Advertisment

ନାଗପୁର ପୋଡ଼ାଜଳା: ଯୋଜନାବଦ୍ଧ ଷଡ଼ଯନ୍ତ୍ର ନା ସରକାରୀ ବିଫଳତା?

ସୋମବାର ସନ୍ଧ୍ୟାରେ ହିଂସା ଘଟିବା ପରେ ନାଗପୁରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ସମସ୍ତଙ୍କୁ ଶାନ୍ତି ବଜାୟୀ ରଖିବାକୁ ନିବେଦନ କରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Nagpur

Nagpur

ମହାରାଷ୍ଟ୍ରର ନାଗପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ଉତ୍ତେଜନା ଭୟଙ୍କର ରୂପ ନେଇଛି। ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ପୁଲିସ୍‌ କର୍ମଚାରୀ ମଧ୍ୟ ରହିଛନ୍ତି। ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଏହାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେହିପରି ବିରୋଧୀ ହିଂସା ପାଇଁ ସରକାରୀ ବିଫଳତାକୁ ଦାୟୀ କରିଛନ୍ତି।

Advertisment

ସୋମବାର ସନ୍ଧ୍ୟାରେ ହିଂସା ଘଟିବା ପରେ ନାଗପୁରର ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଫଡ଼ନାଭିସ ସମସ୍ତଙ୍କୁ ଶାନ୍ତି ବଜାୟୀ ରଖିବାକୁ ନିବେଦନ କରିଛନ୍ତି। ପୁଲିସ୍‌ ମଧ୍ୟ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରି ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଚେଷ୍ଟା କରୁଛି। ମହାରାଷ୍ଟ୍ରରୁ ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ କବର ବା ମକବରେ ବା ସମାଧୀ ହଟାଇବା ଦାବିରେ ବିଭିନ୍ନ ହିନ୍ଦୁ ସଂଗଠନ ସୋମବାର ଆନ୍ଦୋଳନ କରିଥିଲା।

ବାସ୍‌ ଏହାକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ସନ୍ଧ୍ୟା ସମୟରେ ଏହା ବିସ୍ଫୋରକ ରୂପ ନେଇଥିଲା। ପୁଲିସ୍‌ ୬୦ ଜଣ ଦଙ୍ଗାକାରୀଙ୍କୁ ଗିରଫ କରିଥିବା ବେଳେ ୩୦ରୁ ଅଧିକ ଗାଡ଼ି ପୋଡ଼ି ଜଳି ପାଉଁସ ହୋଇଯାଇଛି। ସହରର ମହାଲ ଅଞ୍ଚଳରେ ଦୁଇ ସଂପ୍ରଦାୟ ମଧ୍ୟରେ ପ୍ରବଳ ସଂଘର୍ଷ ଦେଖିବାକୁ ମିଳିଛି।

Advertisment

ସରକାର ହିଂସା ପଛରେ ଷଡ଼ଯନ୍ତ୍ର ଥିବା କହିଲେ

ମହାରାଷ୍ଟ୍ରର କ୍ଷମତାସୀନ ମହାୟୁତି ସରକାର ନାଗପୁର ହିଂସାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛି। ଘଟଣା ସମ୍ପର୍କରେ ବିଧାନସଭାରେ ମତ ରଖି ମୁଖ୍ୟମନ୍ତ୍ରୀ ଫଡ଼ନାଭିସ କହିଛନ୍ତି, “ନାଗପୁରରେ ବିଶ୍ୱ ହିନ୍ଦୁ ପରିଷଦଳ ଓ ବଜରଙ୍ଗ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା। ଏହି ସମୟରେ ଗୁଜବ ପ୍ରଚାର ହୋଇଥିଲା। ଧାର୍ମିକ ଗ୍ରନ୍ଥ ଓ ଜିନିଷ ବିକ୍ଷୋଭ ବେଳେ ପୋଡ଼ା ଯାଇଥିବା ଗୁଜବ ନିଆଁ ଭଳି ବ୍ୟାପି ଯାଇଥିଲା। ଏହାପରେ ହିଂସା ଘଟିଛି। ଏହାକୁ ଦେଖିଲେ ଲାଗୁଛି ଯେ ଏସବୁ ଯୋଜନାବଦ୍ଧ ଆକ୍ରମଣ ଥିଲା। ଆଇନ ଶୃଙ୍ଖଳାକୁ ନିଜ ହାତକୁ ନେବାର ଅଧିକାର କାହାର ବି ନାହିଁ। ପୁଲିସ୍‌ ଉପରେ ଆକ୍ରମଣକୁ କେବେ ବି ସହ୍ୟ କରାଯାଇ ପାରିବ ନାହିଁ। କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଫିଲ୍ମ ଛାବା ଲୋକଙ୍କୁ ଔରଙ୍ଗଜେବଙ୍କ ବିରୋଧରେ ବିକ୍ଷୋଭ କରିବାକୁ ବାଧ୍ୟ କରିଛି। ଛବା ଔରଙ୍ଗଜେବଙ୍କ ଅତ୍ୟାଚାରର ମୁଖା ଖୋଲି ଦେଇଛି। ”

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ହିଂସାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି, “ପୂର୍ବରୁ କେବେ ବି ଏଭଳି ଭୟଙ୍କର ଘଟଣା ଦେଖିବାକୁ ମିଳି ନ ଥିଲା। ଆନ୍ଦୋଳନକାରୀମାନେ ଛତ୍ରପତି ସମ୍ବାଜୀ ମହାରାଜଙ୍କ ସମ୍ମାନର ସୁରକ୍ଷା ପାଇଁ ଆନ୍ଦୋଳନ କରୁଛନ୍ତି। ଯେଉଁମାନେ ଔରଙ୍ଗଜେବଙ୍କ ସମର୍ଥନ କରୁଛନ୍ତି, ସେମାନେ ଇତିହାସ ପଢ଼ନ୍ତୁ ଓ ଛାବା ଫିଲ୍ମ ଦେଖନ୍ତୁ। ମୋର ବିଶ୍ୱାସ ପ୍ରକୃତ ଦେଶଭକ୍ତ ମୁସଲିମ କେବେ ହେଲେ ଔରଙ୍ଗଜେବଙ୍କୁ ସମର୍ଥନ କରିବ ନାହିଁ।”

ନାଗପୁର ସେଣ୍ଟ୍ରାଲର ବିଜେପି ବିଧାୟକ ପ୍ରବୀଣ ଡାଟକେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ ଦାବି କରିଛନ୍ତି ଯେ “ପୂରା ଘଟଣା ପୂର୍ବରୁ ଯୋଜନା କରାଯାଇଥିଲା। ସୋମବାର ସକାଳର ବିକ୍ଷୋଭ ପରେ ଗୋଟିଏ ଘଟଣା ଗଣେଶ ପେଣ୍ଠ ପୁଲିସ ଷ୍ଟେସନ ନିକଟରେ ଘଟିଥିଲା। ଏହାପରେ ସବୁ କିଛି ସ୍ୱାଭାବିକ ହୋଇଯାଇଥିଲା। ଏହାପରେ ଦଙ୍ଗାକାରୀମାନେ କେବଳ ହିନ୍ଦୁ ଲୋକଙ୍କ ଘରେ ଓ ଦୋକାନରେ ପ୍ରବେଶ କରିଥିଲେ। ପ୍ରଥମେ କ୍ୟାମେରା ଗୁଡ଼ିକ ଭଙ୍ଗା ଯାଇଥିଲା ଓ ପରେ ହିଂସାକାଣ୍ଡ ଘଟାଯାଇଥିଲା। ସେମାନେ ପୂର୍ବ ଯୋଜନା ଅନୁସାରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ।”

ବିଧାୟକ ପ୍ରବୀଣ ଆହୁରି ଅଭିଯୋଗ କରିଛନ୍ତି ଯେ ପୁଲିସ୍‌ ହିନ୍ଦୁ ନାଗରିକଙ୍କ ସପକ୍ଷରେ ଛିଡ଼ା ହେଉ ନାହିଁ ଓ ଦଙ୍ଗାରେ ସାମିଲ ଥିବା ଅଧିକାଂଶ ଲୋକ ବାହାରୁ ଆସିଥିଲେ। ପୂର୍ବରୁ ପାର୍କିଂରେ ମୁସଲିମମାନେ ମଧ୍ୟ ଗାଡ଼ି ରଖୁଥିଲେ। ହେଲେ ସୋମବାର କୌଣସି ମୁସଲିମ ସେମାନଙ୍କ ଗାଡ଼ି ପାର୍କିଂ କରି ନଥିଲେ। ପରବର୍ତ୍ତୀ ଅବସ୍ଥାରେ ପୂରା ପାର୍କିଂକୁ ନିଆଁ ଲଗାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି।

ବିଜେପି ସାଂସଦ ଅନୂପ ଧୋତ୍ରେ କହିଛନ୍ତି, “ଏହି ଘଟଣା ଗୋଟିଏ ଯୋଜନାବଦ୍ଧ କାର୍ଯ୍ୟକ୍ରମ। ମୁସଲିମ କଲ୍ୟାଣ ପାଇଁ ଚିନ୍ତା କରୁ ନଥିବା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ ଲୋକମାନେ ସେମାନଙ୍କ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି କରିଛନ୍ତି। କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପରିସ୍ଥିତିକୁ କେମିତି ମୁକାବିଲା କରିବାକୁ ପଡ଼େ, ସେକଥା ଭଲ ଭାବେ ଜାଣିଛନ୍ତି। ପୂର୍ବରୁ ମଧ୍ୟ ଏପରି ଘଟଣା ଘଟିଥିଲା। ରାଜନୀତିକ ସ୍ୱାର୍ଥ ସାଧାନ ପାଇଁ ଏପରି କରାଯାଇଛି। ଜଣେ ସାଧାରଣ ମୁସଲିମ କେବେ ହେଲେ ଏପରି କାର୍ଯ୍ୟକଳାପରେ ସାମିଲ ହୁଅନ୍ତି ନାହିଁ।”

ଦଙ୍ଗାକାରୀଙ୍କୁ ଧମକ ଦେଇ ମୁଖ୍ୟମନ୍ତ୍ରୀ ଫଡ଼ନାଭିସ କହିଛନ୍ତି, “ଯଦି କେହି ଦଙ୍ଗା କରୁଛନ୍ତି କିମ୍ବା ପୁଲିସ୍‌ ଉପରକୁ ପଥର ମାରୁଛନ୍ତି କିମ୍ବା ସମାଜରେ ହିଂସା ସୃଷ୍ଟି କରୁଛନ୍ତି, ତା’ହେଲେ ସେଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନାଗପୁର ଶାନ୍ତି ଯେମିତି ନ ବିଗିଡ଼ିବ, ସେଭଳି ଆଚରଣ ପ୍ରଦର୍ଶନ କରିବା ପାଇଁ ମୁଁ ସମସ୍ତଙ୍କୁ ନିବେଦନ କରୁଛି। ଯଦି କେହି ଉତ୍ତେଜନା ସୃଷ୍ଟି କରୁଛନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଘଟଣା ପାଇଁ ସରକାରୀ ବିଫଳତାକୁ ଦାୟୀ କଲେ ବିରୋଧୀ

କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ମହାରାଷ୍ଟ୍ରର ନାଗପୁରେ ଆଇନ ଶୃଙ୍ଖଳା ଓ ସାଂପ୍ରଦାୟକି ସୌହାର୍ଦ୍ଦ୍ୟ ସଂପୂର୍ଣ୍ଣ ଭାବେ ଭୁଶୁଡ଼ି ଯାଇଥିବା ଦାବି କରି ରାଜ୍ୟସଭାରେ ଗୋଟିଏ ନୋଟିସ ଆଗତ କରିଛନ୍ତି। ଉଦ୍ଧବ ସେନାର ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଘଟଣା ପାଇଁ ମହାରାଷ୍ଟ୍ରର ମହାୟୁତି ସରକାରାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ହିଂସାକୁ ଉସକାଇବା, ଅସ୍ଥିରତା ସୃଷ୍ଟି କରିବା ଓ ଅତୀତର ଇତିହାସରେ ଲୋକଙ୍କୁ ବ୍ୟସ୍ତ ରଖିବା କାମ ସରକାର କରୁଛନ୍ତି।

ଏପରି କରି ରାଜ୍ୟର ପ୍ରମୁଖ ସମସ୍ୟା ଯଥା ଆର୍ଥିକ ଅବସ୍ଥା, ଋଣ ବୋଝ, ବେକାରୀ ଓ ଚାଷୀ ଆତ୍ମହତ୍ୟା ଭଳି ପ୍ରସଙ୍ଗକୁ ଲୁଚାଇ ଦିଆଯାଉଛି। ମହାରାଷ୍ଟ୍ରରେ ପୁଞ୍ଜିନିବେଶ ପାଇଁ ଯେମିତି କେହି ଆଗ୍ରହ ନ କରିବେ, ସେଦିଗରେ ରାଜ୍ୟକୁ ଯୋଜନାବଦ୍ଧ ଭାବେ ନିଆଯାଉଛି। ଏସବୁ ଘଟଣା ପଡ଼ୋଶୀ ରାଜ୍ୟକୁ ବେଶ ଫାଇଦା ଦେଉଛି। ସିନ୍ଦେଙ୍କ ଶାସନ ସମୟରେ ରାଜ୍ୟର ସ୍ୱାର୍ଥକୁ ବଳି ଦେଇ ସବୁ ବ୍ୟବସାୟ ଗୁଜରାଟକୁ ପଠାଇ ଦିଆଯାଇଥିଲା। ବର୍ତ୍ତମାନର ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ପୁଞ୍ଜିନିବେଶ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାରୁ ଶିଳ୍ପପତିମାନେ ବାହାରକୁ ଚାଲି ଯାଉଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ କଥା।”

ଶରଦ ପାୱାରଙ୍କ ଏନସିପିର ପ୍ରଶାନ୍ତ ସୁଦାମରାଓ କହିଛନ୍ତି, “୩ଥରର ମୁଖ୍ୟମନ୍ତ୍ରୀ ଓ ଗୃହମନ୍ତ୍ରୀ। ସେ ମଧ୍ୟ ନାଗପୁରରୁ ଆସିଛନ୍ତି। ବର୍ତ୍ତମାନ ସେଠାରେ ଯାହା ଘଟିଛି, ତା’କୁ ଦେଖି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା। ଶାନ୍ତି ଓ ଭାଇଚାରା ବଜାୟୀ ରଖିବାର ମୁଖ୍ୟମନ୍ତ୍ରୀଙ୍କର ସାମ୍ବିଧାନିକ କର୍ତ୍ତବ୍ୟ। କିନ୍ତୁ ସେ ନିଜର ରାଜଧର୍ମରେ ବିଫଳ ହୋଇଛନ୍ତି।”

Maharashtra Govt Maharashtra Nagpur Violence