Advertisment

୧୧ ବର୍ଷ ପରେ ଡାକ୍ତର ନରେନ୍ଦ୍ର ଦାଭୋଲକରଙ୍କୁ ମିଳିଲା ନ୍ୟାୟ, ୨ ହତ୍ୟାକାରୀ ପାଇଲେ ଆଜୀବନ ଜେଲ୍‌ ଦଣ୍ଡାଦେଶ

୨୦୧୩ ଅଗଷ୍ଟ ୨୦ ତାରିଖ ସକାଳେ ଡାକ୍ତର ନରେନ୍ଦ୍ର ଦାଭୋଲକର ପ୍ରାତଃଭ୍ରମଣ ପାଇଁ ଘରୁ ବାହାରିଥିଲେ। ସକାଳ ପ୍ରାୟ ୭ଟା ୧୫ ସମୟରେ ବାଇକ୍‌ରେ ଆସିଥିବା ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଲାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Narendra Dabholkar

Narendra Dabholkar

ମହାରାଷ୍ଟ୍ର ଅନ୍ଧଶ୍ରଦ୍ଧା ନିର୍ମୂଳନ ସମିତିର ପ୍ରତିଷ୍ଠାତା ଡାକ୍ତର ନରେନ୍ଦ୍ର ଦାଭୋଲକରଙ୍କ ହତ୍ୟା ଘଟଣାର ୧୧ ବର୍ଷ ପରେ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପୁନେର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ। ଏହା ସହିତ ଅନ୍ୟ ତିନି ଅଭିଯୁକ୍ତଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

Advertisment

ଏହି ଘଟଣାରେ ମୋଟ ୫ ଜଣ ଅଭିଯୁକ୍ତ ଥିଲେ। ସେମାନେ ହେଉଛନ୍ତି- ଡାକ୍ତର ବୀରେନ୍ଦ୍ର ସିଂହ ତାବଡ଼େ, ଶରଦ କଲସ୍କର, ସଚିନ ଅଣ୍ଡୁରେ, ବିକ୍ରମ ଭାବେ ଓ ସଞ୍ଜୀବ ପୁନାଲକେର। କୋର୍ଟ ଶରଦ କଲସ୍କର ଓ ସଚିନ ଅଣ୍ଡୁରେଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ଡାକ୍ତର ବୀରେନ୍ଦ୍ର ସିଂହ ତାବଡ଼େଙ୍କୁ ଏହି ମାମଲାର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଥିଲା। ସେତେବେଳେ ସେ ସନାତନ ସଂସ୍ଥାର ସହଯୋଗୀ ସଂଗଠନ ହିନ୍ଦୁ ଜନ ଜାଗୃତି ସମିତିର ଉପ ମୁଖ୍ୟ ଅୟୋଜକ ଥିଲେ। ଅନ୍ଧବିଶ୍ୱାସ ବିରୋଧୀ ଅଭିଯାନକୁ ନେଇ ତାଙ୍କର ଡାକ୍ତର ନରେନ୍ଦ୍ର ଦାଭୋଲକରଙ୍କ ସହିତ ମତଭେଦ ରହିଥିଲା।

Advertisment

ଡାକ୍ତର ନରେନ୍ଦ୍ର ଦାଭୋଲକରଙ୍କୁ ୨୦୧୩ ଅଗଷ୍ଟ ୨୦ ତାରିଖ ସକାଳେ ଗୁଳି କରି ହତ୍ୟା କରାଯାଇଥିଲା। ଘଟଣା ତଦନ୍ତ ପ୍ରଥମେ ପୁନେ ପୁଲିସ ଉପରେ ନ୍ୟସ୍ତ ଥିଲା। ପରେ ଏହାର ତଦନ୍ତଭାର ସିବିଆଇକୁ ଦିଆଯାଇଥିଲା। ୨୦୧୬ରେ ସିବିଆଇ ଅଭିଯୁକ୍ତମାନଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା।

୨୦୧୩ ଅଗଷ୍ଟ ୨୦ ତାରିଖ ସକାଳେ ଡାକ୍ତର ନରେନ୍ଦ୍ର ଦାଭୋଲକର ପ୍ରାତଃଭ୍ରମଣ ପାଇଁ ଘରୁ ବାହାରିଥିଲେ। ସକାଳ ପ୍ରାୟ ୭ଟା ୧୫ ସମୟରେ ବାଇକ୍‌ରେ ଆସିଥିବା ଆକ୍ରମଣକାରୀମାନେ ତାଙ୍କ ଉପରକୁ ଗୁଳି ଚଲାଇଥିଲେ। ତାଙ୍କ ଉପରକୁ ୫ ରାଉଣ୍ଡ ଗୁଳି କରାଯାଇଥିଲା। ଦୁଇଟି ଗୁଳି ତାଙ୍କ ଶରୀରରେ ବାଜିଥିଲା। ଗୋଟିଏ ତାଙ୍କ ମୁଣ୍ଡରେ ଓ ଗୋଟିଏ ତାଙ୍କ ଛାତିରେ ବାଜିଥିଲା। ଗୁଳିମାଡ଼ ପରେ ଡାକ୍ତର ନରେନ୍ଦ୍ର ଦାଭୋଲକର ତଳେ ପଡ଼ିଯିବା ପରେ ଆକ୍ରମଣକାରୀ ଦ୍ୱୟ ସେଠାରୁ ଫେରାର ହୋଇଯାଇଥିଲେ।

ଅନ୍ଧବିଶ୍ୱାସ ଦୂରୀକରଣ ଦିଗରେ କାର୍ଯ୍ୟ କରୁଥିବା ହେତୁବାଦୀ ଡାକ୍ତର ନରେନ୍ଦ୍ର ଦାଭୋଲକରଙ୍କ ହତ୍ୟାକାଣ୍ଡ ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ତାଙ୍କୁ ହତ୍ୟା କରାଯିବାର ୩ ଘଣ୍ଟା ପରେ ପ୍ରଥମ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁନେ ପୁଲିସ। ତା’ ପରେ ଦୁଇ ଜଣ ବନ୍ଧୁକ ଡିଲର- ମନୀଷ ନାଗୋରୀ ଓ ବିକାଶ ଖଣ୍ଡେଲୱାଲଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ଦେଶୀ ବନ୍ଧୁକ, ୨ଟି ଗୁଳି ଓ ୪ଟି କାରିତୁସ ଜବତ କରାଯାଇଥିଲା। ଫୋରେନ୍‌ସିକ୍ ଲ୍ୟାବ୍‌ରେ ଯାଞ୍ଚ ବେଳେ ଜଣାଡ଼ିଥିଲା ଯେ ଘଟଣାସ୍ଥଳରୁ ମିଳିଥିବା ଗୁଳିଗୁଡ଼ିକୁ ମନୀଷ ନାଗୋରୀ ଓ ବିକାଶ ଖଣ୍ଡେଲୱାଲଙ୍କ ୭.୬୫ ମିମି ପିସ୍ତଲରୁ ଚଲା ଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ମାମଲା ସିବିଆଇ ହାତକୁ ଚାଲି ଯାଇଥିଲା।