/odisha-reporter/media/post_attachments/uploadimage/library/16_9/16_9_0/Amit_shah__1677291928.jpg)
Amit shah
ମଧ୍ୟପ୍ରଦେଶରେ ନିର୍ବାଚନ ବିଗୁଲ ବଜାଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକଙ୍କୁ ବିଜେପି ପାଇଁ ଭୋଟ ମାଗିଛନ୍ତି। ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନରେ ଲୋକମାନେ ବହୁ ସଂଖ୍ୟାରେ ସମର୍ଥନ କରି ବିଜେପିକୁ ପୁଣି ସରକାର ଗଠନ କରିବାକୁ ଅନୁମତି ଦିଅନ୍ତୁ ବୋଲି ସେ ସମସ୍ତଙ୍କୁ କହିଛନ୍ତି।
ମଧ୍ୟପ୍ରଦେଶର ସାଟନାରେ ଗୋଟିଏ ମେଡିକାଲ କଲେଜର ଉଦଘାଟନ କରି ଶାହ କହିଛନ୍ତି ଯେ “ନରେନ୍ଦ୍ର ମୋଦି ସରକାର ତୃତୀୟ ଥର ପାଇଁ ସରକାର ଗଠନ କରିବ। ୨୦୨୪ରେ ବିଜେପି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ରେକର୍ଡ ସୃଷ୍ଟି କରିବ।”
ଏହି କାର୍ଯକ୍ରମ ପରେ ଶାହ କୋଲ ଆଦିବାସୀ ସଂପ୍ରଦାୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ସରକାର ଲାଗୁ କରିଥିବା ଜନକଲ୍ୟାଣ ଯୋଜନା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ ଓ ବିଜେପି ସରକାର ସବୁବେଳେ ପଛୁଆ ବର୍ଗର ଲୋକଙ୍କ ପାଇଁ ଯତ୍ନବାନ ବୋଲି କହିଥିଲେ। ଏଥିସହ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେମିତି ଶପଥ ନେଇଥିଲେ, ସେକଥା ମଧ୍ୟ ସମସ୍ତଙ୍କୁ ମନେ ପକାଇ ଦେଇଛନ୍ତି।
ଶ୍ରୀ ଶାହ କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦି ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ସରକାର ଦଳିତ, ଗରିବ, ପଛୁଆ ବର୍ଗ ଓ ଆଦିବାସୀଙ୍କ ସରକାର ଭାବେ କାମ କରିବେ। ତାଙ୍କର ଏହି ଶବ୍ଦ ସମଗ୍ର ବିଶ୍ୱକୁ ଗୋଟିଏ ବାର୍ତ୍ତା ଯାଇଥିଲା ଯେ ମୋଦି ସରକାର କାହାକୁ ଗୁରୁତ୍ୱ ଦେବେ। ଗତ ୯ ବର୍ଷ ମଧ୍ୟରେ ସେ କେବଳ ନିଜର ପ୍ରତିଶ୍ରୁତିକୁ ପୂରଣ କରିନାହାନ୍ତି, ବରଂ ସମସ୍ତ ସରକାରୀ ଯୋଜନା କେମିତି ଗରିବଙ୍କ କ୍ଷେତ୍ରରେ ତୃଣମୂଳସ୍ତରରେ ଲାଗୁ ହେବ, ତା’ର ବ୍ୟବସ୍ଥା କରିଛନ୍ତି। ଏହା ହେଉଛି ବିଜେପିର ପରିଚୟ। ବିଜେପି ସବୁବେଳେ ଅନ୍ତୋଃଦୟ ନୀତିରେ ପରିଚାଳିତ। ଏହାର ଅର୍ଥ ହେଉଛି ଗରିବ ଲୋକମାନେ କେମିତି ସମ୍ମାନର ସହ ବଞ୍ଚିବେ।
କଂଗ୍ରେସ ସରକାର ସମୟରେ ଗରିବଙ୍କ ପାଖରେ ଟଏଲେଟ ନଥିଲା। ମୋଦି ସରକାର ୧୦ କୋଟି ଟଏଲେଟ ତିଆରି କରିଛନ୍ତି। ଏହି ଯୋଜନାରୁ ସବୁଠାରୁ ଅଧିକ ଲାଭ ଆଦିବାସୀ ସଂପ୍ରଦାୟକ ଓ ଅନୁସୂଚିତ ଜନଜାତିର ଲୋକମାନେ ପାଇଛନ୍ତି।”
ଏଥିସହ ଶ୍ରୀ ଶାହ ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ପ୍ରଶଂସା କରି ଭୋଟ ମାଗିଛନ୍ତି। କଂଗ୍ରେସ କେବେ ହେଲେ କୌଣସି ଆଦିବାସୀଙ୍କୁ ରାଷ୍ଟ୍ରପତି ପଦରେ ବସାଇ ନଥିଲା। ହେଲେ ପ୍ରଧାନମନ୍ତ୍ରୀ ମୋଦି ହିଁ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପଦରେ ଅବସ୍ଥାପିତ କରିଛନ୍ତି। ଏଥିରୁ ଦେଶର ଆଦିବାସୀଙ୍କ ପ୍ରତି ତାଙ୍କର ଥିବା ସମ୍ମାନ ପ୍ରତିଫଳିତ ହେଉଥିବା ଶାହ ଦାବି କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
