Advertisment

ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା: ରାତି ଅଧରେ ମେଡିକାଲରେ ହଙ୍ଗାମା, ବ୍ୟାପକ ଭଙ୍ଗାରୁଜା

ବିରୋଧୀମାନେ ରାତି ଅଧରେ ଆରମ୍ଭ କରିଥିବା ‘reclaim the night’ ହଠାତ୍‌ ସାଂଘାତିକ ରୂପ ଧାରଣ କରିବାକୁ ଲାଗିଲା।

author-image
Niharika Rout
mobs-vandalise-emergency-gate

mobs-vandalise-emergency-gate

କୋଲକାତାର ସରକାରୀ ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ଭୟଙ୍କର ଢଙ୍ଗରେ ହତ୍ୟା ଘଟଣାକୁ ନେଇ ତେଜିଥିବା ଆନ୍ଦୋଳନ ଗତରାତିରେ ଉଗ୍ର ରୂପ ଧାରଣ କରିଛି। ବିରୋଧୀମାନେ ରାତି ଅଧରେ ଆରମ୍ଭ କରିଥିବା ‘reclaim the night’ ହଠାତ୍‌ ସାଂଘାତିକ ରୂପ ଧାରଣ କରିବାକୁ ଲାଗିଲା। ଏପରିକି ଆନ୍ଦୋଳନକାରୀମାନେ କେଆରଜି କର ମେଡିକାଲ କଲେଜରେ ପଶି ପ୍ରବଳ ଭଙ୍ଗାରୁଜା କରିବା ସହ ବହୁ ସମ୍ପତ୍ତିକୁ ନଷ୍ଟ କରିଛନ୍ତି। ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇ ଯାଇଛି।

Advertisment

ରାତି ଅଧରେ ମହିଳାଙ୍କ ସୁରକ୍ଷା ତଥା ସ୍ୱାଧୀନତା ନିମନ୍ତେ ‘reclaim the night’ ଅଭିଯାନ ଆରମ୍ଭ ହୋଇଥିଲା। ଏହାର ଅର୍ଥ ରାତିରେ ନିଜ ଅଧିକାର ହାସଲ କରିବା। ମାତ୍ର ଦେଖୁଦେଖୁ କୋଲକତାରେ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନ ଉଗ୍ର ରୂପ ଧାରଣ କରି ହିଂସାତ୍ମକ ରୂପ ନେଇଥିଲା।

ହସ୍ପିଟାଲ ବାହାରେ ପ୍ରଥମେ ଆନ୍ଦୋଳନକାରୀ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଦେଖୁଦେଖୁ ବହୁ ଲୋକ ଏକତ୍ରିତ ହୋଇ ବାରିକେଡ ଭାଙ୍ଗି ମେଡିକାଲ ଭିତରେ ପଶିଥିଲେ। ଏହାପରେ ସେମାନେ ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା କରିବା ସହ ଉପସ୍ଥିତ ଥିବା ଡାକ୍ତରଙ୍କୁ ପ୍ରବଳ ପିଟିଥିଲେ।

Advertisment

ହସ୍ପିଟାଲ ପରିସରରେ ଯେଉଁଠି ଡାକ୍ତରମାନେ ଧାରଣାରେ ବସିଥିଲେ ସେଠାରେ ବି ପ୍ରବଳ ଭଙ୍ଗାରୁଜା ହୋଇଥିଲା। ଏହାପରେ ଉତ୍ତ୍ୟକ୍ତ ଆନ୍ଦୋଳନକାରୀ ଏମରଜେନ୍ସି ୱାର୍ଡରେ ଥିବା ସମସ୍ତ ଜିନିଷକୁ ଭାଙ୍ଗିରୁଜି ଦେଇଥିଲେ। ଏପରିକି ହସ୍ପିଟାଲ ଭିତରେ ଥିବା ପୁଲିସ୍‌ ବାରିକେଡ ବି ସେମାନଙ୍କ କୋପରୁ ବର୍ତ୍ତି ପାରିନି।

କୋଲକତା ପୁଲିସ୍‌ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରାୟ ୪୦ ଅଜ୍ଞାତ ଲୋକଙ୍କ ଏକ ଗ୍ରୁପ ଆରଜି କର ମେଡିକାଲ କଲେଜରେ ପଶି ଭଙ୍ଗାରୁଜା କରିଛନ୍ତି। ସେମାନେ ଏପରି ଉଗ୍ର ରୂପ ଧାରଣ କରିଥିଲେ ଯେ ଆଖି ଆଗରେ ଯାହା ପଡ଼ିଲା ତାହାକୁ ଭଙ୍ଗାରୁଜା କରି ଦେଇଛନ୍ତି। ଏପରିକି ପୁଲିସ୍‌ ବାହନ ସମେତ ଆହୁରି ବହୁ ଗାଡ଼ିକୁ ସେମାନେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛନ୍ତି।

କୋଲକତା ପୁଲିସ୍‌ କମିଶନର ବିନୀତ ଗୋୟଲଙ୍କ ସୂଚନା ଅନୁଯାୟୀ, ହସ୍ପିଟାଲରେ ମୁତୟନ ଥିବା ପୁଲିସ୍‌ କର୍ମୀଙ୍କ ସଂଖ୍ୟା କମ୍‌ ଥିଲା । ତେଣୁ ସେମାନେ ଭିଡ଼କୁ ନିୟନ୍ତ୍ରଣ କରି ପାରି ନ ଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ୍‌ ଲାଠିଚାର୍ଜ କରିବା ସହ ଲୁହବୁହା ଗ୍ୟାସ୍‌ ସ୍ପ୍ରେ କରିଥିଲା।

ବିନୀତ ଗୋୟଲ କହିଛନ୍ତି, ଏହି ମାମଲାର ସମାଧାନ ନିମନ୍ତେ ଆମେ ସବୁ ପ୍ରକାର ଚେଷ୍ଟା କରି ଆସୁଥିଲୁ। ମାତ୍ର ଆମ ବିରୋଧରେ ମିଡିଆ ଅଭିଯାନ ଆରମ୍ଭ ହେବା ସହ ଅପପ୍ରଚାର କରାଯାଉଛି। ଆମେ ଏହି ମାମଲାର ବୈଜ୍ଞାନିକ ତଥ୍ୟ ପ୍ରମାଣକୁ ଅପେକ୍ଷା କରିଛୁ। କେବଳ ଅପପ୍ରଚାର ଆଧାରରେ ଆମେ କାହାକୁ ଗିରଫ କରିପାରିବୁନି। ମୋ’ ଅନ୍ତରଆତ୍ମା ଏହାକୁ ବିରୋଧ କରୁଛି। ଏବେ ସିବିଆଇ ଏହି ମାମଲାର ଯାଞ୍ଚ କରୁଛି। ଆମେ ଚାହୁଁଛୁ ସତ ସମସ୍ତଙ୍କ ସାମନାକୁ ଆସୁ ଓ ପ୍ରକୃତ ଦୋଷୀ ଦଣ୍ଡ ପାଉ।

ବିଜେପି ନେତା ସୁବେନ୍ଦୁ ଅଧିକାରୀ ଏହି ଘଟଣା ଉପରେ ପୋଷ୍ଟ କରି ଲେଖିଛନ୍ତି, ଆରଜି ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ସ୍ଥଳରୁ ସବୁ ପ୍ରମାଣ ନଷ୍ଟ ନିମନ୍ତେ ମମତା ବାନାର୍ଜୀ ନିଜ ଗୁଣ୍ଡା ପଠାଇଥିଲେ। ସେ ନିଜକୁ ଦୁନିଆର ସବୁଠୁ ଚତୁର ବୋଲି ଭାବନ୍ତି। ତାଙ୍କ ଗୁଣ୍ଡାମାନେ ପ୍ରଦର୍ଶନକାରୀଙ୍କ ସହ ମିଶି ମେଡିକାଲ କଲେଜରେ ପଶିଥିଲେ। ପୁଲିସ୍‌ ଏଥିପାଇଁ ବାଟ ଛାଡ଼ି ଦେଇଥିଲା। ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଆରଜି କର ମେଡିକାଲ କଲେଜରେ କ’ଣ ପାଇଁ ଏପରି ହିଂସାତ୍ମକ ପ୍ରଦର୍ଶନ ହେଲା ତାହା ସ୍ପଷ୍ଟ ଜଣାପଡ଼ୁଛି।

ଏହି ଘଟଣା ପରେ ଟିଏମସିର ମହାସଚିବ ଅଭିଷେକ ବାନାର୍ଜୀ Xରେ ପୋଷ୍ଟ କରି କହିଛନ୍ତି, ଆଜି ରାତିରେ ଆରଜି ମେଡିକାଲ କଲେଜରେ ଯାହା ଘଟିଛି ତାହା ସବୁ ସୀମା ପାର କରି ଯାଇଛି। ଏନେଇ ପୁଲିସ୍‌ କମିଶନରଙ୍କ ସହ କଥା ହୋଇଛି। ଏହି ହିଂସା ଘଟଣା ପାଇଁ ଦାୟୀ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛି।

Rape And Murder Kolkata