ନାବାଳିକା ଝିଅକୁ ଘରେ ନ ପାଇ କ୍ରୋଧିତ ହୋଇଗଲେ ବାପା। ଆଉ ଝିଅ ଫେରିବା ପରେ ହିତାହିତ ଜ୍ଞାନ ହରାଇ ଘଟାଇଲେ ଜଘନ୍ୟ କାଣ୍ଡ। ଘରେ ପିଟି ପିଟି ନେଇଗଲେ ନିଜ ଝିଅର ଜୀବନ । ଏହାପରେ ପୁଲିସ୍ କବଳରୁ ବର୍ତ୍ତିବା ପାଇଁ ବ୍ୟକ୍ତିଜଣକ କିଛି ଲୋକଙ୍କ ସହାୟତାରେ ନିଜ ଝିଅର ମୃତଦେହକୁ ମାଟି ଖୋଳି ପୋତିଦେଲେ।
ଏପରି ଏକ ଜଘନ୍ୟ କାଣ୍ଡ ଝାଡ଼ଖଣ୍ଡର ପଲାମୁ ଜିଲ୍ଲାର ସାଲଟୁଆ ଗାଁରେ ଘଟିଛି। ନାବାଳିକାଜଣକ ନିଖୋଜ ହେବାର ୩ ଦିନ ପରେ ପୁଲିସ୍ ମାଟି ଖୋଳି ମୃତଦେହ ବାହାର କରିଛି। ନାବାଳିକାଙ୍କ ବାପା ଫେରାର ଥିବା ବେଳେ ପୁଲିସ୍ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରି ସାରିଛ। ଆଉ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ମୃତ ନାବାଳିକାଙ୍କ ବୟସ ୧୬ ବର୍ଷ ବୋଲି ଜଣାଯାଇଛି।
ସାଲଟୁଆ ଗାଁର ଜଣେ ନାବାଳିକା ନିଖୋଜ ଥିବା ନେଇ ଖବର ପାଇବା ପରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା। ବହୁ ଖୋଜାଖୋଜି ପରେ ମାଟି ତଳୁ ନାବାଳିକାଙ୍କ ମୃତଦେହକୁ ଗତକାଲି ଉଦ୍ଧାର କରିଥିଲା ପୁଲିସ୍। କିଛି ଦିନ ପୂର୍ବେ ଏହି ଘଟଣା ଘଟିଥିବା ପୁଲିସ୍ ଅନୁମାନ କରୁଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
ବ୍ୟକ୍ତିଜଣକ କ୍ରୋଧିତ ହୋଇ ନିଶାସକ୍ତ ଅବସ୍ଥାରେ ନିଜ ଝିଅକୁ ପିଟି ପିଟି ମାରି ଦେଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏହାପରେ କିଛି ଗ୍ରାମବାସୀଙ୍କ ସହାୟତରେ ସେ ମୃତଦେହକୁ ମାଟି ତଳେ ପୋତି ଦେଇଥିବା ତଦନ୍ତରୁ ଜଣାପଡ଼ିଛି। ପୁଲିସ୍ ୪ ଜଣଙ୍କୁ ଗିରଫ କରି ସାରିଥିବା ବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।