Advertisment

ଧରାପଡ଼ିଲା ଖତରନାକ ମାଙ୍କଡ଼, ମୁଣ୍ଡ ଉପରେ ଥିଲା ୨୧ ହଜାର ଟଙ୍କାର ପୁରସ୍କାର

ମାଙ୍କଡ଼ଟିକୁ ବନ ବିଭାଗ କର୍ମଚାରୀମାନେ ଟ୍ରାଙ୍କୁଲାଇଜ କରି ନେବା ବେଳେ ସ୍ଥାନୀୟ ଲୋକମାନେ ଜୟ ଶ୍ରୀରାମ ଓ ଜୟ ବଜରଙ୍ଗବାଲୀ ନାରା ଦେଇଥିଲେ। ମାଙ୍କଡ଼ଟି କିଛି ସମୟ ପିଞ୍ଜରା ଭିତରେ ରହିବା ପରେ ତା’ର ହୋଶ ଆସିଥିଲା। ନିଜକୁ ପିଞ୍ଜରା ଭିତରେ ପାଇ ସେ ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

author-image
Hemant Lenka
Monkey

Monkey

ଦୁଇ ସପ୍ତାହ ଧରି ପୁଲିସ୍‌, ପ୍ରଶାସନ ଓ ବନ ବିଭାଗର ନିଦ ହଜାଇଥିବା ଗୋଟିଏ ଖତରନାକ ମାଙ୍କଡ଼ ଶେଷରେ ଧରାପଡ଼ିଛି। ମଧ୍ୟପ୍ରଦେଶର ରାଜଗଡ଼ରେ ଆତଙ୍କ ଖେଳାଇବା ସହ ୨୦ ଜଣଙ୍କୁ ଏହି ମାଙ୍କଡ଼ ଆକ୍ରମଣ କରିଥିଲା। ତାକୁ ଧରିବା ଓ ତା’ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ ପ୍ରଶାସନ ପକ୍ଷରୁ ୨୧ ହଜାର ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା।

Advertisment

ଏବେ ସେ ଧରା ପଡ଼ି ପିଞ୍ଜରାରେ ବନ୍ଦ ହୋଇଛି। ବାରମ୍ବାର ଲୋକଙ୍କୁ ଆକ୍ରମଣ କରୁଥିବା ଏହି ଖତରନାକ ମାଙ୍କଡ଼ ସମ୍ପର୍କରେ ୨୧ ତାରିଖ ସନ୍ଧ୍ୟାରେ ସୂଚନା ମିଳିଥିଲା। ଏହାପରେ ଉଜ୍ଜୟୀନରୁ ଉଦ୍ଧାରକାରୀ ଦଳକୁ ଡକା ଯାଇଥିଲା। ଉଦ୍ଧାରକାରୀ ଦଳ ସହ ସ୍ଥାନୀୟ ଅଧିକାରୀ ଓ ସ୍ଥାନୀୟ ଲୋକ ମାଙ୍କଡ଼ ଧରା ଅଭିଯାନ ଆରମ୍ଭ କରିଥିଲେ। ଡ୍ରୋନ ଦ୍ୱାରା ମାଙ୍କଡ଼ର ଉପସ୍ଥିତିକୁ ଅନୁଧ୍ୟାନ କରାଯାଇଥିଲା। ଶେଷରେ ତାକୁ ଟ୍ରାଙ୍କୁଲାଇଜ କରି ଗୋଟିଏ ପିଞ୍ଜରାରେ ଭର୍ତ୍ତି କରାଯାଇଥିଲା।

ମାଙ୍କଡ଼ଟିକୁ ବନ ବିଭାଗ କର୍ମଚାରୀମାନେ ଟ୍ରାଙ୍କୁଲାଇଜ କରି ନେବା ବେଳେ ସ୍ଥାନୀୟ ଲୋକମାନେ ଜୟ ଶ୍ରୀରାମ ଓ ଜୟ ବଜରଙ୍ଗବାଲୀ ନାରା ଦେଇଥିଲେ। ମାଙ୍କଡ଼ଟି କିଛି ସମୟ ପିଞ୍ଜରା ଭିତରେ ରହିବା ପରେ ତା’ର ହୋଶ ଆସିଥିଲା। ନିଜକୁ ପିଞ୍ଜରା ଭିତରେ ପାଇ ସେ ପୂରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

Advertisment

ଉକ୍ତ ଅଞ୍ଚଳରେ ମାଙ୍କଡ଼ର ଆତଙ୍କ ଜାରି ରହିଥିବାରୁ ଲୋକମାନେ ଛାତ ଉପରେ ବନ୍ଧୁକ ଓ ବାଡ଼ି ଧରି ବୁଲୁଥିଲେ। ଏହାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା। ମାଙ୍କଡଟି ୧୪ ଦିନ ମଧ୍ୟରେ ୮ ଜଣ ଛୋଟ ପିଲାଙ୍କ ସମେତ ମୋଟ ୨୦ ଜଣଙ୍କୁ ଆକ୍ରମଣ କରିଥିଲା। ଛାତ ଓ ଝରକା ଡେଇଁ ମାଙ୍କଡି ଲୋକଙ୍କ ଉପରକୁ ହଠାତ୍‌ ଡେଇଁ ସେମାନଙ୍କୁ ଆକ୍ରମଣ କରୁଥିଲା। ଆହତ ଲୋକ ଓ ପିଲାମାନଙ୍କ ଶରୀରରେ ମାଙ୍କଡ଼ ଆକ୍ରମଣ ଯୋଗୁ ଏକାଧିକ ଷ୍ଟିଜ୍‌ ମଧ୍ୟ ପଡ଼ିଛି।

ବାରମ୍ବାର ଆକ୍ରମଣ ପରେ ପ୍ରଶାସନ ମାଙ୍କଡ଼କୁ ଧରିବାକୁ ସକ୍ଷମ ହୋଇ ନଥିଲା। ଏହାପରେ ମାଙ୍କଡ଼କୁ ଧରିବା ପାଇଁ ପ୍ରଶାସନ ୨୧ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରିବା ସହ ସ୍ୱତନ୍ତ୍ର ଉଦ୍ଧାରକାରୀ ଟିମକୁ ଡାକିଥିଲା। ରାଜଗଡ଼ ମ୍ୟୁନସିପାଲ କର୍ପୋରେସନର ଅଧ୍ୟକ୍ଷ ବିନୋଦ ସାହୁ କହିଛନ୍ତି, “ମାଙ୍କଡ଼କୁ ଧରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରାଯାଇଥିଲା।

ଆମେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲୁ ଓ ଉଜ୍ଜୟୀନ ଜଙ୍ଗଲ ବିଭାଗର ଉଦ୍ଧାରକାରୀ ଟିମକୁ ଡାକିଥିଲୁ। ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ଲୋକମାନେ ଉଦ୍ଧାରକାରୀ ଟିମକୁ ସହଯୋଗ କରିଥିଲେ। ତେବେ ମାଙ୍କଡ଼କୁ ଧରିବା ପାଇଁ ୪ ଘଣ୍ଟାର ସମୟ ଲାଗିଥିଲା।

ଆମେ ମାଙ୍କଡ଼କୁ ଧରିବା ପାଇଁ ୨୧ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲୁ। ଏବେ ଉଦ୍ଧାରକାରୀ ଟିମକୁ ଏହି ଟଙ୍କା ଦିଆଯିବ।” ଧରାପଡ଼ିଥିବା ମାଙ୍କଡ଼ର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ଘଞ୍ଚ ଜଙ୍ଗଲ ମଧ୍ୟରେ ଛଡ଼ା ଯିବ ବୋଲି ଜଣାପଡ଼ିଛି।

Madhya Pradesh Monkey