Advertisment

ଚଣ୍ଡିଗଡ଼ ମେୟର ନିର୍ବାଚନ: ଦାୟିତ୍ୱରେ ଥିବା ଅଫିସରଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ

ବାଲଟ ପେପର ଓ ଭିଡିଓ ସଂରକ୍ଷିତ ହୋଇ ରହିବ। ଫେବୃଆରୀ ୧୯ରେ ପ୍ରିଜାଇଡିଂ ଅଫିସରଙ୍କୁ କୋର୍ଟରେ ହାଜର ହୋଇ ଭିଡିଓରେ ଦେଖାଯାଉଥିବା ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କରିଛନ୍ତି।

SC

SC

Advertisment

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ଚାଲିଥିବା ବିବାଦ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ନିର୍ବାଚନ ପରିଚାଳନା କରୁଥିବା ଅଫିସରଙ୍କ ଉପରେ ବର୍ଷିଛନ୍ତି। ଏଥିସହ ଗଣତନ୍ତ୍ରର ହତ୍ୟା କରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି।

Advertisment

ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସବୁ ଦସ୍ତାବିଜକୁ ଜବତ କରିବା ପାଇଁ ମଧ୍ୟ ସର୍ବୋଚ୍ଚ ଅଦାଲତ ରେଜିଷ୍ଟ୍ରା ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୯ରେ ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି।

ମେୟର ନିର୍ବାଚନରେ ଆପ ଓ କଂଗ୍ରେସ ପରାସ୍ତ ହୋଇଥିବା ବେଳେ ବିଜେପି ବାଜିମାତ କରିଥିଲେ। ତେବେ ଆପ୍‌ ଓ କଂଗ୍ରେସ ଅଭିଯୋଗ କରିଛନ୍ତି ଯେ ନିର୍ବାଚନ ପରିଚାଳନା କରୁଥିବା ପ୍ରିଜାଇଡିଂ ଅଫିସର ବିଜେପିକୁ ଜିତାଇବା ପାଇଁ ଭୋଟରେ ହେରଫେର କରିଛନ୍ତି।

Advertisment

ସେ ବାଲଟ ପେପରକୁ ଟାମ୍ପରିଂ କରିଥିବାରୁ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦୁଇ ଦଳ ଦାବି କରିଛନ୍ତି। ଆପ ଓ କଂଗ୍ରେସ ପାଖରେ ୨୦ ଜଣ ସଦସ୍ୟ ଥିବା ବେଳେ ବିଜେପି ପାଖରେ ୧୬ ଜଣ ସଦସ୍ୟ ଥିଲେ। କିନ୍ତୁ ପ୍ରିଜାଇଡିଂ ଅଫିସର ଦୁଇ ଦଳର ୮ଟି ଭୋଟକୁ ନାକଚ କରିଦେଇଥିଲେ। ତେଣୁ ବିଜେପି ପ୍ରାର୍ଥୀ ଚଣ୍ଡିଗଡ଼ ମେୟର ନିର୍ବାଚନ ଜିତିଛନ୍ତି।

ଏହା ବିରୋଧରେ ଆପ ଦିଲ୍ଲୀ ଓ ଚଣ୍ତିଗଡ଼ରେ ବିକ୍ଷୋଭ କରିଥିଲା। ନିର୍ବାଚନ ବିରୋଧରେ ଦଳ କୋର୍ଟରେ ଆବେନ କରିଛି। ଦଳ ଗୋଟିଏ ଭିଡିଓ ଜାରି କରି ରିଟର୍ଣ୍ଣିଂ ଅଫିସର ଅନୀଲ ମଶିହ ବାଲଟ ପେପରକୁ ହେରଫେର କରୁଥିବା ମଧ୍ୟ ଅଭିଯୋଗ କରିଛି।

ଏହାର ଶୁଣାଣି କରି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି, ରିଟର୍ଣ୍ଣିଂ ଅଫିସର ଯାହା କରିଛନ୍ତି, ତାହା ଗଣତନ୍ତ୍ରର ହତ୍ୟା କରିବା ସହ ସମାନ ଥିଲା। ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି ଯେ ସେ କ୍ୟାମେରାକୁ ଦେଖୁଛନ୍ତି ଓ ବାଲଟ ପେପରରେ କିଛି ଗୋଟେ କରୁଛନ୍ତି।

ଉକ୍ତ ଅଫିସରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ସେ କାହିଁକି କ୍ୟାମେରାକୁ ଚାହୁଁଥିଲେ? ସଲିସିଟର ଜେନେରାଲ ଏହା ଗଣତନ୍ତ୍ରକୁ ଉପହାସ। ଗଣତନ୍ତ୍ରର ହତ୍ୟା। ଆମେ ପୂରା ଚକିତ।

ଏହା କ’ଣ ଜଣେ ରିଟର୍ଣ୍ଣିଂ ଅଫିସରଙ୍କ ବ୍ୟବହାର? ଯେଉଁ ସବୁ କାଗଜର ତଳେ କ୍ରସ ଚିହ୍ନ ରହିଥିଲା, ସେ ସେଗୁଡ଼ିକୁ ଛୁଇଁ ନଥିଲେ। କିନ୍ତୁ ଯେଉଁ କାଗଜର ଟପରେ କ୍ରସ ଚିହ୍ନ ଥିଲା, ସେ ସେଗୁଡ଼ିକୁ ପରିବର୍ତ୍ତନ କରୁଥିଲେ। ଦୟା କରି ରିଟର୍ଣ୍ଣିଂ ଅଫିସରଙ୍କୁ କୁହନ୍ତୁ ଯେ ସୁପ୍ରିମକୋର୍ଟ ତାଙ୍କର ସବୁ କାରନାମାକୁ ଦେଖିଛନ୍ତି। ନିର୍ବାଚନ ପ୍ରକ୍ରିୟା ଠିକ ଭାବେ ପରିଚାଳନା କରିବା ସର୍ବୋପରି। ଗଣତନ୍ତ୍ରର ହତ୍ୟାକୁ କେବେ ହେଲେ ଅନୁମତି ମିଳିବ ନାହିଁ ବୋଲି ସିଜେଆଇ କହିଛନ୍ତି।

ବାଲଟ ପେପର ଓ ଭିଡିଓ ସଂରକ୍ଷିତ ହୋଇ ରହିବ। ଫେବୃଆରୀ ୧୯ରେ ପ୍ରିଜାଇଡିଂ ଅଫିସରଙ୍କୁ କୋର୍ଟରେ ହାଜର ହୋଇ ଭିଡିଓରେ ଦେଖାଯାଉଥିବା ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ଦେବାକୁ ମଧ୍ୟ ସର୍ବୋଚ୍ଚ ଅଦାଲତ କରିଛନ୍ତି।

ମାମଲାର ଶୁଣାଣି କରୁଥିବା ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରା ଚଣ୍ଡିଗଡ଼ ପୌପାଳିକାର ବିଜେଟ ଅଧିବେଶନ ଉପରେ ରୋକ ଲଗାଇ ଦେଇଛନ୍ତି। ମଙ୍ଗଳବାର ପୌରପାଳିକାର ବଜେଟ ଉପସ୍ଥାପନ ହେବାର ଥିଲା। କିନ୍ତୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବଜେଟ ଉପସ୍ଥାପନ ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଆପ୍‌ ତା’ ଆବେଦନରେ କହିଛି ଯେ ନିର୍ବାଚନ ଆଦୌ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ହୋଇନାହିଁ। ବାଲଟ ପେପରରେ ହେରଫେର କରାଯାଇଛି ଓ ଫଳାଫଳକୁ ଜାଣିଶୁଣି ବିଜେପି ସପକ୍ଷରେ ଘୋଷଣା କରାଯାଇଛି।

Supreme Court Chandigarh Mayoral Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe