Mohammad Azharuddin: ମନ୍ତ୍ରୀ ହେଲେ ଆଝାରୁଦ୍ଦିନ, ପ୍ରଶ୍ନ ଉଠାଇଲା ବିଜେପି

ନଭେମ୍ବର ୧୧ରେ ଜୁବିଲୀ ହିଲ୍ସ ଆସନରେ ଉପ ନିର୍ବାଚନ ହେବ। ଏହି ଆସନରେ ମୁସଲିମ ଭୋଟରଙ୍କ ଭାଗ ୩୦%। ତେଣୁ କଂଗ୍ରେସ ଜାଣିଶୁଣି ଆଝାରୁଦ୍ଦିନଙ୍କୁ ମନ୍ତ୍ରୀ କରିଥିବା ବିଜେପି ଅଭିଯୋଗ କରିଛି।

Congress

ଶପଥ ନେଉଛନ୍ତି ଆଝାରୁଦ୍ଦିନ

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ତଥା ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ(Mohammad Azharuddin) ଆଜି ତେଲଙ୍ଗାନା କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଜିଷ୍ଣୁ ଦେବ ବର୍ମା ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଆଝାରୁଦ୍ଦିନ ମନ୍ତ୍ରୀ ଭାବେ ଶପଥ ନେବା ସହ ଦୀର୍ଘ ସମୟ ଧରି କ୍ୟାବିନେଟରେ ଖାଲି ଥିବା ପଦ ପୂରଣ ହୋଇଛି। ସେହିପରି ତେଲଙ୍ଗାନା(Telangana)ର କଂଗ୍ରେସ ସରକାର କ୍ୟାବିନେଟରେ ପ୍ରଥମ ମୁସଲିମ ଚେହେରାକୁ ମଧ୍ୟ ସାମିଲ କରିବାକୁ ସକ୍ଷମ ହୋଇଛନ୍ତି। 

ତେବେ ଏହା ଉପରେ ପ୍ରଶ୍ନ ଉଠାଇଛି ବିରୋଧୀ ବିଜେପି। ନଭେମ୍ବର ୧୧ରେ ଜୁବିଲୀ ହିଲ୍ସ ଆସନରେ ଉପ ନିର୍ବାଚନ ହେବ। ଏହି ଆସନରେ ମୁସଲିମ ଭୋଟରଙ୍କ ଭାଗ ୩୦%। ତେଣୁ କଂଗ୍ରେସ ଜାଣିଶୁଣି ଆଝାରୁଦ୍ଦିନଙ୍କୁ ମନ୍ତ୍ରୀ କରିଥିବା ବିଜେପି ଅଭିଯୋଗ କରିଛି। ଏନେଇ ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଚିଠି ଲେଖିଥିଲା।

ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଦଳ କହିଥିଲା। ବିଜେପିର ମୁଖପାତ୍ରମାନେ ଯୁକ୍ତି ରଖି କହିଥିଲେ ଯେ ସମାନ ଆସନରୁ ଟିକେଟ ଆଶାରେ ଥିବା ବ୍ୟକ୍ତିଙ୍କୁ ମନ୍ତ୍ରୀ କରିବା କ୍ଷମତାର ଦୁର୍ବ୍ୟବହାର। ଏପରି କରି କଂଗ୍ରେସ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛି। 

ତେବେ ଶାସକ କଂଗ୍ରେସ ଏହାକୁ ଠିକ ବୋଲି ଦର୍ଶାଇଛି। ସାମାଜିକ ନ୍ୟାୟ ପ୍ରତିଶ୍ରୁତିକୁ ଦଳ ପୂରଣ କରିଥିବା କଂଗ୍ରେସ ସରକାରଙ୍କ ପକ୍ଷରୁ କୁହାଯାଇଛି। କଂଗ୍ରେସ ଦଳ କ୍ୟାବିନେଟରେ ସଂଖ୍ୟାଲଘୁ ପ୍ରତିନିଧି ରହିବେ ବୋଲି କହିଥିଲେ। ସବୁ ସରକାରର କ୍ୟାବିନେଟରେ ସଂଖ୍ୟାଲଘୁ ଚେହେରା ରହି ଆସୁଥିଲେ। ଆମେ କେବଳ ଏହାକୁ ପାଳନ କରି ଦୀର୍ଘଦିନ ହେଲା ଖାଲି ପଡ଼ିଥିବା ସ୍ଥାନକୁ ପୂରଣ କରିଛୁ ବୋଲି ରାଜ୍ୟ କଂଗ୍ରେସ ମୁଖ୍ୟ ମହେଶ ଗୌଡ କହିଛନ୍ତି।

ଆଝାରୁଦ୍ଦିନ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ହେଁ ଏଯାଏ ତେଲଙ୍ଗାନା ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ହୋଇନାହାନ୍ତି। ମନ୍ତ୍ରୀ ହେବା ପାଇଁ ବିଧାନ ପରିଷଦ କିମ୍ବା ବିଧାନସଭାକୁ ନିର୍ବାଚିତ ହେବା ଜରୁରୀ।

ରାଜ୍ୟପାଳଙ୍କ କୋଟାରେ ତାଙ୍କୁ ବିଧାନ ପରିଷଦକୁ ମନୋନୀତ କରାଯାଇଛି। କିନ୍ତୁ ରାଜ୍ୟପାଳ ଏଯାଏ ଏହି ପ୍ରସ୍ତାବରେ ଦସ୍ତଖତ କରିନାହାନ୍ତି। ଆଜି ଆଝାରୁଦ୍ଦିନ ମନ୍ତ୍ରୀ ହୋଇଥିବା ବେଳେ ଆସନ୍ତା ୬ ମାସ ମଧ୍ୟରେ ତାଙ୍କୁ ବିଧାୟକ କିମ୍ବା ବିଧାନ ପରିଷଦ ସଦସ୍ୟ ହେବାକୁ ପଡ଼ିବ। ନଚେତ ତାଙ୍କ ମନ୍ତ୍ରୀ ପଦ ଚାଲିଯିବ। 

Telangana Mohammad Azharuddin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe