପବିତ୍ର ସମ୍ପଦ। ଏହାକୁ ଉଲ୍ଲଙ୍ଘନ କରିବା ଆଇନ ବିରୋଧୀ। ଏହାକୁ କଟାକ୍ଷ କରିବା ନିଚ ମାନସିକତା। ଏହି ମାନସିକତା ପାଇଁ ହିଁ ମହିଳା ଓ ସଂଖ୍ୟାଲଘୁ ସଂପ୍ରଦାୟର ଲୋକମାନେ ବିଜେପି ଶାସନରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। କୁଆଡେ ଗଲା ବେଟି ବଚାଓ ବେଟି ପଢ଼ାଓ ନାରା?
ଏହା କେବଳ ଫମ୍ପା ନାରାବାଜି। କୌଣସି ଧର୍ମର ମହିଳା ଏପରି ବ୍ୟବହାର ପାଇବା ଠିକ ନୁହେଁ।” ଅସଲମ ଶେଖ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମନ୍ତ୍ରୀ ନିଶାଦଙ୍କ ଇସ୍ତଫା ଦାବି କରିଛନ୍ତି।
ବିବାଦ ବଢ଼ୁଥିବାରୁ ନିଜର ବୟାନ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ମନ୍ତ୍ରୀ ନିଶାଦ। ବୟାନ ପଛରେ ତାଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା ବୋଲି ସେ ସଫେଇ ଦେଇଛନ୍ତି।
UP Minister Sanjay Nishad’s remarks are vile and misogynistic. The hijab is sacred to Muslim women. Violating it is assault. Mocking it is despicable.
— Aslam Shaikh, INC 🇮🇳 (@AslamShaikh_MLA) December 17, 2025
This mindset is exactly why women and minorities feel unsafe under BJP’s governance, where slogans like “Beti Bachao Beti… pic.twitter.com/iUuiP3PXmd
ସେ କହିଛନ୍ତି, “ମୋର ଯେଉଁ ବୟାନ ପାଇଁ ଆଜି ବିବାଦ ସୃଷ୍ଟି କରାଯାଉଛି, ତା’କୁ ମୁଁ ବେଶ ହସି ହସି ମୋ ଭୋଜପୁରୀ ଶୈଳୀରେ ଦେଇଥିଲି। ମୋର କୌଣସି ସଂପ୍ରଦାୟ, ମହିଳା ଓ କୌଣସି ଧର୍ମ ପ୍ରତି ଖରାପ ଉଦ୍ଦେଶ୍ୟ ନଥିଲା। ମୁଁ କାହାକୁ ଅପମାନିତ କରିବାକୁ ଏପରି ବୟାନ ଦେଇ ନାହିଁ।”
ନୀତୀଶ କୁମାରଙ୍କ ହିଜାବ ବିବାଦ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳା ପରିଧାନ କରିଥିବା ହିଜାବକୁ ଟାଣି ଦେଇଥିଲେ। ପାଟନାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଏପରି ଘଟଣା ଘଟିଥିଲା। ୭୪ ବର୍ଷୀୟ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ପ୍ରଥମେ ମହିଳା ଆୟୁଷ ଡାକ୍ତରଙ୍କୁ ଗୋଟିଏ ପ୍ରମାଣପତ୍ର ଦେଇଥିଲେ।
ଏହି ସମୟରେ ସ୍ମିଥ ହାସ୍ୟ ଦେଇ ସେ ମହିଳାଙ୍କୁ ହିଜାବ ହଟାଇବାକୁ କହିଥିଲେ। ମହିଳା ଡାକ୍ତର କୌଣସି ପ୍ରତିକ୍ରିୟା ଦେବା ପୂର୍ବରୁ ନୀତୀଶ କୁମାର ତାଙ୍କ ହିଜାବକୁ ଭିଡ଼ି ଦେଇଥିଲେ। ଫଳରେ ତାଙ୍କ ମୁହଁ ଓ ଗାଲ ଦେଖାଯାଇଥିଲା।
ନୀତୀଶ କୁମାରଙ୍କ ଏପରି କାଣ୍ଡକୁ ଦେଖି ଷ୍ଟେଜ ଉପରେ ଥିବା କିଛି ଲୋକ ହସିଥିଲେ। ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ କିନ୍ତୁ ନୀତୀଶ କୁମାରଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ନୀତୀଶ କୁମାରଙ୍କ ଏପରି ଆଚରଣକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
