/odisha-reporter/media/post_attachments/uploadimage/library/16_9/16_9_0/Marriage_1753092537.jpg)
Marriage
ବର୍ତ୍ତମାନ ଭାରତ ଏଆଇ ଯୁଗରେ ପ୍ରବେଶ କରିଛି। ଡିଜିଟାଲ କ୍ଷେତ୍ରରେ ଭାରତ ଆଗକୁ ବଢ଼ିଛି। ସମସ୍ତେ ଆଇନକୁ ସମ୍ମାନ ଦେଇ କାମ କରିବାକୁ ଚେଷ୍ଟା କରୁଛନ୍ତି। ତଥାପି ଦେଶର ଏମିତି କିଛି ସ୍ଥାନ ରହିଛି, ଯେଉଁଠି ଆଇନକାନୁନର ମୂଲ୍ୟ ହିଁ କିଛି ନାହିଁ। ପଞ୍ଚାୟତ ବସି ଲୋକଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। କିଏ କାହାକୁ ବାହା ହେବ ଓ କାହାକୁ ଗାଁରେ ଏକଘରକିଆ କରାଯିବ, ତା’ର ନିଷ୍ପତ୍ତି ପଞ୍ଚାୟତର କିଛି ହାତ ଗଣତି ଲୋକ ନେବା ସମସ୍ତଙ୍କୁ ଚକିତ କରିଛି।
ଏହାର ଜ୍ୱଳନ୍ତ ଉଦାହରଣ ହରିୟାଣାର ଚରଖି ଦାଦ୍ରି ଜିଲ୍ଲାର ପାଟୁୱାସ ଗାଁରୁ ଆସିଛି। ଗାଁରେ ପଞ୍ଚାୟତ ବସି ଜଣେ ଦମ୍ପତିଙ୍କୁ ଅଲଗା ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦମ୍ପତି ଭିନ୍ନ ଧର୍ମର ହୋଇଥିଲେ ହେଁ ବିବାହ କରିଥିଲେ। ହିନ୍ଦୁ ଯୁବତୀଙ୍କୁ ମୁସଲିମ ଯୁବକ ବିବାହ କରିଥିବାରୁ ପଞ୍ଚାୟତ ପକ୍ଷରୁ ବିଚ୍ଛେଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମୁସଲିମ ବ୍ୟକ୍ତି ଓ ତାଙ୍କ ପରିବାରକୁ ଆଖପାଖ ୩ଟି ଗାଁରେ ନିଆଁ ପାଣି ବାସନ୍ଦ କରାଯାଇଛି।
୪ ଘଣ୍ଟା ଧରି ଚାଲିଥିବା ଏହି ମିଟିଂରେ ପାଟୱସ, ମହରାଣା ଓ ଖେରି ସାନୱାଲ ଗାଁରେ ରହୁଥିବା ଅନେକ ଲୋକ ସାମିଲ ହୋଇଥିଲେ। ଏହି ଜିଲ୍ଲାରେ ରହୁଥିବା ଶାହିଦ ତାଙ୍କ ପ୍ରେମିକ ପ୍ରୀତିଙ୍କୁ ବାହା ହେବାରୁ ପୂରା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଏଥିପାଇଁ ୩ ଗାଁର ଲୋକଙ୍କୁ ନେଇ ବୈଠକ ବସିଥିଲା।
ଗାଁ ମୁଖିଆ କପୁର ସିଂହ ଓ ଧର୍ମପାଲ ପଞ୍ଚାୟତ ବୈଠକର ନେତୃତ୍ୱ ନେଇଥିଲେ ଓ କହିଥିଲେ ଶାହିଦଙ୍କୁ ଗାଁରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏହାକୁ ଶାହିଦଙ୍କ ଜେଜେବାପା ଗ୍ରହଣ କରି ନେଇଥିଲେ। ଏହାପରେ ପଞ୍ଚାୟତ ପକ୍ଷରୁ ଶାହିଦଙ୍କ ପରିବାର ସହ ସମସ୍ତ ପ୍ରକାରର ସାମାଜିକ ସମ୍ପର୍କଚ୍ଛିନ୍ନ କରିବାରୁ ନିର୍ଦ୍ଦେଶ ମିଳିଥିଲା। ଶାହିଦ ଓ ପ୍ରୀତିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ମଧ୍ୟ ଗାଁ ମୁଖିଆ ନିର୍ଦ୍ଦେଶ ଜାରି କରିଛନ୍ତି।
ଧର୍ମପାଲ କହିଛନ୍ତି, “ବିଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ସେମାନଙ୍କ ମଧ୍ୟରେ ବିଚ୍ଛେଦ ହେବ। ପଞ୍ଚାୟତ ନେଇଥିବା ସବୁ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ।” ପୂରା ବିବାଦ ଜୁଲାଇ ୩ରେ ଆରମ୍ଭ ହୋଇଥିଲା। ଶାହିଦ ଓ ପ୍ରୀତିଙ୍କ ବିବାହ ଜୁଲାଇ ୩ରେ ମୁସଲିମ ପରମ୍ପରା ଅନୁସାରେ ହୋଇଥିଲା। ଏହି ଖବର ପ୍ରଚାର ହେବା ମାତ୍ରେ ଜୁଲାଇ ୬ରୁ ଗାଁରେ ବିକ୍ଷୋଭ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବାରୁ ମୁସଲିମମାନେ ସେମାନଙ୍କ ଦୋକାନ ବନ୍ଦ କରି ଦେଇଥିଲେ।
ସ୍ଥିତିକୁ ଦେଖି ପୁଲିସ୍ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରିଥିଲା। ଶାହିଦଙ୍କ ପରିବାର ଲୋକଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେଇଥିଲା। ଏସବୁ ଭିତରେ ଗାଁ ମୁଖି୍ରା ଧର୍ମପାଲଙ୍କ ମଧ୍ୟସ୍ଥତା କରି ଶାନ୍ତି ପ୍ରତିଷ୍ଠା ପାଇଁ ଅନେକ ଜନପ୍ରତିନିଧି ପରାମର୍ଶ ଦେଇଥିଲେ। ସେ ମଧ୍ୟ ରାଜି ହୋଇଥିଲେ।
ବିବାହ ପରେ ସରକାରଙ୍କ ସେଫ ହାଉସରେ ରହୁଥିବା ଶାହିଦ ଓ ପ୍ରୀତି ଅଲଗା ହେବାକୁ ନିଷ୍ପତ୍ତି ନେଇ ସତ୍ୟପାଠରେ ଦସ୍ତଖତ କରିଥିଲେ। ଏହାପରେ ସେମାନଙ୍କୁ ନିଜ ନିଜ ଘରକୁ ପଠାଯାଇଥିଲା। ତଥାପି ଗାଁର କିଛି ଯୁବକ ଏଥିରେ ସନ୍ତୁଷ୍ଟ ହୋଇ ନଥିଲେ। ତେଣୁ ରବିବାର ପଞ୍ଚାୟତ ବୈଠକ ବସିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
