Advertisment

ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍‌

ବାନ୍ଦା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନେତା ତଥା ମାଫିଆ ମୁଖତାରଙ୍କୁ ଅଷ୍ଟମ ଥର ପାଇଁ ଦଣ୍ଡିତ କରାଯାଇଛି।

author-image
Madhupriya Mistry
Mukhtar Ansari

Mukhtar Ansari

ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ତଥା ମାଫିଆ ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ୍‌। ନକଲି ଅସ୍ତ୍ର ଲାଇସେନ୍ସ ମାମଲାରେ ଉତ୍ତରପ୍ରଦେଶର ବାନ୍ଦା ଜେଲରେ ବନ୍ଦୀ ଥିବା ମାଫିଆ ମୁଖତାର୍ ଅନସାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ୩୬ବର୍ଷ ପୁରୁଣା ଅପରାଧ ପାଇଁ ବାରାଣସୀର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ମଙ୍ଗଳବାର ଦିନ ମୁଖତାର୍ ଅନସାରୀଙ୍କୁ ଦୋଷୀ ସାବ୍ୟସ୍ତ କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ରାୟ ଶୁଣାଇଛନ୍ତି କୋର୍ଟ।

Advertisment

ଏହି ମାମଲାରେ ତାଙ୍କ ଉପରେ ୨ ଲକ୍ଷ ୨ ହଜାର ଟଙ୍କା ଜରିମାନା କରାଯାଇଛି। ମାଫିଆ ମୁଖତାର୍‌ଙ୍କ ଦଣ୍ଡ ସମ୍ପର୍କରେ ଏକ ୫୪ ପୃଷ୍ଠାର ନିଷ୍ପତ୍ତି ଆସିଛି। ଏହି ଶୁଣାଣି ସମୟରେ ମୁଖତାର୍‌ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ବାନ୍ଦା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆନ୍ତଃରାଜ୍ୟ ଗ୍ୟାଙ୍ଗ (ଆଇଏସ୍‌-୧୯୧) ନେତା ତଥା ମାଫିଆ ମୁଖତାରଙ୍କୁ ଅଷ୍ଟମ ଥର ପାଇଁ ଦଣ୍ଡିତ କରାଯାଇଛି।

ଏହି ମାମଲାରେ ପୂର୍ବତନ ବିଧାୟକଙ୍କ ବିରୋଧରେ ଆଇପିସି ଧାରା ୪୬୬/୧୨୦ବି, ୪୨୦/୧୨୦, ୪୬୮/୧୨୮ ଏବଂ ଆର୍ମସ୍ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିଲା। ସିବିସିଆଇଡି ଅଭିଯୋଗ କରିଥିଲା ଯେ, ବିଧାୟକ ଥିବାବେଳେ ଜୁନ୍ ୧୦, ୧୯୮୭ରେ ନକଲି ଦଲିଲ ଆଧାରରେ ଅନସାରୀ ମାରଣାସ୍ତ୍ର ଲାଇସେନ୍ସ ପାଇଥିଲା। ଏଥିପାଇଁ ସେ ତତ୍କାଳୀନ ଜିଲ୍ଲା ମାଜିଷ୍ଟ୍ରେଟ ଆଲୋକ ରଂଜନ ଏବଂ ଏସପି ଦେବରାଜ ନାଗରଙ୍କ ଜାଲ୍ ଦସ୍ତଖତର ବ୍ୟବହାର କରିଥିଲେ।

Advertisment

୩୬ ବର୍ଷ ପୁରୁଣା ଏହି ମାମଲାରେ ମୁଖତାରଙ୍କ ସମେତ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟ ଜଣେ ହେଲେ ମୁଖତାରଙ୍କ ସହଯୋଗୀ ଗୌରୀ ଶଙ୍କର। ତେବେ ପୂର୍ବରୁ ଗୌରୀ ଶଙ୍କରଙ୍କ ମୃତ୍ୟୁ ହୋଇସାରିଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୮ଟି ମାମଲାରେ ମୁଖତାର୍‌ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କ ବିରୋଧରେ ଆହୁରି ୨୨ଟି ମାମଲା ବିଚାରାଧୀନ ରହିଛି। ତେଣୁ ଆଗକୁ ତାଙ୍କ ଅଡୁଆ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। 

Mukhtar Ansari Sentenced To Life Imprisonment