Advertisment

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା: ମାସିକ ପେନସନ ୧୧୦୦ ଟଙ୍କାକୁ ବଢ଼ିଲା

ଜିଲ୍ଲା ପରିଷଦ ସଭାପତିଙ୍କ ମାସିକ ଭତ୍ତା ୨୦ ହଜାରରୁ ୩୦ ହଜାର ହୋଇଛି। ସେହିପରି ଜିଲ୍ଲା ପରିଷଦର ଉପ ସଭାପତିଙ୍କ ମାସିକ ଭତ୍ତା ୧୦ ହଜାରରୁ ବଢ଼ି ୨୦ ହଜାରରେ ପହଞ୍ଚିଛି। ଗାଁ ମୁଖିଆମାନେ ୫ ହଜାର ଟଙ୍କା ବଦଳରେ ମାସିକ ୭,୫୦୦ ଟଙ୍କା ପାଇବେ।

author-image
Hemant Lenka
Pension

Pension

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ରାଜ୍ୟର ସାମାଜିକ ସୁରକ୍ଷା ପେନସନ ସ୍କିମର ଭତ୍ତାକୁ ମୁଖ୍ୟମନ୍ତ୍ରୀ ବୃଦ୍ଧି କରିଛନ୍ତି। ଏଣିକି ବିହାରରେ ରହୁଥିବା ବରିଷ୍ଠ ନାଗରିକମାନେ ମାସିକ ୪୦୦ ଟଙ୍କା ବଦଳରେ ୧୧ ଶହ ଟଙ୍କା ପାଇବେ। ଦିବ୍ୟାଙ୍ଗ ଓ ବିଧବାଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ଲୋକ ଲାଭ ପାଇବେ ବୋଲି ସରକାର କହିଛନ୍ତି।

Advertisment

ମାସିକ ଭତ୍ତା ବୃଦ୍ଧି ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି ଯେ “ମୁଁ ବହୁତ ଖୁସିର ସହ ଜଣାଇବାକୁ ଚାହୁଁଛି ଯେ ସାମାଜିକ ସୁରକ୍ଷା ପେନସନ ସ୍କିମ ଅଧିନରେ ସମସ୍ତ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ମାସିକ ୪୦୦ ଟଙ୍କା ବଦଳରେ ୧୧ଶହ ଟଙ୍କାର ଭତ୍ତା ମିଳିବ। ସମସ୍ତ ହିତାଧିକାରୀ ଜୁଲାଇ ମାସରୁ ବର୍ଦ୍ଧିତ ଭତ୍ତା ପାଇବେ। ସମସ୍ତ ହିତାଧିକାରୀଙ୍କ ଆକାଉଉଣ୍ଟକୁ ପ୍ରତି ମାସର ୧୦ ତାରିଖ ବେଳକୁ ଭତ୍ତା ପଠାଇବା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ଏହା ରାଜ୍ୟର ୧ କୋଟି ୯ ଲକ୍ଷ ଓ ୨୫୫ ଜଣ ଲୋକଙ୍କୁ ଫାଇଦା ଦେବ।”

ଆଉ କିଛି ମାସ ପରେ ବିହାରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ନୀତୀଶ କୁମାର ଭତ୍ତା ବୃଦ୍ଧି ସମ୍ପର୍କରେ ଘୋଷଣା କରିଛନ୍ତି। ଏବେ ବିଜେପି ସହ ମିଶି ନୀତୀଶ କୁମାରଙ୍କ ଜେଡିୟୁ ସରକାରରେ ରହିଛି। ଚଳିତ ବିଧାନସଭା ନିର୍ବାଚନରେ ଏହି ମେଣ୍ଟକୁ ତେଜସ୍ୱୀ ଯାଦବଙ୍କ ଆରଜେଡି ଓ କଂଗ୍ରେସ ମିଳିତ ଭାବେ ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି।

Advertisment

ଅନ୍ୟପକ୍ଷରେ ବିହାର ସରକାର ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ବା ମନରେଗା ଯୋଜନାରେ ଥିବା କ୍ଷମତାକୁ ମଧ୍ୟ ସଂଶୋଧନ କରିଛନ୍ତି। ଏଣିକି ଗାଁର ମୁଖିଆ ସ୍ୱାଧୀନ ଭାବେ ୧୦ ଲକ୍ଷ ଟଙ୍କା ଯାଏ ଯୋଜନାକୁ ଅନୁମୋଦନ କରିପାରିବେ। ପୂର୍ବରୁ ଏହା ୫ ଲକ୍ଷ ଟଙ୍କା ଥିଲା।

ଗୁରୁବାର ଗୋଟିଏ ବୈଠକରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଞ୍ଚାୟତି ରାଜ ବ୍ୟବସ୍ଥା ଦ୍ୱାରା ବିଭିନ୍ନ ଜନପ୍ରତିନିଧିଙ୍କୁ ମିଳୁଥିବା ମାସିକ ଭତ୍ତାକୁ ମଧ୍ୟ ବୃଦ୍ଧି କରିଥିଲେ। ନୂଆ ନିୟମ ଅନୁସାରେ ଜିଲ୍ଲା ପରିଷଦ ସଭାପତିଙ୍କ ମାସିକ ଭତ୍ତା ୨୦ ହଜାରରୁ ୩୦ ହଜାର ହୋଇଛି। ସେହିପରି ଜିଲ୍ଲା ପରିଷଦର ଉପ ସଭାପତିଙ୍କ ମାସିକ ଭତ୍ତା ୧୦ ହଜାରରୁ ବଢ଼ି ୨୦ ହଜାରରେ ପହଞ୍ଚିଛି। ଗାଁ ମୁଖିଆମାନେ ୫ ହଜାର ଟଙ୍କା ବଦଳରେ ମାସିକ ୭,୫୦୦ ଟଙ୍କା ପାଇବେ।

Bihar