ବିଏମସି
ମୁମ୍ବାଇ ପୌର ନିର୍ବାଚନ ପାଇଁ ବାଜିଛି ବିଗୁଲା। ଦୀର୍ଘ ୯ ବର୍ଷ ପରେ ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି) ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ଜାନୁଆରୀ ୧୫ ତାରିଖରେ ଲୋକମାନେ ବିଏମସି ନିର୍ବାଚନ ପାଇଁ ମତାଧିକାର ସାବ୍ୟସ୍ତ କରିବେ। ଏହାର ରେଜଲ୍ଟ ଦିନକ ପରେ ଅର୍ଥାତ ଜାନୁଆରୀ ୧୬ରେ ପ୍ରକାଶ ପାଇବ। ବିଏମସି ସହ ଅନ୍ୟ ୨୯ଟି ପୌର ନିଗମ ପାଇଁ ମଧ୍ୟ ଭୋଟିଂ ହେବ।
ନଭି ମୁମ୍ବାଇ(Mumbai), ଥାଣେ, ପୁଣେ, ନାଶିକ, ନାଗପୁର ଓ ଛତ୍ରପତି ଶମ୍ବାଜୀନଗର ଭଳି ପ୍ରମୁଖ ପୌର ନିଗମ ପାଇଁ ଲୋକମାନେ ଭୋଟ ଦେବେ। ସକାଳ ୭.୩୦ରୁ ଭୋଟି ଆରମ୍ଭ ହୋଇ ସନ୍ଧ୍ୟା ୫.୩୦ ଯାଏ ଚାଲିବ।
ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ ଅଧିକାରୀ ଦୀନେଶ ୱାଘମାରେ କହିଛନ୍ତି ଯେ ପ୍ରଚଳିତ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ, ୨୦୨୫ ଜୁଲାଇ ୧କୁ ବିଜ୍ଞପ୍ତି ପ୍ରକାଶର ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ସେହି ତାରିଖରେ ତାଲିକା ଭୁକ୍ତ ହୋଇଥିବା ନିର୍ବାଚନ ମଣ୍ଡଳୀକୁ ୱାର୍ଡ ଅନୁସାରେ ଭାଗ କରାଯାଇଛି। ଉକ୍ତ ୱାର୍ଡ ଗୁଡ଼ିକରେ ପୌର ନଗିମ(Bmc) ନିର୍ବାଚନ ହେବ।
ଆଶାୟୀମାନେ ଡିସେମ୍ବର ୨୩ରୁ ୩୦ ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ। ଡିସେମ୍ବର ୩୧ରେ ନାମାଙ୍କନର ଯାଞ୍ଚ ହେବ। ୨୦୨୬ ଜାନୁଆରୀ ୨ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିବାର ସୁଯୋଗ ପାଇବେ। ଜାନୁଆରୀ ୩ରେ ଚୂଡ଼ାନ୍ତ ତାଲିକା ସହ ନିର୍ବାଚନ ଚିହ୍ନ ଜାରି କରାଯିବ।
ନାମାଙ୍କନ ଦାଖଲ ବେଳେ ଜାତିଗତ ପ୍ରମାଣପତ୍ରର ଯାଞ୍ଚକୁ ବାଧ୍ୟତାମୂଳକ କରାଯାଇଛି। ଆଜି ଠାରୁ ବିଧିବଦ୍ଧ ଭାବେ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ୱାଘମାରେ ସୂଚନା ଦେଇଛନ୍ତି।
ବିଏମସି ନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ସର୍ବାଧିକ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଆଜି ହିଁ ୱାର୍ଡ ସ୍ତରୀୟ ଭୋଟର ତାଲିକା ପ୍ରକାଶ ପାଇଛି। ଡିସେମ୍ବର ୨୦ରେ ପୋଲିଂ ଷ୍ଟେସନର ତାଲିକା ପ୍ରକାଶ ପାଇବ। ସେହିପରି ପୋଲିଂ ଷ୍ଟେସନ ସ୍ତରୀୟ ଭୋଟର ତାଲିକା ଡିସେମ୍ବ ୨୭ରେ ଜାରି କରାଯିବ ବୋଲି ସେ କହିଛନ୍ତି।
ବିଏମସି ସମେତ ୨୯ଟି ପୌର ନିଗମରେ ୨୮୬୯ଟି ଆସନ ରହିଛି ଓ ୩.୪୮ କୋଟି ଯୋଗ୍ୟ ଭୋଟର ଏଥିପାଇଁ ମତଦାନ କରିପାରିବେ। ନିର୍ବାଚନ ପାଇଁ ଆବଶ୍ୟକ ଇଭିଏମ ପହଞ୍ଚି ସାରିଛି। ଏହା ମଧ୍ୟରେ ୪୩,୯୫୮ କଣ୍ଟ୍ରୋଲ ୟୁନିଟ ଓ ୮୭,୯୧୬ ବାଲଟ ୟୁନିଟ ରହିଛି।
ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନର ପ୍ରାୟ ୧୦,୧୧୧ ପୋଲିଂ ଷ୍ଟେସନ ପାଇଁ ୧୧,୩୪୯ଟି କଣ୍ଟ୍ରୋଲ ୟୁନିଟ ଓ ୨୨,୬୯୮ ବାଲଟ ୟୁନିଟର ବ୍ୟବସ୍ଥା କରାଯାଇଛି। ୨୯ଟି ପୌର ନିଗମ ମଧ୍ୟରୁ ଜାଲନା ଓ ଇଚ୍ଛାଲକାରାଞ୍ଜି ନୂଆ ପୌର ପାଳିକା। ୨୦୨୦ରେ ୫ଟି ପୌର ନିଗମ, ୨୦୨୨ରେ ୧୮ଟି ପୌର ନିଗମ ଓ ୨୦୨୩ରେ ୪ଟି ପୌର ନିଗମ କାର୍ଯ୍ୟକାଳ ଶେଷ ହୋଇଥିଲା।
୨୦୧୭ ବିଏମସି ନିର୍ବାଚନରେ କୌଣସି ଦଳ ୨୨୭ ସଦସ୍ୟ ବିଶିଷ୍ଟ ପୌର ନିଗମରେ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲେ। ସେତେବେଳେ ଅବିଭାଜିତ ଶିବସେନା ୮୪ଟି ଆସନ ସହ ଏକକ ସର୍ବବୃହତ୍ତ ଦଳ ଭାବେ ଉଭୟ ହୋଇଥିଲା। ବିଜେପି ୮୨ଟି ଆସନ ଜିତିଥିଲା। ନିର୍ବାଚନ ପରେ ବିଜେପି ପକ୍ଷରୁ ଶିବସେନାର ମେୟରଙ୍କୁ ସମର୍ଥନ ଦିଆଯାଇଥିଲା। କଂଗ୍ରେସ ୩୧ଟି, ଏନସିପି ୯ଟି ଓ ମହାରାଷ୍ଟ୍ର ନବ ନିର୍ମାଣ ସେନା ୭ଟି ଆସନ ଜିତିଥିଲା।
ବିଏମସି ନିର୍ବାଚନରେ ବିଜେପି ଓ ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଏକାଠି ଲଢ଼ିବେ। ଏହି ମେଣ୍ଟକୁ କାଉଣ୍ଟର କରିବେ ପାଇଁ କଂଗ୍ରେସ, ଉଦ୍ଧବ ଠାକରେଙ୍କ ଶିବସେନା ଓ ଶରଦ ପାୱାରଙ୍କ ଏନସିପି ଲକ୍ଷ୍ୟ ରଖିଛନ୍ତି।
ଏହାପୂର୍ବରୁ ଡିସେମ୍ବର ୨ରେ ମହାରାଷ୍ଟ୍ରର ୨୪୨ଟି ପୌର ପରିଷଦ ଓ ୪୬ଟି ନଗର ପଞ୍ଚାୟତରେ ନିର୍ବାଚନ ହୋଇଥିଲା। କିନ୍ତୁ ବମ୍ବେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁ ଏହା ରେଜଲ୍ଟ ପ୍ରକାଶ ହୋଇନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/12/15/bmc-2025-12-15-18-01-41.jpg)