/odisha-reporter/media/media_files/2026/01/08/ankush-2026-01-08-13-36-08.jpg)
କୋଚ ଅଙ୍କୁଶ ଭରଦ୍ୱାଜ
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଜାତୀୟ ସ୍ତରର ଜଣେ ଶୁଟିଂ କୋଚ ଘଟାଇଛନ୍ତି ଭୟଙ୍କର କାଣ୍ଡ। ସେ ଜାତୀୟ ସ୍ତରର ଜଣେ ୧୭ ବର୍ଷୀୟ ଶୁଟର୍ଙ୍କୁ ହୋଟେଲକୁ ଡାକି କରିଛନ୍ତି ଦୁଷ୍କର୍ମ(Stop Rape)। କୋଚ ଜଣଙ୍କ ଫରିଦାବାଦର ଗୋଟିଏ ହୋଟେଲକୁ ନାବାଳିକା ଶୁଟରଙ୍କୁ ତାଙ୍କ ପ୍ରଦର୍ଶନର ସମୀକ୍ଷା କରିବା ନାଁରେ ଡାକିଥିଲେ। ହେଲେ ହୋଟେଲର ଗୋଟିଏ ରୁମରେ ତାଙ୍କୁ ବନ୍ଦ କରି କୋଚ ଜଣଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ନାବାଳିକା ଶୁଟରଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ହରିୟାଣା ପୁଲିସ୍ ଦୁଷ୍କର୍ମ ମାମଲା ରୁଜୁ କରିଥିବା ବେଳେ ଜାତୀୟ ସ୍ତରର ଶୁଟିଂ କୋଚ ଅଙ୍କୁଶ ଭରଦ୍ୱାଜଙ୍କୁ ନିଲମ୍ବିତ କରାଯାଇଛି। ଶୁଟରଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ମଙ୍ଗଳବାର କୋଚ ଅଙ୍କୁଶଙ୍କ ନାଁରେ ପୁଲିସ୍ ଏଫଆଇଆର ରୁଜୁ କରିଛି।
ଏଥିସହ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯିବା ସହ ସିସିଟିଭି ଫୁଟେଜକୁ ମଧ୍ୟ ଜବତ କରାଯାଇଛି। ଏଫଆଇଆର ଅନୁସାରେ, ପୂରା ଘଟଣା ଡିସେମ୍ବର ୧୬ ତାରିଖରେ ଦିଲ୍ଲୀର ଡକ୍ଟର କରିନ ସିଂହ ଶୁଟିଂ ରେଞ୍ଜରେ ଚାଲିଥିବା ଗୋଟିଏ ପ୍ରତିଯୋଗିତା ବେଳେ ଘଟିଛି। ଅଭିଯୋଗକାରୀ କହିଛନ୍ତି, ଅଙ୍କୁଶ ଭରଦ୍ୱାଜ ନାବାଳିକା ଶୁଟରଙ୍କୁ ତାଙ୍କ ପ୍ରଦର୍ଶନର ସୀମକ୍ଷା କରିବା ପାଇଁ ଗୋଟିଏ ହୋଟେଲ ରୁମକୁ ଡାକି ଏଭଳି କାଣ୍ଡ ଘଟାଇଛନ୍ତି।
କୋଚଙ୍କ ଡାକରା ପାଇ ଘଟଣା ଦିନ ନାବାଳିକା ଶୁଟର ଜଣଙ୍କ ହୋଟେଲରେ ପହଞ୍ଚିଥିଲେ। ପ୍ରଥମେ ସେ ହୋଟେଲ ଲବିରେ କୋଚଙ୍କୁ ଦେଖା କରିବାକୁ ଚାହିଁଥିଲେ। କିନ୍ତୁ ପ୍ରଦର୍ଶନର ସମୀକ୍ଷା ଆଳରେ ସେ ଶୁଟର୍ଙ୍କୁ ହୋଟେଲର ଗୋଟିଏ ରୁମକୁ ନେଇ ଯାଇଥିଲେ। ରୁମରେ ତାଙ୍କୁ ଦୁଷ୍କର୍ମ କରିବା ସହ ମୁହଁ ଖୋଲିଲେ ସେ ତାଙ୍କ ଶୁଟିଂ କ୍ୟାରିୟରକୁ ବରବାଦ କରି ଦେବାର ଧମକ ମଧ୍ୟ ଦେଇଥିଲେ।
ଘଟଣା ପରେ ଶୁଟର ଜଣଙ୍କ ପୂରା ଡରି ଯାଇ ହୋଟେଲରୁ ଚାଲି ଯାଇଥିଲେ। କିଛି ଦିନ ଚୁପ ରହିବା ପରେ ପରିବାର ଲୋକଙ୍କୁ ସବୁ କଥା କହିଥିଲେ। ତାଙ୍କ ଠାରୁ ସବୁ କଥା ଶୁଣିବା ପରେ ପରିବାର ଲୋକ ଶେଷରେ ପୁଲିସ୍ର ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ପାଇବା ପରେ ଏନଆଇଟି ଫରିଦାବାଦରେ ଥିବା ମହିଳା ପୁଲିସ୍ ଷ୍ଟେସନରେ ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇଛି। ଫରିଦାବାଦ ପୁଲିସ୍ର ମୁଖପାତ୍ର ୟଶପାଲ ଯାଦବ କହିଛନ୍ତି, “ମାମଲାକୁ ଗୁରୁତ୍ୱର ସହ ନିଆଯାଇଛି। ଅଭିଯୋଗ ମିଳିବା ମାତ୍ରେ ଘଟଣାର ଦିନର ସମସ୍ତ ସିସିଟିଭି ଫୁଟେଜ ହୋଟେଲ କର୍ତ୍ତୃପକ୍ଷଙ୍କୁ ମଗାଯାଇଛି। ଜାତୀୟ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ନିଯୁକ୍ତ ହୋଇଥିବା ୧୩ ଜଣ ଜାତୀୟ ପିସ୍ତଲ କୋଚଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିଯୁକ୍ତ।”
ଅଭିଯୋଗ ପାଇବା ପରେ ଜାତୀୟ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ କୋଚ ଅଙ୍କୁଶ ଭରଦ୍ୱାଜଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଙ୍କୁଶଙ୍କୁ ତୁରନ୍ତ ନିଲମ୍ବିନ କରାଯିବା ସହ ତଦନ୍ତ ନ ସରିବା ଯାଏ ତାଙ୍କୁ କୌଣସି ଦାୟିତ୍ୱ ମିଳିବ ନାହିଁ ବୋଲି ଜାତୀୟ ରାଇଫଲ ଆସୋସିଏସନ ଅଫ ଇଣ୍ଡିଆର ସମ୍ପାଦକ ପବନ କୁମାର ସିଂହ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
