/odisha-reporter/media/post_attachments/uploadimage/library/16_9/16_9_0/Gold_1729849948.jpg)
Gold
ପ୍ରଥମଥର ପାଇଁ କେରଳରେ ଗୁଇନ୍ଦା ବିଭାଗ ଓ ରାଜ୍ୟ ଜିଏସଟି ବିଭାଗ କମାଣ୍ଡୋ ଷ୍ଟାଇଲରେ ଅପରେସନ କରି ବିପୁଳ ପରିମାଣର ସୁନା ଜବତ କରିଛି। ରାତି ତମାମ ୭୮ଟି ସୁନା ଅଳଙ୍କାର ତିଆରି ହେଉଥିବା ୟୁନିଟରେ ରେଡ୍ କରି ଅଧିକାରୀମାନେ ସେଠାରେ ବେଆଇନ ଭାବେ ଗଚ୍ଛିତ ୧୦୮ କେଜି ସୁନା ଜବତ କରିବାକୁ ସକ୍ଷମ ହୋଇଛନ୍ତି।
ଦୁଇ ବିଭାଗ ପକ୍ଷରୁ କରାଯାଇଥିବା ରେଡର କୋଡ ନାଁ ଟାୱାର ଅଫ ଗୋଲ୍ଡ ରଖାଯାଇଥିଲା। ବୁଧବାର ଅପରାହ୍ନ ୪.୩୦ରୁ ଆରମ୍ଭ ହୋଇଥିଲା ଅପରେସନ। ଏହା ଗୁରୁବାର ଦିନ ୧୧ଟା ଯାଏ ଚାଲିଥିଲା।
ଅପରେସନରେ ୭୦୦ରୁ ଅଧିକ ଅଧିକାରୀ ସାମିଲ ହୋଇଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ଏମାନେ କାମ କରୁଥିବା ବେଳେ ସମସ୍ତଙ୍କୁ ଥ୍ରୀସୁରରେ ଛୁଟି କାଟିବା ନାଁରେ ଡକା ଯାଇଥିଲା। ଏହାଦ୍ୱାରା ଅପରେସନର ଗୋପନୀୟତା ବଜାୟୀ ରହିଥିଲା। ସମସ୍ତେ ଏକାଠି ହେବା ପରେ ପୂରା ଯୋଜନାକୁ ସାର୍ବଜନୀନ କରାଯାଇଥିଲା। ଏହାପରେ ଏକକାଳୀନ ଆରମ୍ଭ ହୋଇଥିଲା ରେଡ୍।
ଜିଏସଟି ସ୍ପେଶାଲ କମିଶନର ରେନ୍ନ ଆବ୍ରାହମ କହିଛନ୍ତି, ବଡ଼, ମଧ୍ୟମ ଓ ଛୋଟ ସବୁ ପ୍ରକାରର ୟୁନିଟରେ ରେଡ କରାଯାଇଥିଲା। ଏହି ୟୁନିଟ ମଧ୍ୟରୁ ଗୋଟିଏର ମାଲିକ ୧୨ ଶହ କୋଟି ଟଙ୍କାର ଠକେଇ କରିଥିବା ସ୍ୱୀକାର କରିଛନ୍ତି।
ବିଭାଗ ପକ୍ଷରୁ ଗତ ୫ ବର୍ଷ ମଧ୍ୟରେ ଅଘୋଷିତ ଷ୍ଟକ ଓ ଅଘୋଷିତ ବିକ୍ରି ତଥ୍ୟର ଯାଞ୍ଚ କରାଯାଇଥିଲା। କିଛି କମ୍ପାନୀର ଅଘୋଷିତ ଆୟ ୧୦ କୋଟି ଟଙ୍କାରୁ କମ। ସେମାନଙ୍କ ଠିକଣାରୁ ବେଶୀ କିଛି ଷ୍ଟକ ମିଳିନି। ତେବେ ଆଉ କିଛି କମ୍ପାନୀରୁ ବିପୁଳ ପରିମାଣର ଅଘୋଷିତ ସୁନା ଜବତ ହୋଇଛି। ମୋଟ ଉପରେ ଏଯାଏ ୧୦୮ କେଜି ସୁନା ଜବତ ହୋଇଥିବା ସେ ସୂଚନା ଦେଇଛନ୍ତି।
ଜବତ ହୋଇଥିବା ସୁନାଗୁଡ଼ିକ ଟ୍ରେଜରୀକୁ ପଠାଯିବ। ଏହାପରେ ଉପଯୁକ୍ତ ଜିଏସଟି ଓ ଜୋରିମାନା ଦେଇ କମ୍ପାନୀମାନେ ଏହାକୁ ନେବା ପାଇଁ ଦାବି କରିପାରିବେ।
କମ୍ପାନୀ ଗୁଡ଼ିକ ୩% ଫାଇନ ଓ ସୁଧ ସହ ଅତିରିକ୍ତ ୩% ଜିଏସଟି ଦେବେ। କିଛି କମ୍ପାନୀ ଠାରୁ ଘଟଣାସ୍ଥଳରେ ୫.୫ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହାପରେ ସୁନାକୁ ଫେରାଇ ଦିଆଯାଇଥିବା ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
