/odisha-reporter/media/post_attachments/uploadimage/library/16_9/16_9_0/IMAGE_1716958697.jpg)
Pune Porsche Crash
ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ଦିନକୁ ଦିନ ନୂଆ ନୂଆ ଅପ୍ଡେଟ୍ ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଛି। ଏହି ମାମଲାରେ ଜଣେ ମହାରାଷ୍ଟ୍ର ବିଧାୟକଙ୍କ ପୁଅର ସମ୍ପୃକ୍ତି ଥିବା କଂଗ୍ରେସ ଅଭିଯୋଗ ଆଣିଛି।
ମହାରାଷ୍ଟ୍ର (ବିଜେପି-ଏକନାଥ ସିନ୍ଧେଙ୍କ ଗୋଷ୍ଠୀ) ବିଧାୟକଙ୍କ ପୁଅର ଏହି ମାମଲାରେ ସମ୍ପୃକ୍ତି ରହିଛି। ଏହାକୁ ଲୁଚାଇବା ପାଇଁ ସେ ତାଙ୍କ ଶକ୍ତି ବ୍ୟବହାର କରିଛନ୍ତି ବୋଲ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ ଏହି ଅଭିଯୋଗ ଆଣିଛନ୍ତି। ଏହି ମାମଲାର ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି।
ଏଥିସହ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଓ ଅଜିତ ପଓ୍ୱାର ତାଙ୍କ ପଦରୁ ଇସ୍ତଫା ଦେବା ଉଚିତ ବୋଲି ସେ କହିଛନ୍ତି। ରାଜ୍ୟ କଂଗ୍ରେସ ମୁଖ୍ୟ ଦାବିରେ କହିଛନ୍ତି ଯେ ଦୁର୍ଘଟଣା ପରେ ବିଧାୟକ ପୁଲିସ ସହ ଯୋଗାଯୋଗ କରିଥିଲେ। ଡାକ୍ତରଙ୍କ ସହ ମଧ୍ୟ କଥା ହୋଇଥିଲେ। ତାଙ୍କୁ ରକ୍ତ ନମୁନା ବଦଳାଇବା ପାଇଁ କହିଥିଲେ। ନାବାଳକ ଅଭିଯୁକ୍ତ ପୁଣେର ଦୁଇଟି ପବ୍ ରେ ନିଜ ସାଙ୍ଗମାନଙ୍କ ସହିତ ମଦ ପିଇଥିଲେ। ଦୁର୍ଘଟଣା ସମୟରେ ଦୁଇ ନାବାଳକ ଅଭିଯୁକ୍ତ ସହ ଥିଲେ।
ଧନୀ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ରାଜନୈତିକ ହସ୍ତକ୍ଷେପ ଥିବାରୁ ସିବିଆଇ କାର ଦୁର୍ଘଟଣା ଘଟଣାର ଅନୁସନ୍ଧାନ କରିବା ଉଚିତ। ଦେବେନ୍ଦ୍ର ଫଡନାଭିସ୍ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଓକିଲ ଡିଗ୍ରୀ ବ୍ୟବହାର କରିଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ମାମଲାରେ ସ୍ପଷ୍ଟୀକରଣ ଦେବା ଉଚିତ ବୋଲି ପାଟୋଲ କହିଛନ୍ତି।
କହିରଖୁ ଯେ, ମେ' ୧୯ରେ ପୁଣେର କଲ୍ୟାଣନଗର ଅଞ୍ଚଳରେ ୧୭ ବର୍ଷ ବୟସ୍କା ଜଣେ ନାବାଳକ ପୋର୍ସ କାର୍ ଦୁର୍ଘଟଣା ଘଟାଇବା ପରେ ଦୁଇଜଣ ଆଇଟି ଇଂଜିନିୟର ପ୍ରାଣ ହରାଇଥିଲେ। ତାପରେ ଉକ୍ତ ନାବାଳକଙ୍କୁ ଗିରଫ କରାଯାଇଥିଲା।
ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ପ୍ରଥମେ ନାବାଳକଙ୍କୁ ସଡ଼କ ଦୁର୍ଘଟଣା ଉପରେ ଏକ ପ୍ରବନ୍ଧ ଲେଖିବା ସର୍ତ୍ତରେ ଜାମିନ ପ୍ରଦାନ କରିଥିଲେ। ତେବେ ଏହି ନିଷ୍ପତ୍ତିକୁ ଚାରିଆଡୁ ବିରୋଧ ପରେ ଏହାକୁ ରଦ୍ଦ କରି ନାବାଳକଙ୍କୁ ଜୁନ୍ ୨ ତାରିଖ ପର୍ଯ୍ୟନ୍ତ ବାଳ ସୁଧାର ଗୃହକୁ ପଠାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
