Advertisment

ଲାଲକିଲ୍ଲାରୁ ମୋଦିଙ୍କ ସମ୍ବୋଧନ- ୪୦ କୋଟି ଥିବାବେଳେ ସ୍ୱାଧୀନତା ପାଇଥିଲୁ, ଆଜି ତ ଆମେ ୧୪୦ କୋଟି

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ଆଜି ଆମେ ସେମାନଙ୍କ ନିକଟରେ ନତମସ୍ତକ ହୋଇ ସେମାନଙ୍କୁ ସ୍ମରଣ କରୁଛି।

author-image
Niharika Rout
ଅଦ୍ୟତନ ହୋଇଛି
pm modi

pm modi

୭୮ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିଲ୍ଲୀର ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ଆଜି ଆମେ ସେମାନଙ୍କ ନିକଟରେ ନତମସ୍ତକ ହୋଇ ସେମାନଙ୍କୁ ସ୍ମରଣ କରୁଛୁ।

Advertisment

ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ, ବଳିଦାନ ନିମନ୍ତେ ଆଜି ଆମେ ସ୍ୱାଧୀନତାର ନିଶ୍ୱାସ ନେବାକୁ ସକ୍ଷମ ହୋଇ ପାରୁଛୁ। ଏହିପରି ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କ ପ୍ରତି ଆମେ ଆମର ସମ୍ମାନ ଜଣାଇଥାଉ। ଜାତୀୟ ପ୍ରତିରକ୍ଷା ତଥା ରାଷ୍ଟ୍ର ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ତଥା ପ୍ରତିବଦ୍ଧତା ସହିତ ଦେଶକୁ ସୁରକ୍ଷା ଦେଉଥିବା ମହାନ ବ୍ୟକ୍ତିମାନେ ମଧ୍ୟ ଦେଶକୁ ନୂତନ ଉଚ୍ଚତାକୁ ନେବାକୁ ଚେଷ୍ଟା କରୁଛନ୍ତି।

ସେମାନେ ଆମର କୃଷକ ହୁଅନ୍ତୁ, ଆମର ସୈନିକ ହୁଅନ୍ତୁ କିମ୍ବା ଆମର ଯୁବବର୍ଗଙ୍କର ସାହସ ହେଉ, ଆମ ମା ଏବଂ ଭଉଣୀ ହୁଅନ୍ତୁ ସେମାନଙ୍କର ଅବଦାନ ଦେଶକୁ ଆଗକୁ ବଢ଼ିବାରେ ସହାୟତା କରୁଛି। 

Advertisment

ଦେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଆମ ଦେଶର ଜନସଂଖ୍ୟା ମାତ୍ର ୪୦ କୋଟି ଥିଲା, ଆମେ ସେତେବେଳେ ବିଦେଶୀ ଶକ୍ତି ବିରୋଧରେ ଲଢ଼ି ସ୍ୱାଧୀନତା ପାଇଥିଲୁ । ଆଜି ତ ଆମେ ୧୪୦ କୋଟିରେ ପହଞ୍ଚିଲୁଣି।

ଦିନ ଥିଲା, ଯେତେବେଳେ ଦେଶ ପାଇଁ ମରିବାକୁ ଲୋକେ ପ୍ରତିଶ୍ରୁତିବଦ୍ଧ ଥିଲେ। ମାତ୍ର ଆଜି ଦେଶ ପାଇଁ ବଞ୍ଚିବାର ଦିନ । ଯଦି ଦେଶ ପାଇଁ ମରିବାର ପାଗଳପଣ ଆମକୁ ସ୍ୱାଧୀନତା ଆଣି ଦେଇଥିଲା ତେବେ ଦେଶ ପାଇଁ ବଞ୍ଚିବାର ଆଗ୍ରହ ସମୃଦ୍ଧ ଭାରତ କରିବ । ଆମେ ସବୁବେଳେ ‘ଦେଶ ପ୍ରଥମ’ ସଙ୍କଳ୍ପ ନେଇ ସେହି ଅନୁଯାୟୀ କାମ କରୁଛୁ।

ବାଂଲାଦେଶ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ, ବାଂଲାଦେଶରେ ଅଳ୍ପସଂଖ୍ୟକଙ୍କ ସୁରକ୍ଷା ସୁନିଶ୍ଚିତ ହେବା ଉଚିତ । ଆମେ ପଡ଼ୋଶୀଙ୍କ ସୁଖ ଓ ଶାନ୍ତି ଚାହୁଁଛୁ ।

ଭାରତର ସ୍ୱର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଗଲାଣି। ଲାଲକିଲ୍ଲାରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ଦେଶର ୧୮ ହଜାର ଗାଁରେ ସମୟ ସୀମା ମଧ୍ୟରେ ବିଦ୍ୟୁତ୍‌ ସଂଯୋଗ ଦିଆସରିଛି ବୋଲି କହିଲେ ମୋଦି।

ସେ କହିଛନ୍ତି,  ଭୋକାଲ ଫର ଲୋକାଲ, ଅର୍ଥତନ୍ତ୍ରର ନୂ୍ଆ ମନ୍ତ୍ର ପାଲଟିଛି । ଗ୍ଲୋବାଲ ୱାର୍ମିଂକୁ ନେଇ ଦେଶରେ ଅନେକ କାମ ହୋଇଛି । ପୂର୍ବରୁ ଆତଙ୍କବାଦୀ ଆକ୍ରମଣ କରୁଥିଲେ, ଏବେ ସର୍ଜିକାଲ ଷ୍ଟ୍ରାଇକ୍‌ ହେଉଛି । ୧୫ କୋଟି ପରିବାରକୁ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯାଇଛି । ଆମେ ଦେଶବାସୀଙ୍କୁ ନୂଆ ଆତ୍ମବିଶ୍ୱାସ ଦେଇଛୁ । ଆମେ ଅନେକ ସଂସ୍କାର ଆଣିଛୁ । ବ୍ୟାଙ୍କ କ୍ଷେତ୍ରକୁ ମଜବୁତ କରାଯାଇଛି ।

ରାଜନୈତିକ ଫାଇଦା ନୁହେଁ, ଆମ ପାଇଁ ଦେଶ ପ୍ରଥମ। ରାଷ୍ଟ୍ରହିତ ଭାବନାକୁ ନେଇ ଆମେ ଆଗକୁ ବଢ଼ୁଛୁ । ନୂଆ ସିଷ୍ଟମ ଉପରେ ଦେଶବାସୀଙ୍କ ଭରସା ବଢ଼ିଛି । ଦେଶରେ ଯୁବକଙ୍କ ପାଇଁ ନୂତନ ସମ୍ଭାବନା ବଢ଼ିଛି ବୋଲି କହିଛନ୍ତି ମୋଦି। 

୨୦୩୬ ଅଲିମ୍ପିକ୍ସ ଭାରତରେ ଆୟୋଜନ କରିବା ଆମର ଲକ୍ଷ୍ୟ । ଭାରତ ଜି-୨୦ର ଆୟୋଜନ ସଫଳତାର ସହ କରିଛି । ଏଥିରୁ ପ୍ରମାଣିତ ଯେକୌଣସି ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଭାରତରେ ହୋଇପାରିବ । ତେଣୁ ୨୦୩୬ ଅଲିମ୍ପିକ୍ସ ଭରତରେ ଆୟୋଜନ ନେଇ ଲକ୍ଷ୍ୟ ରଖିଛୁ  ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରି କହିଛନ୍ତି ।

ମହିଳା ବିରୋଧୀ ଅପରାଧକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୋଦି । ଏନେଇ ସେ କହିଛନ୍ତି, ମହିଳାଙ୍କ ଉପରେ ଅତ୍ୟାଚାର ଚିନ୍ତାର ବିଷୟ । ଏଥିପାଇଁ ଦେଶ, ସମାଜ ଓ ରାଜ୍ୟ ଗମ୍ଭୀରତାର ସହ ଚିନ୍ତା କରିବା ଉଚିତ । ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବା ଉଚିତ । ଅପରାଧୀଙ୍କୁ ତୁରନ୍ତ ଦଣ୍ଡ ମିଳିବା ଉଚିତ।

ଆର୍ଥିକ କ୍ଷେତ୍ରରେ ମହିଳାମାନେ ସ୍ୱାବଲମ୍ବୀ ହେଉଛନ୍ତି । SHGରେ ୧୦ କୋଟି ମହିଳା ଯୋଡ଼ି ହୋଇଛନ୍ତି। ଏହା ଦେଶ ପାଇଁ ସ୍ୱର୍ଣ୍ଣିମ କାଳଖଣ୍ଡ ।ଏହାକୁ ହାତଛଡ଼ା କରିବା ଉଚିତ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସ୍ୱାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ଋଣୀ । ଦେଶ ଗଠନରେ ଯବାନ ଓ ଚାଷୀଙ୍କ ଭୂମିକା ପ୍ରଶଂସନୀୟ । ଦେଶ ପରାଧୀନ ବିରୋଧରେ ସେମାନେ ଲମ୍ବା ଲଢ଼େଇ କରିଥିଲା । ଆମର ପୂର୍ବଜମାନେ ପରାଧୀନତାରୁ ମୁକ୍ତି ଦେଇଥିଲେ । ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଦେଶବାସୀଙ୍କୁ ସମ୍ବୋଧନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ୨୧ ତୋପର ସଲାମୀ ଦିଆଯାଇଥିଲା। ଏହି ସମାରୋହରେ ପ୍ରାୟ ୬ ହଜାର ଅତିଥି ଆମନ୍ତ୍ରୀତ ହୋଇଛନ୍ତି। 

PM Modi Independence Day