Advertisment

ବିଧାନସଭା ପରିସରରେ ଅଭାବନୀୟ ଦୃଶ୍ୟ: ବିକ୍ଷୋଭ କରୁଥିବା ବିଧାୟକଙ୍କୁ ଟେକିନେଲେ ସୁରକ୍ଷାକର୍ମୀ

ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସେମାନେ ବିଧାୟକମାନଙ୍କୁ ବିଧାନସଭା ବିଲଡିଂ ମଧ୍ୟରୁ ବାହାର ମଧ୍ୟ କରି ଦେଇଛନ୍ତି। ଏହି ଘଟଣାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।

author-image
Hemant Lenka
MLA

MLA

କେରଳ ବିଧାନସଭା ପରିସରରୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ବିଧାନସଭାରେ ଥିବା ବାଚସ୍ପତିଙ୍କ ଅଫିସ ବାହାରେ ବିକ୍ଷୋଭ କରୁଥିବା ବିରୋଧୀ ଦଳର ବିଧାୟକମାନଙ୍କୁ ମାର୍ଶଲମାନେ ଉଠାଇ ନେଇଛନ୍ତି। ଆନ୍ଦୋଳନକୁ ବନ୍ଦ କରିବା ପାଇଁ ସେମାନେ ବିଧାୟକମାନଙ୍କୁ ବିଧାନସଭା ବିଲଡିଂ ମଧ୍ୟରୁ ବାହାର ମଧ୍ୟ କରି ଦେଇଛନ୍ତି। ଏହି ଘଟଣାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।

Advertisment

ଆନ୍ଦୋଳନ କରୁଥିବା କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫର ବିଧାୟକମାନଙ୍କୁ ମାର୍ଶଲମାନେ ବାଚସ୍ପତି ଏଏନ ଶମଶୀରଙ୍କ ଅଫିସ ଆଗରୁ ଚାଲଯିବାକୁ କହିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଏହାପରେ ଉଭୟ ପୁରୁଷ ଓ ମହିଳା ମାର୍ଶଲମାନେ ବିଧାୟକମାନଙ୍କୁ ସେଠାରୁ ଟେକି ନେଇ ବାହାରେ ଛାଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଚଟାଣରେ ଗଡ଼ି ଏହାକୁ ବିରୋଧ କରିଥିଲେ। ତଥାପି ବିଧାନସଭାର ମାର୍ଶଲମାନେ ବିଧାୟକମାନଙ୍କୁ ସେଠାରୁ ଟେକି ନେଇ ବାହାରେ ଛାଡ଼ି ଦେଇଥିଲେ।

ବିଧାନସଭାର ବିରୋଧୀ ଦଳ ନେତା ଭିଡି ସତୀସନ କହିଛନ୍ତି, ରୀମା, ଏକେଏମ ଅର୍ଶଫ, ଟିଭି ଇବ୍ରାହିମ ଓ ଶାନୀଶ କୁମାର ଏହି ଠେଲା ପେଲା ଏବଂ ଭିଡ଼ାଭିଡ଼ରେ ଆହତ ହୋଇଛନ୍ତି। ଗୃହରେ ବିରୋଧୀଙ୍କ ସାମ୍ବିଧାନିକ ଅଧିକାରକୁ ନିୟମିତ କ୍ଷୁଣ୍ଣ କରାଯାଉଛି। ମୁଲତବୀ ନୋଟିସ ଦେଇ ଆମେ ନିକଟରେ ଜଣେ ନାବାଳିକାଙ୍କ ଉପରେ ହୋଇଥିବା ଅକଥନୀୟ ନିର୍ଯାତନା ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିଲୁ। କିନ୍ତୁ ବାଚସ୍ପତି କୌଣସି ବୈଧ କାରଣ ନ କହି ନୋଟିସକୁ ଅଗ୍ରାହ୍ୟ କରିଛନ୍ତି। ତେଣୁ ଆମେ ବିକ୍ଷୋଭ କରୁଥିଲୁ। ସୁରକ୍ଷାକର୍ମୀ ବଳପୂର୍ବକୁ ଆମକୁ ଉଠାଇ ନେଇଛି ବୋଲି ସେ କହିଛନ୍ତି।

Advertisment

ବରିଷ୍ଠ କଂଗ୍ରେସ ବିଧାୟକ ଟି ରାଧାକ୍ରିଷ୍ଣନଙ୍କୁ ଧକ୍କା ମରାଯାଇଛି ଓ ବିଧାୟକ କେକେ ରୀମାଙ୍କୁ ଚଟଣାରେ ଘୋଷାଡ଼ି ୪ରୁ ୫ ଜଣ ମହିଳା ମାର୍ଶଲ ବାହାରକୁ ନେଇଥିବା ବିରୋଧୀ ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଚାପରେ ବାଚସ୍ପତି ଏକପାକ୍ଷିଆ ଭାବେ ଗୃହ କାର୍ଯ୍ୟକୁ ପରିଚାଳନା କରୁଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଶ୍ନକୁ ଡରୁଛନ୍ତି ଓ ଅଧିବେଶନକୁ ଶେଷ କରିଦେବାକୁ ଚାହୁଁଥିବା ସତୀସନ ଅଭିଯୋଗ କରିଛନ୍ତି।

ବିରୋଧୀ ଦଳଗୁଡ଼ିକ ବିଧାନସଭାରେ ମହିଳା ସୁରକ୍ଷାକୁ ନେଇ ଆଲୋଚନା କରିବାକୁ ଚାହୁଁଥିଲେ। ହେଲେ ଏହାକୁ ବାଚସ୍ପତି ଅନୁମତି ଦେଇ ନଥିଲେ। ଏହାକୁ ନେଇ ବିରୋଧୀ ବିଭିନ୍ନ ପ୍ରକାରର ବ୍ୟାନର ଦେଖାଇବା ସହ ନାରାବାଜୀ କରିଥିଲେ।

ସେମାନେ କକ୍ଷତ୍ୟାଗ କରି ବାଚସ୍ପତିଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ଆରମ୍ଭ କରିଥିଲେ। ବିଧାୟକମାନେ ଅଫିସ ଭିତରକୁ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ମାର୍ଶଲମାନେ ସେମାନଙ୍କୁ ଅଟକାଇଥିଲେ। ଏଥିସହ ସେମାନଙ୍କୁ ଟେକି ନେଇ ବାହାର ଛାଡ଼ି ଦେଇଥିଲେ।

Kerala