Advertisment

ମୁକୁଲ ରାୟଙ୍କ ପରଲୋକ

author-image
Jitendra Garnayak
Mukul Roy

ତୃଣମୂଳ କଂଗ୍ରେସ (ଟିଏମସି) ନେତା ତଥା ପୂର୍ବତନ ରେଳମନ୍ତ୍ରୀ ମୁକୁଲ ରାୟଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।

Advertisment

ଗତ ୩ ବର୍ଷ ହେଲାଣି ଅସୁସ୍ଥ ରହୁଥିବା ମୁକୁଲ ରାୟ ଗତ କିଛିଦିନ ହେଲା କୋମାକୁ ଚାଲିଯାଇଥିଲେ। କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ରଖାଯାଇଥିଲା। ଗତକାଲି ରାତି ସାଢ଼େ ୧ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ବୋଲି ତାଙ୍କ ପୁଅ ଶୁଭ୍ରାଂଶୁ ରାୟ ସୂଚନା ଦେଇଛନ୍ତି।

ଏକଦା ମୁକୁଲ ରାୟ ତୃଣମୂଳ କଂଗ୍ରେସର ନମ୍ବର ୨ ନେତା ଥିଲେ। କିନ୍ତୁ ସାରଦା ଚିଟ୍ ଫଣ୍ଡ୍ ଘୋଟାଲା ଓ ସାରଦା ଷ୍ଟିଙ୍ଗ ଅପରେସନରେ ପଡ଼ିବା ପରେ ସେ ବିବାଦୀୟ ହୋଇପଡ଼ିଥିଲେ। ଦଳର ପଦପଦବୀରୁ ତାଙ୍କୁ ହଟାଇ ଦିଆଯାଇଥିଲା।

Advertisment

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ୨୦୧୭ରେ ବିଜେପିରେ ଯୋଗ ଦେଇଥିଲେ ମୁକୁଲ। ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିକୁ ଅଧିକ ସଂଖ୍ୟକ ଆସନରେ ବିଜୟୀ କରାଇବାରେ ତାଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

ସେ ଦୁଇ ଥର ତୃଣମୂଳ କଂଗ୍ରେସ ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ୨୦୦୬ରୁ ୨୦୧୭ ପର୍ଯ୍ୟନ୍ତ ସେ ରାଜ୍ୟସଭାର ସଦସ୍ୟ ଥିଲେ। ୨୦୧୭ରେ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବା ସହିତ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେ ଉପା ସରକାର ଅମଳରେ ଜାହାଜ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଓ ରେଳମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

୨୦୨୧ରେ ମୁକୁଲ ରାୟ ବିଜେପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କୁ ବିରୋଧୀ ଦଳ ନେତା କରାଯିବାର ମାସ୍କ ପରେ ମୁକୁଲ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସକୁ ଫେରିଥିଲେ। ବିଜେପି ତାଙ୍କୁ ଗୁରୁତ୍ୱ ନଦେବା ଅନୁଭବ କରି ସେ ଏମିତି ପଦକ୍ଷେପ ନେଇଥିବା କୁହାଯାଏ।

୨୦୨୫ରେ କୋର୍ଟ ମୁକୁଲ ରାୟଙ୍କ ବିଧାନସଭା ସଦସ୍ୟ ପଦକୁ ରଦ୍ଦ କରିଥିଲେ। ସେ ଦଳ ବଦଳାଇ ଥିବାରୁ କୋର୍ଟ ଏହି ରାୟ ଦେଇଥିଲେ।

୨୦୨୩ରୁ ଅସୁସ୍ଥ ରହୁଥିଲେ ମୁକୁଲ ରାୟ। ଗତ ଦୁଇ ବର୍ଷରେ ତାଙ୍କୁ ଏକାଧିକ ବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଆଉ କାହାକୁ ଚିହ୍ନି ପାରୁନଥିଲେ।