ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାରେ ପୁଣେ ପୋର୍ସେ କାର୍ ଦୁର୍ଘଟଣା ଭଳି ନୂଆ ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସୁଛି। ପୁଅକୁ ବଞ୍ଚାଇବା ପାଇଁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହ ଡ୍ରାଇଭର ମୁଣ୍ଡରେ ଦୋଷ ଲଦି ଦେବାକୁ ଚେଷ୍ଟା କରିଥିବା ପୁଲିସ ଅଭିଯୋଗ କରିଛି।
ପୁଲିସ କୋର୍ଟରେ କହିଛି ଯେ, ମିହିର ଦୁର୍ଘଟଣା ଘଟାଇବା ପରେ ତାଙ୍କ ବାପା ତଥା ଶିବସେନା ନେତା ରାଜେଶ ଶାହ ତାଙ୍କୁ ବାରମ୍ବାର କଲ୍ କରିଥିଲେ ଏବଂ ଡ୍ରାଇଭର ସିଟ୍ ଛାଡ଼ି ଅନ୍ୟ ସିଟରେ ବଶିବାକୁ ପରାମର୍ଶ ଦେଇଥିଲେ। ଏପରି କରିବା ଦ୍ୱାରା ଡ୍ରାଇଭର ମୁଣ୍ଡରେ ସବୁ ଦୋଷ ଲଦି ଦେବାକୁ ଚେଷ୍ଟା କରାଯାଇଥିବା ପୁଲିସ କୋର୍ଟରେ କହିଛି।
କୋର୍ଟ ରାଜେଶ ଶାହଙ୍କୁ ଜୁଲାଇ ୧୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଏବଂ ଡ୍ରାଇଭର ରାଜଋଷି ବିଦୱାତକୁ ଗୋଟିଏ ଦିନ ପୁଲିସ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସେନାର ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର ଶାହ(୨୪)। ସେ ରବିବାର ସକାଳେ BMW କାରରେ ଆସିବା ସମୟରେ ଓର୍ଲି ନିକଟରେ ସ୍କୁଟିରେ ଯାଉଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ୱାମୀ-ସ୍ତ୍ରୀ କିଛି ଫୁଟ ଉପରକୁ ଉଠିଯାଇ କାର୍ ଉପରେ ପଡ଼ିଥିଲେ।
ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ସେଠାରେ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏହି ମାମଲାରେ ପୁଲିସ ଗତକାଲି ରାଜେଶ ଶାହ ଏବଂ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେପଟେ ମିହିର ଫେରାର୍ ଥିବାବେଳେ ପୁଲିସ ୬ଟି ଟିମ୍ ଗଠନ କରି ତାଙ୍କୁ ଖୋଜାଖୋଜି କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।