Advertisment

କର୍ଣ୍ଣାଟକା ବିଧାନସଭା ନିର୍ବାଚନ: ବିଜେପିରୁ ଇସ୍ତଫା ଦେଲେ ବିଧାୟକ ଏମ୍‌.ପି କୁମାରସ୍ୱାମୀ

ଟିକେଟ ନପାଇବାରୁ ବିଧାୟକ ଏମ୍‌.ପି କୁମାରସ୍ୱାମୀ ସିଧାସଳଖ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସି ଟି ରବିଙ୍କୁ ଦାୟୀ କରିଛନ୍ତି।

author-image
Jitendra Garnayak
M P Kumaraswamy

M P Kumaraswamy

କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ବୁଧବାର ରାତିରେ ବିଜେପି ତା’ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨୩ ଜଣଙ୍କ ନାଁ ରହିଛି। ତେବେ ଏହି ତାଲିକାରେ ନାଁ ନଥିବାରୁ ଦଳରୁ ଇସ୍ତଫା ଦେଇଛନ୍ତି ବିଧାୟକ ଏମ୍.ପି କୁମାରସ୍ୱାମୀ। ଏହା ସହିତ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେବା ବୋଲି ସୂଚନା ଦେଇଛନ୍ତି।

Advertisment

୨୦୧୮ରେ ମୁଡିଗେରେ ଆସନରୁ ବିଧାୟକ ହୋଇଥିଲେ କୁମାରସ୍ୱାମୀ। ଏଥର ମଧ୍ୟ ଟିକେଟ ପାଇବେ ବୋଲି ଆଶା ରଖିଥିଲେ ସେ। କିନ୍ତୁ ତାଙ୍କୁ ଦଳ ଟିକେଟ ଦେଇନି। ତାଙ୍କ ବଦଳରେ ଦୀପକ ଡୋଡାଇଆଙ୍କୁ ବିଜେପି ମୁଡିଗେରେ ଆସନରୁ ପ୍ରାର୍ଥୀ କରିଛି।

ଟିକେଟ ନପାଇବାରୁ ବିଧାୟକ ଏମ୍‌.ପି କୁମାରସ୍ୱାମୀ ସିଧାସଳଖ ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସି ଟି ରବିଙ୍କୁ ଦାୟୀ କରିଛନ୍ତି। ସି ଟି ରବିଙ୍କ ସହିତ ତାଙ୍କର ଭଲ ସମ୍ପର୍କ ନଥିବା ଯୋଗୁ ତାଙ୍କୁ ଟିକେଟ ଦିଆଯାଇ ନାହିଁ ବୋଲି କହିଛନ୍ତି ବିଧାୟକ କୁମାରସ୍ୱାମୀ।

Advertisment

ସେ କହିଛନ୍ତି, ସି ଟି ରବିଙ୍କ ଯୋଗୁ ମୋତେ ଟିକେଟ ଦିଆଯାଇନାହିଁ। ମୋତେ କେମିତି ଟିକେଟ ମିଳିବ ନାହିଁ, ସେ କଥା ସି ଟି ରବି ସୁନିଶ୍ଚିତ କରିଛନ୍ତି। ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଭାବେ ସି ଟି ରବିଙ୍କର ଏବେ ବହୁତ କ୍ଷମତା ରହିଛି। ସେ ଦଳକୁ ନଷ୍ଟ କରି ଦେବେ ବୋଲି କହିଛନ୍ତି କୁମାରସ୍ୱାମୀ।

ବିଧାୟକ କୁମାରସ୍ୱାମୀ କହିଛନ୍ତି ଯେ ସେ ତାଙ୍କ ସମର୍ଥକ ଓ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହିତ ଆଲୋଚନା କଲା ପରେ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବେ। କୁମାରସ୍ୱାମୀ ଜେଡି(ଏସ୍‌) ଟିକେଟରେ ବା ସ୍ୱାଧୀନ ପ୍ରାର୍ଥୀ ଭାବେ ଏଥର ମୁଡିଗେରେ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ହେଉଛି।

ନିକଟରେ ବିଜେପିର ବରିଷ୍ଠ ନେତା ତଥା କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦିୟୁରପ୍ପା ମୁଡିଗେରେ ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ ଦଳର ଏକ ଗୋଷ୍ଠୀ ବିଧାୟକ କୁମାରସ୍ୱାମୀଙ୍କୁ ତୀବ୍ର ବିରୋଧ କରିଥିଲେ। ଏହା ତାଙ୍କ ଟିକେଟ କଟିବାର କାରଣ ହୋଇଥାଇପାରେ ବୋଲି କୁହାଯାଉଛି। 

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ବିଜେପି ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିଲା। ଏଥିରେ ୧୮୯ ଜଣଙ୍କ ନାଁ ଥିଲା। ତେବେ ଅଥାନି ଆସନରୁ ପୁଣି ପ୍ରାର୍ଥୀ ହେବାକୁ ଆଶା ରଖିଥିବା ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାବାଡିଙ୍କ ନାଁ ତାଲିକାରେ ନଥିଲା। ସେ ଏହି ଆସନରୁ ୩ ଥର ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୦୧୮ ନିର୍ବାଚନରେ ସେ ଏହି ଆସନରେ ଛିଡ଼ା ହୋଇ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ପରାସ୍ତ ହୋଇଥିଲେ। ଆଉ ଏଥର ଟିକେଟ ନମିଳିବାରୁ ସେ ଗତକାଲି ଦଳକୁ ଅଲବିଦା କହିଛନ୍ତି।

Karnataka Karnataka Polls 2023