Advertisment

କୋର୍ଟଙ୍କ ଦ୍ୱାରସ୍ଥ ହେଲେ ୩୫ ଛାତ୍ରଛାତ୍ରୀ; ଶିକ୍ଷକଙ୍କ ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

କୁନି କୁନି ପିଲାଙ୍କୁ ଡରାଇବାକୁ ସ୍କୁଲ ପରିସରରେ ବନ୍ଧୁକ ଧରି ବୁଲୁଥିଲେ ଶିକ୍ଷକ । ଏଥିରେ ଅତିଷ୍ଠ କୁନି କୁନି ପିଲା କିଛି ଦିନ ପୂର୍ବେ ସ୍କୁଲ ଯିବା ବନ୍ଦ କରି ଦେଇଥିବା ବେଳେ ଏବେ ପହଞ୍ଚିଛନ୍ତି କୋର୍ଟରେ।

author-image
Niharika Rout
Strict Teacher

Strict Teacher

ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଥିବା ସତ୍ତ୍ୱେ ଏହାକୁ ଅବମାନନା କରୁଥିଲେ ଶିକ୍ଷକ । ପିଲାଙ୍କୁ ଦେଉଥିଲେ ଅସହ୍ୟ ନିର୍ଯାତନା। ଦିନେ କି ୨ ଦିନ ନୁହେଁ ଦୀର୍ଘ ୨ ବର୍ଷ ଧରି ଚାଲିଥିଲା ଶିକ୍ଷକଙ୍କ ଏପରି କଳା କାରନାମା। କୁନି କୁନି ପିଲାଙ୍କୁ ଡରାଇବାକୁ ସ୍କୁଲ ପରିସରରେ ବନ୍ଧୁକ ଧରି ବୁଲୁଥିଲେ ଶିକ୍ଷକ । ଏଥିରେ ଅତିଷ୍ଠ କୁନି କୁନି ପିଲା କିଛି ଦିନ ପୂର୍ବେ ସ୍କୁଲ ଯିବା ବନ୍ଦ କରି ଦେଇଥିବା ବେଳେ ଏବେ ପହଞ୍ଚିଛନ୍ତି କୋର୍ଟରେ।

Advertisment

ଜଣେ କି ଦୁଇ ଜଣ ନୁହନ୍ତି, ୩୫ରୁ ଊର୍ଦ୍ଧ୍ୱ ପିଲା କୋର୍ଟରେ ନିଜ ଶିକ୍ଷକଙ୍କ ନାମରେ ଅଭିଯୋଗ କରିଥିବା ବେଳେ ଶିକ୍ଷକଙ୍କ ବଦଳି ନ ହେବା ଯାଏ ସ୍କୁଲ ଯିବେନି ବୋଲି ସଫା ସଫା ଶୁଣାଇ ଦେଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଏକ ସ୍କୁଲରେ ଘଟିଛି।

ଗତକାଲି ପ୍ରାୟ ୩୫ରୁ ଊର୍ଦ୍ଧ୍ୱ ପିଲା ନିଜ ଅଭିଭାବକଙ୍କ ସହ ଜିଲ୍ଲା କୋର୍ଟରେ ପହଞ୍ଚିଥିଲେ। ସେମାନେ ନିଜ ଶିକ୍ଷକ ଆଶୁତୋଷ ଶର୍ମାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ। ଶିକ୍ଷକ ଆଶୁତୋଷ ଶର୍ମାଙ୍କ ବିରୋଧରେ ସେମାନେ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏଥିଯୋଗୁ ସେମାନେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ବହୁ ପିଲା ସ୍କୁଲ ଯିବା ବନ୍ଦ କରି ଦେଇଥିବା କାନ୍ଦି କାନ୍ଦି କହିଛନ୍ତି କୁନି କୁନି ପିଲା। ଏପରିକି ସେମାନଙ୍କ ମଧ୍ୟରୁ ୫ ଛାତ୍ରୀ ଶିକ୍ଷକ ଆଶୁତୋଷଙ୍କ ବିରୋଧରେ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି ।

Advertisment

ଏନେଇ ସମ୍ପୃକ୍ତ ଶିକ୍ଷକ ଆଶୁତୋଷଙ୍କ ବିରୋଧରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତାଙ୍କୁ ଉତ୍ତର ପ୍ରଦେଶ ଶିକ୍ଷା ବିଭାଗ ତରଫରୁ ନିଲମ୍ବିତ କରାଯାଇଥିବା ବେଳେ ସେ ଏବେ ଫେରାର ଅଛନ୍ତି।

ଏନେଇ ସ୍କୁଲର ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ଆଶୁତୋଷ ଶର୍ମା ପିଲାମାନଙ୍କୁ ଧମକାଇବା ପାଇଁ ଏକ ବନ୍ଧୁକ ଧରି ସ୍କୁଲରେ ବୁଲୁଥିଲେ। ଏନେଇ ଆମେ ପୁଲିସ୍‌ ଷ୍ଟେଶନରେ ଅଭିଯୋଗ କରିବା ସତ୍ତ୍ୱେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ହେଲେ ନିର୍ଯାତନା ଅତିଷ୍ଠ ହେବାରୁ ଏବେ ପିଲାମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି।

Uttar Pradesh Sexual Torture Teachers