/odisha-reporter/media/media_files/2026/02/13/pmo-2026-02-13-15-25-09.jpg)
ପ୍ରଧାନମନ୍ତ୍ରୀ ମୋଦି
ଭାରତର ସବୁଠାରୁ ଶକ୍ତିଶାଳୀ କ୍ଷମତା କେନ୍ଦ୍ରର ଠିକଣା ବଦଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେବା ତୀର୍ଥକୁ ଉଦଘାଟନ କରିଛନ୍ତି। ଏହି ନୂଆ ତଥା ଅତ୍ୟାଧୁନିକ କମ୍ଲେକ୍ସରେ ରହିଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ। ସ୍ୱାଧୀନତା ପରେ ପ୍ରଥମଥର ପାଇଁ ପିଏମଓର ଠିକଣା ବଦଳିଛି। ୧୯୪୭ ଭାରତର ସ୍ୱାଧୀନତା ପରଠାରୁ ପିଏମଓ ସାଉଥ ବ୍ଲକରେ ରହିଥିଲା। ହେଲେ ଏବେ ଏହାର ଠିକଣା ସେବା ତୀର୍ଥ କମ୍ପ୍ଲେକ୍ସକୁ ବଦଳି ଯାଇଛି।
ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ନୂଆ ସେବା ତୀର୍ଥ ବିଲଡିଂର ନାଁ ଉନ୍ମୋଚନ କରିଛନ୍ତି। ସନ୍ଧ୍ୟାରେ ସେ ବିଧିବଦ୍ଧ ଭାବେ ସେବା ତୀର୍ଥ ସହ ‘କର୍ତ୍ତବ୍ୟ ଭବନ-୧ ଓ ୨’ର ଉଦଘାଟନ କରିବେ। ସେହିପରି ସନ୍ଧ୍ୟାରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିବେ।
ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ସାଉଥ୍ ବ୍ଲକରେ କେନ୍ଦ୍ର କ୍ୟାବିନେଟର ଶେଷ ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିବେ। ଶୁକ୍ରବାର ଅପରାହ୍ଣ ୪ଟାରେ ସାଉଥ ବ୍ଲକରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ବୈଠକ ଶେଷ ହେବା ପରେ ପିଏମ୍ଓ(PMO) ତୁରନ୍ତ ‘ସେବା ତୀର୍ଥ’କୁ ସ୍ଥାନାନ୍ତରିତ ହୋଇଯିବ।
‘ସେବା ତୀର୍ଥ’ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ଓ କ୍ୟାବିନେଟ୍ ସଚିବାଳୟ ରହିଛି। ଏଗୁଡ଼ିକ ପୂର୍ବରୁ ଭିନ୍ନ ଭିନ୍ନ ସ୍ଥାନରେ ରହିଥିଲା। ‘କର୍ତ୍ତବ୍ୟ ଭବନ-୧ ଓ ୨’ରେ ଅର୍ଥ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ, ସଂସ୍କୃତି ମନ୍ତ୍ରଣାଳୟ, ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ରସାୟନ ଓ ସାର ମନ୍ତ୍ରଣାଳୟ ଏବଂ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସମେତ ଅନେକ ପ୍ରମୁଖ ମନ୍ତ୍ରଣାଳୟ କାର୍ଯ୍ୟ କରିବ।
ଉଭୟ ବିଲ୍ଡିଂ କମ୍ପ୍ଲେକ୍ସରେ ଡିଜିଟାଲ୍ ସଂଯୁକ୍ତ କାର୍ଯ୍ୟାଳୟ, ସୁବ୍ୟବସ୍ଥିତ ସର୍ବସାଧାରଣ ଯୋଗାଯୋଗ ଜୋନ୍ ଓ କେନ୍ଦ୍ରୀକୃତ ସ୍ୱାଗତ ସୁବିଧା ବା ରିସେପ୍ସନ ବ୍ୟବସ୍ଥା ରହିଛି। ଏହି ବୈଶିଷ୍ଟ୍ୟଗୁଡ଼ିକ ସହଯୋଗ, ଦକ୍ଷତା, ନିରବଚ୍ଛିନ୍ନ ଶାସନ, ଉନ୍ନତ ନାଗରିକ ସମ୍ପୃକ୍ତି ଓ କର୍ମଚାରୀଙ୍କ କଲ୍ୟାଣକୁ ପ୍ରୋତ୍ସାହିତ କରିବ। ୪-ଷ୍ଟାର ଜିଆରଆଇଏଚଏ ମାନକ ଅନୁଯାୟୀ ପରିକଳ୍ପିତ ଏହି କମ୍ପ୍ଲେକ୍ସଗୁଡ଼ିକରେ ଅକ୍ଷୟ ଶକ୍ତି ବ୍ୟବସ୍ଥା, ଜଳ ସଂରକ୍ଷଣ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନା ସମାଧାନ ଓ ଉଚ୍ଚ-କ୍ଷମତା ସମ୍ପନ୍ନ ଅଟ୍ଟାଳିକା ଅନ୍ତର୍ଭୁକ୍ତ କରାଯାଇଛି।
ଏହି ପଦକ୍ଷେପଗୁଡ଼ିକ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ସହିତ ପରିବେଶ ଉପରେ ପଡୁଥିବା ପ୍ରଭାବକୁ ଯଥେଷ୍ଟ ହ୍ରାସ କରିବ। ବିଲ୍ଡିଂ ପରିସରରେ ସ୍ମାର୍ଟ ଆକ୍ସେସ୍ କଣ୍ଟ୍ରୋଲ ସିଷ୍ଟମ, ସର୍ଭେଲାନ୍ସ ନେଟୱାର୍କ ଓ ଉନ୍ନତ ଜରୁରୀକାଳୀନ ଭିତ୍ତିଭୂମି ଭଳି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଅନ୍ତର୍ଭୁକ୍ତ ରହିଛି, ଯାହା ଅଧିକାରୀ ଓ ପରିଦର୍ଶକଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସୁଗମ ପରିବେଶ ନିଶ୍ଚିତ କରିବ ବୋଲି ସରକାର କହିଛନ୍ତି।
ସେବା ତୀର୍ଥ ଉଦଘାଟନକୁ ସରକାର ସଂସ୍କାର ଦିଗରେ ଗୋଟିଏ ମାଇଲଖୁଣ୍ଟ ଭାବେ ଚିତ୍ରିତ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ମୋଦି ଆଜିର ଦିନକୁ ସ୍ମରଣୀୟ କରିବାକୁ ୧୦୦ ଟଙ୍କିଆ କଏନ ମଧ୍ୟ ରିଲିଜ କରିଛନ୍ତି।
ବର୍ତ୍ତମାନ ପିଏମଓ ଭାବେ କାର୍ଯ୍ୟ କରୁଥିବା ବିଲଡିଂର କ’ଣ ହେବ?
ସାଉଥ ଓ ନର୍ଥ ବ୍ଲକରୁ ସବୁ ଅଫିସ ନୂଆ ଠିକଣାକୁ ଚାଲି ଯିବା ପରେ ଉକ୍ତ ସ୍ଥାନକୁ ସାଧାରଣ ଲୋକଙ୍କ ମ୍ୟୁଜିୟମ ଭାବେ ବିବେଚନା କରାଯିବ। 'Yuge Yugeen Bharat Sangrahalaya' ଭାବେ ଏହା ନାମିତ ହେବ। ଏହି ପ୍ରସ୍ତାବିତ ସଂଗ୍ରହାଳୟରେ ବୈଷୟିକ ସହାୟତା ପାଇଁ ଫ୍ରାନ୍ସ ମ୍ୟୁଜିୟମ ଡେଭଲପମେଣ୍ଟ ଏଜେନ୍ସି ସହ ଭାରତ ସରକାର ୨୦୨୪ ଡିସେମ୍ବର ୨୪ରେ ଗୋଟିଏ ଚୁକ୍ତି କରି ସାରିଛନ୍ତି।
ସଂପୂର୍ଣ୍ଣ ସେବା ତୀର୍ଥ କମ୍ପ୍ଲେକ୍ସକୁ ୧୧୮୯ କୋଟି ଟଙ୍କା ବଳରେ ଲାର୍ସେନ ଆଣ୍ଡ ଟ୍ୟୁବୋର ତିଆରି କରିଛି। ୨,୨୬,୨୦୩ ବର୍ଗ ଫୁଟ ଅଞ୍ଚଳରେ ଏହି ବିଶାଳ କମ୍ପ୍ଲେକ୍ସ ରହିଛି। ପ୍ରଧାନମନ୍ତ୍ରୀଙ୍କ ନୂଆ ସରକାରୀ ବାସଭବନ ଏକ୍ସ୍ୟୁକେଟିଭ ଏନକ୍ଲେଭ ପାର୍ଟ ୨ର ନିର୍ମାଣ କାମ ମଧ୍ୟ ଏବେ ଚାଲିଛି।
ଏହାପୂର୍ବରୁ ମୋଦି ସରକାର ନୂଆଦିଲ୍ଲୀର ପ୍ରସିଦ୍ଧ ରାଜପଥର ନାଁକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିଥିଲେ। ଏବେ ପିଏମଓ ମଧ୍ୟ ନୂଆ ଅଫିସରେ ଚାଲିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
