ଘୃଣାର ପ୍ରଚାର ଭିତରେ ଏବେ ବି ରହିଛି ଭାଇଚାରା!

ଧାର୍ମିକ ଭାଇଚାରା ବଦଳରେ ସେମାନେ ଧାର୍ମିକ ଘୃଣା ବା ହିଂସା ଖବରକୁ ଗୁରୁତ୍ୱ ଦେଉଛନ୍ତି। ବାରମ୍ବାର ଏପରି ଖବର ଗୋଟିଏ ଧର୍ମର ଲୋକଙ୍କ ମନରେ ଆଉ ଗୋଟିଏ ଧର୍ମର ଲୋକଙ୍କ ପ୍ରତି ସନ୍ଦେହ ସୃଷ୍ଟି କରୁଛି।

ରାମ ନବମୀ ଶୋଭାଯାତ୍ରାରେ ସାମିଲ ଥିବା ଲୋକଙ୍କୁ ମୁସଲିମଙ୍କ ପକ୍ଷରୁ ଥଣ୍ଡା ପାନୀୟ ଦିଆଯାଉଛି

  • Published: Monday, 07 April 2025
  • , Updated: 07 April 2025, 03:03 PM IST

ରାଜନୀତିକ ପଶା ପାଲିରେ ଧର୍ମ ଗୋଟିଏ ପ୍ରମୁଖ ମୁଦ୍ଦା। ଏହାକୁ ପ୍ରସଙ୍ଗ କରି ବିଭିନ୍ନ ରାଜନୀତିକ ଦଳ ନିଜର ଭୋଟ ବ୍ୟାଙ୍କ ମଜବୁତ କରୁଛନ୍ତି। କିଏ ମୁସଲିମଙ୍କ ଓକିଲାତି କରୁଛି ତ ଆଉ କିଏ ନିଜକୁ ସବୁଠାରୁ ବଡ଼ ହିନ୍ଦୁ କହି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛି। ରାଜନେତା ଓ ରାଜନୀତିକ ଦଳଗୁଡ଼ିକ ପାଇଁ ଧର୍ମ ଗୋଟିଏ ପ୍ରମୁଖ ଅସ୍ତ୍ର। କିଛି ଜାତୀୟ ଗଣମାଧ୍ୟମ ମଧ୍ୟ ସବୁବେଳେ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ବିରୋଧରେ ଘୃଣାର ମଞ୍ଜି ବୁଣିବାରେ ବ୍ୟସ୍ତ। ସେମାନେ କିଛି ନିର୍ଦ୍ଦିଷ୍ଟ ରାଜନୀତିକ ଦଳଗୁଡ଼ିକ ଭଳି ନିଜ ଟିଭି ଚ୍ୟାନେଲ ଓ ପେପରରେ ଧର୍ମକୁ ନେଇ ବିଭିନ୍ନ ପ୍ରକାରର ଘୃଣାର ପ୍ରଚାର କରୁଛନ୍ତି।

ଧାର୍ମିକ ଭାଇଚାରା ବଦଳରେ ସେମାନେ ଧାର୍ମିକ ଘୃଣା ବା ହିଂସା ଖବରକୁ ଗୁରୁତ୍ୱ ଦେଉଛନ୍ତି। ବାରମ୍ବାର ଏପରି ଖବର ଗୋଟିଏ ଧର୍ମର ଲୋକଙ୍କ ମନରେ ଆଉ ଗୋଟିଏ ଧର୍ମର ଲୋକଙ୍କ ପ୍ରତି ସନ୍ଦେହ ସୃଷ୍ଟି କରୁଛି। ଧୀରେ ଧୀରେ ଏପରି ଧାରଣା ବିସ୍ଫୋରକ ରୂପ ମଧ୍ୟ ନେଉଛି। ଭିଡ଼ ହିଂସା ଏହାର ଉଦାହରଣ। ଏତେ ସବୁ ଘୃଣାର ପ୍ରଚାର ଓ ପ୍ରସାର ସତ୍ତ୍ୱେ ଏବେ ବି ଆମ ଦେଶରେ ଭାଇଚାରା ବଳବତ୍ତର ରହିଛି।

ରାଜନୀତି ଯେତେ ପ୍ରଦୂଷିତ ହୋଇଗଲେ ବି ଲୋକଙ୍କ ମନରେ ଏବେ ବି ସମ୍ବେଦନଶୀଳତା ବଞ୍ଚିଛି। ଏବେ ବି ସେମାନେ ଭାଇଚାରାରେ ବିଶ୍ୱାସ ରଖିଛନ୍ତି। କିଛି ନିର୍ଦ୍ଦିଷ୍ଟ ଲୋକ ଏହି ଭାଇଚାରାକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ସେମାନେ ବିଭିନ୍ନ ହିନ୍ଦୁ ଓ ମୁସଲିମ ପର୍ବରେ ଘୃଣାର ମଞ୍ଜି ବୁଣିବାକୁ ଚେଷ୍ଟା କରୁଛନ୍ତି। ତଥାପି ସେମାନେ ସଫଳ ହୋଇ ପାରୁ ନାହାନ୍ତି।

ଏହାର ଜ୍ୱଳନ୍ତ ଉଦାହରଣ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ରବିବାରା ପୂରା ଦେଶ ପବିତ୍ର ରାମ ନବମୀ ପାଳିଛି। ଏହି ଅବସରରେ ବେଙ୍ଗଲର ବିଭିନ୍ନ ସ୍ଥାନରେ ହିନ୍ଦୁ ଧର୍ମର ଲୋକ ଶୋଭାଯାତ୍ରା କରିଛନ୍ତି। ଏହି ଶୋଭାଯାତ୍ରାରେ କାଳେ କୌଣସି ଅଘଟଣ ଘଟିବ, ସେଥିପାଇଁ ପୁଲିସ୍‌ ପୂରା ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା। ଘୃଣାର ପ୍ରଚାର କରୁଥିବା ସୋଶାଲ ମିଡିଆ ଓ ରାଜନୀତିକ ଦଳଗୁଡ଼ିକର କୁହାଳିଆ ନେତାଙ୍କ ଉପରେ ବି ନଜର ରଖାଯାଇଥିଲା।

ଘୃଣାର ପ୍ରଚାର କରୁଥିବା କିଛି ଜାତୀୟ ଗଣମାଧ୍ୟମ ଅଘଟଣକୁ ଅପେକ୍ଷା କରି ରହିଥିଲେ। ଏସବୁ ଭିତରେ ହଠାତ୍‌ ପ୍ରଚାର ହୋଇଥିଲା ଯେ ହିନ୍ଦୁ ଧର୍ମର ଲୋକମାନଙ୍କ ରାମ ନବମୀ ଶୋଭାଯାତ୍ରା ଉପରେ କିଛି ଲୋକ କୋଲକାତାରେ ଆକ୍ରମଣ କରିଛନ୍ତି। ସେମାନଙ୍କ ଉପରକୁ ପଥର ମାଡ଼ କରାଯିବା ସହ ଗାଡ଼ି ଭଙ୍ଗାରୁଜା କରାଯାଇଛି। ଏପରି ଅଭିଯୋଗ ସହ କିଛି ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିରେ ଶେୟାର ହେଲା। ଏହାକୁ ଗଣମାଧ୍ୟମ ଗୁଡ଼ିକ ବେଶ ଉତ୍ସାହର ସହ ପ୍ରଚାର ପ୍ରସାର କଲେ। 

ସତେ ଯେମିତି ଦେଶର ସବୁଠାରୁ ବଡ଼ ଘଟଣା କୋଲକାତାରେ ଘଟିଛି, ସେଭଳି ଢଙ୍ଗରେ ଗଣମାଧ୍ୟମ ଗୁଡ଼ିକ ପ୍ରଚାର ଆରମ୍ଭ କରି ଦେଇଥିଲେ। ତଥାକଥିତ ଆକ୍ରମଣ ପାର୍କ ସର୍କସ ଅଞ୍ଚଳରେ ହୋଇଥିବା କୁହାଯାଇଥିଲା। କୋଲକାତା ପୁଲିସ୍‌ ଏପରି କୌଣସି ଆକ୍ରମଣ ହୋଇ ନଥିବା କହିଥିଲେ ହେଁ ଘୃଣା ସୃଷ୍ଟି କରୁଥିବା ଶକ୍ତିଙ୍କ ମନ ବୁଝି ନଥିଲା। ସେମାନେ ଆକ୍ରମଣ ଘଟଣାର ପ୍ରଚାର ପ୍ରସାର କରି ଚାଲିଥିଲେ।

ସେମାନେ ଏହି ଆକ୍ରମଣ ଅଭିଯୋଗ ଖବରକୁ ଯେତିକି ଗୁରୁତ୍ୱ ଦେଇଥିଲେ, ସେତିକି ପ୍ରାଥମିକତା ରାମ ନବମୀରେ ହିନ୍ଦୁ-ମୁସଲିମ ଭାଇଚାରାର ଉଦାହରଣକୁ ଦେଇ ନଥିଲେ। ଆକ୍ରମଣ ଖବରକୁ ସେମାନେ ଘନଘନ ପ୍ରଚାର କରିଥିଲେ। କିନ୍ତୁ ହିନ୍ଦୁମାନଙ୍କ ଶୋଭାଯାତ୍ରା ବେଳେ ମୁସଲିମାନେ କରିଥିବା ସହଯୋଗକୁ ଆଦୌ ପ୍ରଚାର ପ୍ରସାର କରି ନଥିଲେ। ଘୃଣା ଓ ବିଦ୍ୱେଷର ପ୍ରଚାର ମଧ୍ୟରେ ବେଙ୍ଗଲର ବିଭିନ୍ନ ସ୍ଥାନରୁ ସମସ୍ତଙ୍କୁ ଉତ୍ସାହିତ ଓ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଉକ୍ତ ଖବର ଘୃଣାର ପ୍ରଚାର କରୁଥିବା ରାଜନୀତିକ ଦଳ କିମ୍ବା ଗଣମାଧ୍ୟମକୁ ଆଦୌ ଭଲ ଲାଗୁ ନଥିବ। କିନ୍ତୁ ବାସ୍ତବରେ ହିନ୍ଦୁ ଓ ମୁସଲିମ ସଂପ୍ରଦାୟର ଲୋକ ଭାଇଚାରାକୁ ଅତୁଟ ରଖିବାକୁ ପୂରା ଚେଷ୍ଟା କରିଛନ୍ତି।

ବେଙ୍ଗଲର ଖିଦିରପୁର ଠାରୁ ପିଲଖାନା ଓ ମାଲଦା ଠାରୁ ବଙ୍ଗନଗର, କୋଲକାତା ଓ ବେଙ୍ଗଲର ବିଭିନ୍ନ ସ୍ଥାନରେ ସାଂପ୍ରଦାୟିକ ଏକତାର ବଳିଷ୍ଠ ପ୍ରମାଣ ରବିବାର ଦେଖିବାକୁ ମିଳିଛି। ରବିବାର ରାମ ନବମୀ ଶୋଭାଯାତ୍ରା ବେଳେ ମୁସଲିମ ସଂପ୍ରଦାୟର ମହିଳାଙ୍କ ଠାରୁ ଆରମ୍ଭ କରି ପୁରୁଷମାନେ ହିନ୍ଦୁ ଶ୍ରଦ୍ଧାଳୁଙ୍କ ଉପରେ ଫୁଲ ବର୍ଷା କରିଛନ୍ତି। ଟାଣ ଖରାରେ ସେମାନେ ଶୋଭାଯାତ୍ରା କରୁଥିବାରୁ ସେମାନଙ୍କୁ ଥଣ୍ଡା ପାନୀୟ ଓ ଖାଦ୍ୟ ପୁଡ଼ିଆ ଯୋଗାଇ ଦେଇଛନ୍ତି।

ଖିଦିରପୁରର ରେମାଉଣ୍ଟ ରୋଡରେ ମୁସଲିମ ସଂପ୍ରଦାୟର ଲୋକମାନେ ଆମ୍ବ ପଣା ଓ ଥଣ୍ଡା ପାନୀୟ ଧରି ଖରାରରେ ଛିଡ଼ା ହୋଇଥିଲେ। ବିଏନଆର ଗାର୍ଡେନ ରିଚ୍‌ ଠାରୁ ଆରମ୍ଭ ହୋଇଥିବା ରାମ ନମୀ ଶୋଭାଯାତ୍ରା ଉକ୍ତ ରାସ୍ତା ଦେଇ ଯିବା ବେଳେ ସେମାନେ ହିନ୍ଦୁ ଶ୍ରଦ୍ଧାଳୁଙ୍କୁ ଆମ୍ବ ଜୁସ ଓ ପାଣି ଦେଇଥିଲେ। କୋଲା ବର୍ଥ ରୋଡ ନିକଟ ଜଙ୍କସନ ୱେଲଫେୟାର ସୋସାଇଟୀ କ୍ଲବର ମହମ୍ମଦ ୟୁନୁସ କହିଛନ୍ତି, “ଭଲ ପାଇବା ଓ ସମ୍ମାନ ପ୍ରଦର୍ଶନ କରିବାର ଏହା ହେଉଛି ଆମର ମାଧ୍ୟମ। ଧର୍ମ ଲୋକମାନଙ୍କୁ ଏକାଠି କରିବାରେ ସହାୟକ ହୋଇଥାଏ। ଏହା ଆମକୁ କେବେ ହେଲେ ଭାଗଭାଗ କରିପାରିବ ନାହିଁ।”

ଆଉ କିଛି ସ୍ଥାନରେ ମୁସଲିମ ସଂପ୍ରଦାୟର ଲୋକମାନେ ରାସ୍ତା ସାରା ହିନ୍ଦୁ ଶୋଭାଯାତ୍ରାରେ ସାମିଲ ଥିବା ଲୋକମାନଙ୍କ ଉପରେ ଫୁଲ ବର୍ଷା କରି ଓ ହାତ ଯୋଡ଼ି ସ୍ୱାଗତ କରିଛନ୍ତି। ଫୁଲ ବର୍ଷାକରିଥିବା ଲତିଫୁର ରହମନ କହିଛନ୍ତି, “ଶୋଭାଯାତ୍ରା ଆସିବାରେ ବିଳମ୍ବ ହୋଇଥିଲା। ତଥାପି ଆମେ ଧୈର୍ଯ୍ୟର ସହ ଖରାରେ ସେମାନଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଥିଲୁ। ଏହା ଶାନ୍ତି ଓ ଏକତା ପ୍ରତି ଆମର ସ୍ୱଳ୍ପ ଅବଦାନ।”

ଲତିଫ ଓ ତାଙ୍କ ସହ ଥିବା ମୁସଲିମ ଲୋକମାନେ ସରବତ ପ୍ରସ୍ତୁତ କରି ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କୁ ଦେଇଥିଲେ। ହିନ୍ଦୁ ଧର୍ମର ଲୋକମାନେ ମଧ୍ୟ ମୁସଲିମ ସଂପ୍ରଦାୟର ଏପରି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଶ୍ରୀ ରାମ ନବମୀ ଉଦୟପାନ ସମିତି ପକ୍ଷରୁ ଆୟୋଜିତ ରାଲିର ଆୟୋଜନ କରିଥିବା ନବୀନ ସିଂହ କହିଛନ୍ତି, “ମୁସଲିମ ଲୋକଙ୍କ ଏପରି ପଦକ୍ଷେପ ଦେଖି ମୁଁ ଚକିତ ଓ ପ୍ରଭାବିତ। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଶୋଭାଯାତ୍ରାରେ ସାମିଲ ଥିବା ଲୋକଙ୍କୁ ବେଶ ଯନ୍ତ୍ରଣା ଦେଇଥିଲା। ସେମାନେ ପୂରା କ୍ଲାନ୍ତ ହୋଇ ଯାଇଥିଲେ। କିନ୍ତୁ ଆମ ମୁସଲିମ ବନ୍ଧୁମାନଙ୍କ ସହଯୋଗ ଆମ ହୃଦୟକୁ ଜିତି ନେଇଛି।”

ହାୱଡା ଖାଟିକ ସମାଜ ପକ୍ଷରୁ ଆୟୋଜିତ ରାମ ନବମୀ ଶୋଭାଯାତ୍ରା ଜନଗହଳୀପୂର୍ଣ୍ଣ ଉତ୍ତର ହାୱଡାରେ ଥିବା ପିଲଖାନା ଦେଇ ଯାଇଥିଲା। ଏଠାରେ ମୁସଲିମ ସଂପ୍ରଦାୟର ଲୋକମାନେ ସରବତ ଓ ଥଣ୍ଡା ପାଣି ଦେଇ ଶ୍ରଦ୍ଧାଳୁଙ୍କୁ ସ୍ୱାଗତ କରିଥିଲେ। ଏଠାରେ ୯୦% ଲୋକ ହେଉଛନ୍ତି ମୁସଲିମ। ତଥାପି ସେମାନେ ହିନ୍ଦୁ ଶୋଭାଯାତ୍ରା କେମିତି ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେବ, ତା’ର ବ୍ୟବସ୍ଥା କରିଥିଲେ।

ପିଲଖାନା ଚୋୱମଠ ନିକଟରେ ଅନ୍ୟମାନଙ୍କ ସହ ଶୋଭାଯାତ୍ରାକୁ ଅପେକ୍ଷା କରିଥିବା ଅନୱର ଅଲୀ କହିଛନ୍ତି, “ପରସ୍ପରର ଧର୍ମ ପ୍ରତି ଆମର ସମ୍ମାନ ରହିଛି। ଦୁଇ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଏଠାରେ ସୌହାର୍ଦ୍ଦ୍ୟ ରହିଛି। ପିଲଖାନାରେ ୯୦% ଲୋକ ହେଉଛନ୍ତି ମୁସଲିମ। କିନ୍ତୁ ଆମେ ଆରମ୍ଭରୁ ହିଁ ରାମ ନବମୀ ଶୋଭାଯାତ୍ରାକୁ ସମର୍ଥନ କରି ଆସୁଛୁ। ଏପରି ଭାବେ ଦୁଇ ସଂପ୍ରଦାୟର ଲୋକମାନେ ଏକାଠି ରହିବା ଦରକାର।”

ମୁସଲିମ ସଂପ୍ରଦାୟର ଲୋକମାନେ ଏଠାରେ ୬ଟି ସ୍ଥାନରେ ହିନ୍ଦୁ ସଂପ୍ରଦାୟର ଲୋକଙ୍କ ପାଇଁ ସରବତ, ପାଣି ଓ ଖାଦ୍ୟ ପୁଡ଼ିଆର ବ୍ୟବସ୍ଥା କରିଥିଲେ। ଜାକିର ଅହମଦ ଓ ମହମ୍ମଦ ଇର୍ଶାଦଙ୍କ ଭଳି ମୁସଲିମ ସଂପ୍ରଦାୟର ବରିଷ୍ଠ ଲୋକମାନେ ରାସ୍ତା କଡ଼ରେ ବସି ଶୋଭାଯାତ୍ରୀଙ୍କୁ ହାତ ଯୋଡ଼ି ସ୍ୱାଗତ ବି କରିଥିଲେ।

ଖାଲି ଯେ ମୁସଲିମ ସଂପ୍ରଦାୟର ଲୋକମାନେ ହିନ୍ଦୁ ଲୋକଙ୍କୁ ଏପରି ସହଯୋଗ କରନ୍ତି, ତାହା ନୁହେଁ। ରମଜାନ ବେଳେ ହିନ୍ଦୁ ଧର୍ମର ଲୋକ ମୁସଲିମମାନଙ୍କ ପାଇଁ ଇଫତାର ପାର୍ଟି ବି ଆୟୋଜନ କରନ୍ତି। ହାୱଡା ଖାଟିକ ସମାଜର ସାଧାରଣ ସମ୍ପାଦକ ଜିତ ଲାଲ ସୋନକର କହିଛନ୍ତି, “ସମାନ ଢଙ୍ଗରେ ହିନ୍ଦୁମାନେ ଇଫତାର ପାର୍ଟି ଆୟୋଜନ କରନ୍ତି ଓ ଆମ ମୁସଲିମ ଭାଇମାନଙ୍କୁ ରମଜାନ ଏବଂ ଇଦ ବେଳେ ଖାଦ୍ୟ ଯୋଗାଇ ଦିଅନ୍ତି। ଏହା ହେଉଛି ଗୋଟିଏ ମିନି ଭାରତ। ଏଠାରେ ଦୁଇ ସଂପ୍ରଦାୟର ପରସ୍ପରକୁ ସମ୍ମାନ ଦେଇ ଶାନ୍ତିପୂର୍ଣ୍ଣ ଭାବେ ରୁହନ୍ତି।” ସେହିପରି ସୟିଦ ଆଲାମ କହିଛନ୍ତି, “ଏହା ଦୁଇ ସଂପ୍ରଦାୟ ମଧ୍ୟରେ ଘୃଣାର ମଞ୍ଜି ବୁଣୁଥିବା ଲୋକଙ୍କ ପାଇଁ ଗୋଟିଏ ଶିକ୍ଷା। ସେମାନଙ୍କ ଘୃଣାର ମଞ୍ଜିକୁ ଆମେ କେବେ ହେଲେ ଆମ ଅଞ୍ଚଳରେ ଲଗାଇବାକୁ ଅନୁମତି ଦେଇ ପାରିବୁ ନାହିଁ।”

ଅନ୍ୟପକ୍ଷରେ ମାଲଦାରେ ଘଟିଥିବା ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି। ଏହି ଜିଲ୍ଲାର ମୋଥାବାରୀରେ ସାଂପ୍ରଦାୟିକ ହିଂସା ପ୍ରାୟତଃ ଦେଖାଯାଏ। ହେଲେ ରବିବାର ଏଠାରେ ଭିନ୍ନ ଏକ ଘଟଣା ଘଟିଛି। ରାମ ନବମୀରେ ଏଠାରେ ଅଘଟଣ ଆଶଙ୍କାରେ ପୁଲିସ୍‌ ପକ୍ଷରୁ ସବୁଠାରୁ ଅଧିକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଶେଷ କରି ଇଲସଲିଶ ବଜାରର ରବୀନ୍ଦ୍ର ସରଣୀରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଥିଲା। ଏଠାରେ ରାମ ନବମୀ ଶୋଭାଯାତ୍ରାରେ ସାମିଲ ଥିବା ଶତାଧିକ ହିନ୍ଦୁ ଲୋକ ଜୟ ଶ୍ରୀ ରାମ ନାରା ଦେଇ ଆଗକୁ ବଢ଼ିଥିଲେ।

ଏହି ସମୟରେ କିଛି ମୁସଲିମ ଯୁବକ ସେମାନଙ୍କ ଆଡ଼କୁ ଯାଇଥିଲେ ଓ ପୋଷ୍ଟ ଅଫିସ କ୍ରସିଂ ନିକଟରେ ଶ୍ରଦ୍ଧାଳୁଙ୍କ ଉପରେ ଫୁଲ ପାଖୁଡ଼ା ପକାଇଥିଲେ। ସେମାନଙ୍କୁ ଥଣ୍ଡା ପାଣି ଦେବା ସହ ଲଡ଼ୁ ଦେଇଥିଲେ। ଅଟକୋଶି ଅଞ୍ଜୁମାରିଆ ଆକବରିଆ ଇସଲାମିଆ ପକ୍ଷରୁ ଶୋଭାଯାତ୍ରୀଙ୍କ ପାଇଁ ଟେଣ୍ଟର ବ୍ୟବସ୍ଥା ହୋଇଥିଲା। ନୁର ଇସଲାମ, ଆସିଫ ହୁସେନ, କିରଣ ଏସ୍‌କେ ଓ ଅନ୍ୟମାନେ ରାମ ନବମୀ ଶୋଭଯାତ୍ରାରେ ସାମିଲ ଥିବା ଲୋକଙ୍କୁ ମିଠା ଓ ପାଣି ବାଣ୍ଟିବା କାମରେ ଲାଗି ପଡ଼ିଥିଲେ। ବିଜେପିର ଉତ୍ତର ମାଲଦା ସାଂସଦ ଖାଗେନ ମୁର୍ମୁ ଓ ଭିଏଚପିର କାଜଲ ଗୋସ୍ୱାମୀ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସେମାନଙ୍କୁ ମୁସଲିମ ସଂପ୍ରଦାୟର ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ।

ହିନ୍ଦୁ-ମୁସଲିମ ବିଦ୍ୱେଷ ବେଙ୍ଗଲରେ ସବୁଠାରୁ ଅଧିକ ବୋଲି କିଛି ରାଜନୀତିକ ଦଳ ଓ ଗଣମାଧ୍ୟମ ପ୍ରଚାର କରୁଛନ୍ତି। ୨୦୨୬ରେ ଏଠାରେ ବିଧାନସଭା ନିର୍ବାଚନ ଥିବାରୁ ସେମାନେ ଧର୍ମକୁ ନେଇ ରାଜନୀତିକ ପ୍ରଚାର କରିବା ସ୍ୱାଭାବିକ। କିନ୍ତୁ ରାମ ନବମୀରେ ବେଙ୍ଗଲରୁ ଆସିଥିବା ଚିତ୍ର ବାସ୍ତବରେ ଭାଇଚାରାର ଉଦାହରଣ ଦେଇଛି।

Related story