Advertisment

ଦିଲ୍ଲୀ ତଳି ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ନିର୍ଦ୍ଦେଶ, ଉତ୍ତର ଭାରତରେ ଗଲାଣି ୧୦୦ରୁ ଅଧିକ ଜୀବନ

ସମଗ୍ର ଉତ୍ତର ଭାରତରେ ବର୍ଷା ପ୍ରଳୟ ରଚିଥିବାବେଳେ ଏବେ ଦିଲ୍ଲୀକୁ ଦେଖାଦେଇଛି ବନ୍ୟା ଭୟ।

author-image
Niranjan Mishra
ଅଦ୍ୟତନ ହୋଇଛି
 Yamuna's banks

Yamuna's banks

ସମଗ୍ର ଉତ୍ତର ଭାରତରେ ବର୍ଷା ପ୍ରଳୟ ରଚିଥିବାବେଳେ ଏବେ ଦିଲ୍ଲୀକୁ ଦେଖାଦେଇଛି ବନ୍ୟା ଭୟ। ଦିଲ୍ଲୀରେ ଯମୁନା ନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି। ବିପଦ ସଙ୍କେତ ପାର କରି ଗତ ୪୫ ବର୍ଷ ଭିତରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଯମୁନା ବଢ଼ି ପାଣି ସ୍ତର। ହରିୟାଣାରୁ ଅଧିକ ଜଳ ଛଡା ଯିବା ଫଳରେ ଏହା ଆହୁରି ଅଧିକ ବଢିବାର ଆଶଙ୍କା ଦେଖାଦେଇଛି।

Advertisment

ଉଛୁଳା ଯମୁନାର ଉଗ୍ର ରୂପ ଦେଖି ଲୋକେ ମଧ୍ୟ ଭୟଭୀତ। ଦୁଇ ତିନି ଧରି କ୍ରମାଗତ ଜଳସ୍ତର ବଢିବା ପରେ ଦିଲ୍ଲୀରେ ଲୋହା ବ୍ରିଜଠାରେ ବୁଧବାର ସକାଳେ ବଢ଼ି ପାଣି ବିପଦ ସଙ୍କେତ ପାର କରିସାରିଛି। ଯମୁନା ଏବେ ବିପଦ ସଙ୍କେତ ଟପି ପ୍ରବାହିତ ହେଉଥିବାରୁ ବନ୍ୟା ସ୍ଥିତିର ଆଶଙ୍କ ସୃଷ୍ଟି କରିଛି। ଯମୁନାର ଜଳସ୍ତର ଏଠାରେ ୨୦୭. ୦୮ ମିଟର ରହିଛି । ବିପଦ ସଂକେତର ୧.୩ ମିଟର ଉପରେ ଏହା ଏବେ ପ୍ରବାହିତ ହେଉଛି। ଯାହାକି ଗତ ୪୫ ବର୍ଷ ଭିତରେ ସର୍ବାଧିକ ବୋଲି କୁହାଯାଉଛି। ଯମୁନାର ବଢ଼ି ପାଣିର ଭୟଙ୍କର ରୂପ ଦେଖି ଦିଲ୍ଲୀର ତଳି ଅଞ୍ଚଳରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ନିର୍ଦ୍ଦେଶ ଜାରି କରିଛନ୍ତି। ୧୯୭୮ ମସିହା ରେକର୍ଡ ଭାଙ୍ଗି ଜମୁନାର ଜଳ ସ୍ତର ବିପଦସଙ୍କେତ ଉପରେ ଅର୍ଥାତ୍ ୨୦୭.୫୫ ରହିଛି।

ସେହିଭଳି ଦିଲ୍ଲୀ ପୁରୁଣା ରେଲୱେ ବ୍ରିଜ୍ ନିକଟରେ ମଧ୍ୟ ଜଳସ୍ତର ୨୦୭ ମିଟର ପାର କରିଛି । ଗୋଟେ ପଟେ ଲଗାଣ ବର୍ଷା ଏବଂ ଅନ୍ୟ ପଟେ ହରିୟାଣାରୁ ଜଳ ଛଡାଯିବାପରେ ଯମୁନାରେ ଏଭଳି ସ୍ଥିତି ଦେଖାଦେଇଛି। ହରିୟାଣାର ହଥିନୀକୁଣ୍ଡ ବ୍ୟାରେଜରୁ ୩ ଲକ୍ଷର ଅଧିକ କ୍ୟୁସେକ୍ ପାଣି ନିଷ୍କାସିତ କରାଯାଇଛି। ଏହା ଫଳରେ ଯମୁନାମ ଫୁଲିବାରେ ଲାଗିଛି।

Advertisment

ସ୍ଥିତିକୁ ଦେଖି ଦିଲ୍ଲୀରେ ଓଖଲା ବ୍ୟାରେଜର ସମସ୍ତ ଗେଟ୍‌ ଖୋଲି ଦିଆଯାଇଛି। ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ନିଜେ ବୋଟରେ ବସି ଆଜି ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି। ସେହିପରି ସ୍ଥିତିକୁ ଦେଖି ତୁରନ୍ତ ଯମୁନାରେ ଜଳ ଛାଡ଼ିବା ବନ୍ଦ କରିବାକୁ ଗୃହ ମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଆସନ୍ତା ସପ୍ତାହରେ ଜି-୨୦ ବୈଠକ ରହିଥିବାରୁ ସ୍ଥିତିକୁ ଆୟତ କରିବାକୁ ସେ ଏହି ପଦକ୍ଷେପ ନେବାକୁ କହିଛନ୍ତି। ସେହିପରି ବଢ଼ି ପାଣି ଦେଖିବାକୁ ଯମୁନା ନଦୀ ବନ୍ଧରେ ଭିଡ଼ ଲାଗିଥିବାରୁ ପୁଲିସ ଏହାକୁ ନିୟନ୍ତ୍ରଣ କରିବାରେ ବେହାଲ ନଜର ଆସିଛି। ନଦୀ ବନ୍ଧ ନିକଟରେ ଭିଡ଼ ନକରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସତର୍କତା ପରାମର୍ଶ ଜାରି କରିଛନ୍ତି।

ତେବେ ତଳି ଅଞ୍ଚଳରେ ବର୍ଷା ଭିତରେ ଫସିଥିବା ଲୋକେ ସରକାରଙ୍କ ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବଢ଼ି ପାଣି ବିଶେଷ ଭାବେ ଯମୁନା କୂଳରେ ଏବଂ ଏହାର ଆଖପାଖରେ ବସ୍ତି ଅଞ୍ଚଳରେ ରହିଥିବା ଲୋକଙ୍କ ଦୁର୍ଦ୍ଦଶା ବଢେଇ ଦେଇଛି। ଅନେକ ଲୋକ ଘର ଖାଲି କରି ରାସ୍ତା ଉପରକୁ ଚାଲି ଆସିଛନ୍ତି। ଜିନିଷପତ୍ର ଓ ଛୁଆ ପିଲାଙ୍କୁ ଧରି ବ୍ରିଜ ଉପର ରାସ୍ତା କଡରେ ଆସି ବସବାସ କରିବାକୁ ବାଧ୍ୟ ହେଉଥିବା ବୋଲି ସେମାନେ କହିଛନ୍ତି।

ଏଭଳି ସ୍ଥିତିରେ ଯଦି ବର୍ଷା ଆହୁରି ଲାଗି ରହେ ଦିଲ୍ଲୀ, ଏନସିଆର ସମେତ ହରିୟାଣା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ମଧ୍ୟ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

ସେପଟେ ଉତ୍ତର ଭାରତରେ ଗତ ସପ୍ତାହରୁ ଲାଗି ରହିଥିବା ବର୍ଷା ଓ ବଢ଼ି ଜନିତ ବିପର୍ଯ୍ୟୟରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି।

ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ଏବେବି ସ୍ଥିତି ଭୟଙ୍କର ରହିଛି। ଗତ ସପ୍ତାହେ ଭିତରେ ବର୍ଷା ବତ୍ପାତରେ ପ୍ରାୟ ୮୦ ଜଣଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଏବେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଭୂସ୍ଖଳନର ପ୍ରଭାବ ଏବେବି ଦେଖିବାକୁ ମିଳିଛି। ବଡ ବଡ ପଥର ଅତଡା ଧସିବା ଫଳରେ ରାସ୍ତା ବନ୍ଦ ହୋଇ ଯାତାୟତ ବ୍ୟବସ୍ଥାକୁ ଠପ କରିଦେଇଛି। ଏହା ଫଳରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକରେ ୩୦୦ରୁ ଅଧିକ ପର୍ଯ୍ୟଟକ ମାନେ ଫସି ରହିଛନ୍ତି। ଆଜି ବି ହିମାଚଳ ପ୍ରଦେଶରେ ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସତର୍କତାମୂଳକ ଭାବରେ ବନ୍ଦ ରଖାଯାଇଛି। ହିମାଚଳ ପ୍ରଦେଶର ମଣ୍ଡି, କୁଲୁ ସମେତ ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟର ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ କହିବା ଅନୁସାରେ, ପ୍ରବଳ ବର୍ଷା ସହିତ ବନ୍ୟା, ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶରେ ୭୬୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଉତ୍ତରାଖଣ୍ଡରେ ବର୍ଷା କମିଯାଇଛି। ହେଲେ ଏବେ ବି ସ୍ଥାନେ ସ୍ଥାନେ ଭୂସ୍ଖଳନ ଦେଖିବାକୁ ମିଳୁଛି। ଭୂସ୍ଖଳନ ଯୋଗୁ ଯାତାୟତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ବିଭିନ୍ନ ସ୍ଥାନରେ ଅତଡା ହଟାଇବାକୁ ଜୋରଦାର ଉଦ୍ୟମ କରୁଛି ପ୍ରଶାସନ। ପ୍ରବଳ ବର୍ଷା ହେତୁ ଗଙ୍ଗା ନଦୀ ସମେତ ସମସ୍ତ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ପ୍ରବଳ ବର୍ଷା ଯୋଗୁ ସୋନପ୍ରାୟାଗ ଏବଂ ଗୌରୀକୁଣ୍ଡରେ ପର୍ଯ୍ୟଟକମାନଙ୍କ ପାଇଁ କେଦାରନାଥ ଯାତ୍ରା ବନ୍ଦ କରାଯାଇଛି।  ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ୧୩ ଜୁଲାଇ ପର୍ଯ୍ୟନ୍ତ ଆସିବା ପାଇଁ ବାରଣ କରାଯାଇଛି।  ପ୍ରବଳ ବର୍ଷା ହେବାର ଚେତାବନୀକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ ଅନାବଶ୍ୟକ ଭାବରେ ନିଜ ଘର ବାହାରକୁ ନ ବାହାରନ୍ତୁ।

ପଞ୍ଜାବ ଓ ହରିଆନାରେ ବର୍ଷା ବିତ୍ପାତରେ ୧୫ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଯେତେବେଳେ କି ଉତ୍ତରାଖଣ୍ଡରେ ଗତ ୨୪ ଘଣ୍ଟା ଭିତରେ ବର୍ଷା ବିତ୍ପାତରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

Delhi Flood Situation Himachal Pradesh Uttarakhand Flood