Advertisment

ବଡ଼ କଥା କହିଲେ କୋର୍ଟ: ଏକାଧିକ ପତ୍ନୀ ରଖିପାରିବେ, କିନ୍ତୁ...

ଉପଯୁକ୍ତ ଓ ବୈଧ କାରଣ ପାଇଁ ବହୁ ବିବାହ ପ୍ରଥାକୁ ଅନୁମତି ଦିଆଯାଇଛି ସତ, କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମୁସଲିମ ବ୍ୟକ୍ତିମାନେ ଏହାର ଅପବ୍ୟବହାର କରୁଛନ୍ତି।

Court

Court

Advertisment

ନିକଟରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, ଜଣେ ମୁସଲିମ ବ୍ୟକ୍ତି ଗୋଟିଏରୁ ଅଧିକ ବିବାହ କରିପାରିବେ। ଯଦି ସେ ତାଙ୍କର ସମସ୍ତ ପତ୍ନୀଙ୍କୁ ସମାନ ଅଧିକାର ଦେଇ ପାରିବେ ଓ ସମାନ ଦୃଷ୍ଟିରେ ଦେଖିବେ, ତା’ହେଲେ ମୁସଲିମ ବ୍ୟକ୍ତି ଏକରୁ ଅଧିକ ବିବାହ କରିବାରେ କୌଣସି ଅସୁବିଧା ନାହିଁ।

Advertisment

ଏକକ ବେଞ୍ଚର ବିଚାରପତି ଅରୁଣ କୁମାର ସିଂହ ଦେସୱାଲ ଏପରି ମତ ରଖିଛନ୍ତି। ମୋରଦାବାଦର ଫୁରକାନ ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଆସିଥିବା ଅଭିଯୋଗର ଶୁଣାଣି କରିବା ବେଳେ ଜଷ୍ଟିସ ସିଂହ ଏହି ରୁଲିଂ ଦେଇଛନ୍ତି। କୋର୍ଟଙ୍କ କହିବା କଥା ଯେ କୁରାନରେ ବହୁ ବିବାହ ପ୍ରଥାକୁ ଅନୁମତି ମିଳିଛି। ଉପଯୁକ୍ତ ଓ ବୈଧ କାରଣ ପାଇଁ ବହୁ ବିବାହ ପ୍ରଥାକୁ ଅନୁମତି ଦିଆଯାଇଛି ସତ, କିନ୍ତୁ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ମୁସଲିମ ବ୍ୟକ୍ତିମାନେ ଏହାର ଅପବ୍ୟବହାର କରୁଛନ୍ତି।

ଜଷ୍ଟିସ ସିଂହ କହିଛନ୍ତି, “ଏହି କୋର୍ଟ ଆଗକୁ ଆହୁରି ମଧ୍ୟ କହିବାକୁ ଚାହୁଁଛନ୍ତି ଯେ ସମ୍ବିଧାନର ଧାରା ୨୫ରେ ଭାରତୀୟଙ୍କୁ ଧାର୍ମିକ ସ୍ୱାଧୀନତାର ଅଧିକାର ମିଳିଛି। ଜଣେ ବ୍ୟକ୍ତି ନିଜ ଇଚ୍ଛାରେ ଧର୍ମକୁ ମାନିବା, ଆଚରଣ କରିବା ଓ ପ୍ରଚାର କରିବାର ସ୍ୱତନ୍ତ୍ରତା ପାଇଛନ୍ତି। ଧାର୍ମିକ ବିଶ୍ୱାସ ଅନୁସାରେ ଜଣେ ବ୍ୟକ୍ତିଙ୍କୁ ସବୁ ପ୍ରକାରର ଅଧିକାର ମିଳିଛି। କିନ୍ତୁ ଏହି ଅଧିକାର ସାର୍ବଜନୀନ ବ୍ୟବସ୍ଥା, ନୈତିକତା ତଥା ସମ୍ବିଧାନର ଭାଗ-୩ରେ ଥିବା ଅନ୍ୟ ନିୟମରେ ବନ୍ଧା। ଏହି କାରଣରୁ ଧାରା ୨୫ ଅଧୀନରେ ଧାର୍ମିକ ସ୍ୱତନ୍ତ୍ରତା ସଂପୂର୍ଣ୍ଣ ଭାବେ ମୁକ୍ତ ନୁହେଁ, ଏହା ସରକାରଙ୍କ ଦ୍ୱାରା ରେଗୁଲେଟ କରାଯାଇ ପାରିବ।”

Advertisment

ବେଞ୍ଚ କହିଛନ୍ତି ଯେ ବିଧବା ଓ ବେସାହାରାଙ୍କ ସୁରକ୍ଷା ପାଇଁ ଇସଲାମିକ ସଂପ୍ରଦାୟରେ ବେଶ ଐତିହାସିକ ଢଙ୍ଗରେ ବହୁ ବିବାହ ପ୍ରଥାକୁ ଅନୁମତି ଦିଆଯାଇଛି। ଇତିହାସରେ ଏମିତି ଏକ ମୁହୂର୍ତ୍ତ ଥିଲା ଯେଉଁ ସମୟରେ ଆରବରେ ଆଦିମ ଜନଜାତି ସଂଘର୍ଷ ଯୋଗୁ ଅନେକ ମହିଳା ବିଧବା ହୋଇ ଯାଉଥିଲେ। ଛୋଟ ଛୋଟ ପିଲା ‌ଅନାଥ ହେଉଥିଲେ। ମଦିନାରେ ନବଜାତ ଇସଲାମିକ ସଂପ୍ରଦାୟର ସୁରକ୍ଷା କରିବାକୁ ଯାଇ ମୁସଲିମାନେ ଜୀବନ ହରାଉଥିଲେ। ଏପରି ସ୍ଥିତିରେ କୁରାନରେ ବହୁ ବିବାହ ପ୍ରଥାକୁ ସର୍ତ୍ତ ମୂଳକ ଅନୁମତି ମିଳିଥିଲା। ଶୋଷଣରୁ ବାପ ଛେଉଣ୍ଡ ପିଲା ଓ ସେମାନଙ୍କ ମା’ମାନଙ୍କୁ ରକ୍ଷା କରିବା ପାଇଁ ଏପରି ହୋଇଥିଲା ବୋଲି କୋର୍ଟ କହିଛନ୍ତି।

୨୦୨୦ରେ ଜଣେ ମହିଳା ଅଭିଯୋଗ କରିଥିଲେ ଯେ ଫୁରକାନ ପୂର୍ବରୁ ବିବାହ କରିଥିଲେ ହେଁ ଏହାକୁ ଗୋପନ ରଖି ତାଙ୍କୁ ବିବାହ କରିଥିଲେ। ବିବାହ ବେଳେ ସେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍‌ ଫୁରକାନ ଓ ଅନ୍ୟ ଦୁଇ ଜଣଙ୍କୁ ସମନ କରିଥିଲା। ଏହାପରେ ମାମଲା କୋର୍ଟରେ ପହଞ୍ଚିଥିଲା। ଫୁରକାନଙ୍କ ଓକିଲ ଯୁକ୍ତି କରିଥିଲେ ଯେ ମୁସଲିମ ଆଇନରେ ଜଣେ ବ୍ୟକ୍ତିଙ୍କୁ ୪ଟି ପତ୍ନୀ ରଖିବାର ଅଧିକାର ମିଳିଛି।

କୋର୍ଟ କହିଛନ୍ତି, ବିବାହ ବୈଧ ଥିବାରୁ ଦୁଷ୍କର୍ମ ଅଭିଯୋଗ ଲାଗୁ ହେବନି। ତେବେ ଘଟଣାର ଅଧିକ ଯାଞ୍ଚ ହେବା ଦରକାର। ତେଣୁ କୋର୍ଟ ଅଭିଯୋଗକାରୀଙ୍କୁ ନୋଟିସ କରିଛନ୍ତି। ସେହିପରି ମାମଲା ଶୁଣାଣି ନ ସରିବା ଯାଏ ଫୁରକାନଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

Uttar Pradesh Allahabad
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe