Advertisment

ରାଗିଗଲା ମୁମ୍ବାଇ ପୁଲିସ: ଅଟଳ ସେତୁରେ ଯା’ଆସ କରୁଥିବା ଲୋକଙ୍କୁ ଦେଲା ଚେତାବନୀ, ହେବ ଏଫ୍‌ଆଇଆର

ଜାନୁଆରୀ ୧୨ ତାରିଖରେ ଉଦ୍‌ଘାଟିତ ହୋଇଥିଲା ଅଟଳ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିଥିଲେ। ଅଟଳ ସେତୁ ହେଉଛି ଭାରତର ଦୀର୍ଘତମ ସମୁଦ୍ର ସେତୁ। ଏହାର ଲମ୍ବ ହେଉଛି ୨୧.୮ କିଲୋମିଟର।

author-image
Jitendra Garnayak
People on Atal Setu

People on Atal Setu

ଜାନୁଆରୀ ୧୨ ତାରିଖରେ ଉଦ୍‌ଘାଟିତ ହୋଇଥିଲା ଅଟଳ ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପିତ କରିଥିଲେ। ଅଟଳ ସେତୁ ହେଉଛି ଭାରତର ଦୀର୍ଘତମ ସମୁଦ୍ର ସେତୁ। ଏହାର ଲମ୍ବ ହେଉଛି ୨୧.୮ କିଲୋମିଟର। ଏହି ସେତୁ ମୁମ୍ବାଇର ସେୱରୀରୁ ବାହାରି ରାୟଗଡ଼ ଜିଲ୍ଲାର ଦହୱା ଶେୱାରେ ଶେଷ ହୋଇଛି। ପୂର୍ବରୁ ସାଉଥ୍‌ ମୁମ୍ବାଇରୁ ନଭି ମୁମ୍ବାଇକୁ ୨ ଘଣ୍ଟା ଲାଗୁଥିବା ବେଳେ ଏବେ ଅଟଳ ସେତୁରେ ଗଲେ ମାତ୍ର ୧୫ରୁ ୨୦ ମିନିଟ୍ ଲାଗିବ।

Advertisment

୪ ଦିନ ତଳେ ଅଟଳ ସେତୁର ଲୋକାର୍ପଣ ହୋଇଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ଏହି ସେତୁ ଉପରେ ଯିବାଆସିବା କରୁଥିବା ଲୋକେ କିଛି ସମୟ ପାଇଁ ଅଟକି ଯାଉଛନ୍ତି। ସେମାନେ ଗାଡ଼ିକୁ ସେତୁ ଉପରେ ପାର୍କିଂ କରି ସେଠାରୁ ସମୁଦ୍ରର ଦୃଶ୍ୟକୁ ଉପଭୋଗ କରୁଛନ୍ତି। ସେଲ୍‌ଫି ଉଠାଉଛନ୍ତି। ଫଟୋ ଉଠାଉଛନ୍ତି। ଅନେକ ସମୟ ଧରି ଲୋକେ ଗାଡି ପାର୍କ କରି ସେତୁ ଉପରେ ବୁଲାବୁଲି କରୁଛନ୍ତି। ଫଳରେ ସେତୁ ଉପରେ ଲମ୍ବା ପାର୍କିଂ ଦେଖିବାକୁ ମିଳୁଛି। ସେତୁ ଉପରେ ଗାଡ଼ିଗୁଡ଼ିକୁ ଘଣ୍ଟା ପ୍ରତି ୧୦୦ କିମି ବେଗରେ ଯିବାକୁ ଅନୁମତି ମିଳିଥିବା ବେଳେ ଲୋକେ ସେଠାରେ ଏମିତି ବୁଲାବୁଲି କଲେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।

କେବଳ ଏତିକି ନୁହେଁ, ସେତୁ ଉପରେ ଲୋକେ ବୁଲାବୁଲି କରି ଫଟୋ ଉଠାଇବା ସହିତ ତା’ କଡ଼ରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି। ପଇଡ ପିଇ ପକାଇ ଦେଉଛନ୍ତି। ଏନେଇ କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ସେତୁ ଉପରେ ଲୋକଙ୍କ ଏହି ସବୁ ଆଚରଣକୁ ଦେଖି ରାଗି ଯାଇଛି ମୁମ୍ବାଇ ପୁଲିସ୍।

Advertisment

ମୁମ୍ବାଇ ପୁଲିସ୍ ପକ୍ଷରୁ ସୋଶାଲ ମିଡିଆରେ ଏକ ପୋଷ୍ଟ କରାଯାଇ ଅଟଳ ସେତୁ ପିକ୍‌ନିକ୍ ସ୍ପଟ୍ ନୁହେଁ ବୋଲି କୁହାଯାଇଛି। ସେତୁ ଉପରେ ଯିଏ ଗାଡ଼ି ରଖି ବୁଲାବୁଲି କରିବେ, ଫଟୋ ଉଠାଇବେ ବା ସୁରକ୍ଷା ବାଡ଼ ଉପରେ ଚଢ଼ିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି।

ମୁମ୍ବାଇ ପୁଲିସ୍ ପକ୍ଷରୁ କୁହାଯାଇଛି, ଆମେ ଜାଣିଛୁ ଯେ ଅଟଳ ସେତୁ ନିଶ୍ଚିତ ଭାବେ ଏକ ଦେଖିବା ଭଳି ଜିନିଷ। କିନ୍ତୁ ତା’ ଉପରେ ଗାଡ଼ି ପାର୍କ କରି ଅଟକିବା ଓ ଫଟୋ ଉଠାଇବା ବେଆଇନ। ଯଦି କେହି ଅଟଳ ସେତୁ ଉପରେ ଅଟକିବେ, ତାଙ୍କ ବିରୋଧରେ ଏଫ୍‌ଆଇଆର ହେବ।

ସୂଚନାଯୋଗ୍ୟ, ଅଟଳ ସେତୁ ନିର୍ମାଣ ପାଇଁ ୭ ବର୍ଷ ଲାଗିଥିଲା। ଏଥିପାଇଁ ୧୭ ହଜାର ୮୪୦ କୋଟି ଟଙ୍କା ବ୍ୟୟ ହୋଇଛି। ଏହି ସେତୁ ୬ ଲେନ୍ ବିଶିଷ୍ଟ ହୋଇଛି। ବାଇକ୍, ଟ୍ରାକ୍ଟର ତଥା ଧିମା ଗତିରେ ଯା’ଆସ କରୁଥିବା ଗାଡ଼ିଗୁଡ଼ିକ ଏହା ଉପରେ ଚଳାଚଳ କରିପାରିବେ ନାହିଁ।

Atal Setu