Advertisment

ଡ୍ରୋନ ଆଟାକ ପରେ ଜଳୁଥିଲା ଜାହାଜ, ୨୩ ଜଣଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା

ନୌସେନା ପକ୍ଷରୁ ଉଦ୍ଧାର ବେଳର ଭିଡିଓକୁ ମଧ୍ୟ ସାର୍ବଜନୀନ କରାଯାଇଛି।

Navy

Navy

Advertisment

ମଝି ସମୁଦ୍ରରେ ପରାକ୍ରମ ଦେଖାଇଛି ଭାରତୀୟ ନୌସେନା। ଡ୍ରୋନ ଆକ୍ରମଣ ଯୋଗୁ ଜଳୁଥିବା ଜାହାଜରୁ ୨୩ ଜଣଙ୍କୁ ଉଦ୍ଧାର କରିଛନ୍ତି ନୌସେନାର ବୀର ଯବାନ। ଆକ୍ରମଣ ପରେ ଗୋଟିଏ ପଣ୍ୟବାହୀ ଜାହାଜରେ ଲାଗି ଯାଇଥିଲା ନିଆଁ।

Advertisment

ଭିତରେ ୧୩ ଭାରତୀୟଙ୍କ ସମେତ ଫସି ଯାଇଥିଲେ ୨୩ ଜଣ। ଜାହାଜରେ ଲିବେରିଆ ପତାକା ଲାଗିଥିଲେ ମଧ୍ୟ ଭାରତୀୟ ନୌସେନା ସହାୟତା କରିବାକୁ ଭୁଲି ନଥିଲା। ଗଲ୍ଫ ଅଫ ଏଡେନରେ ଜଳୁଥିବା ଜାହାଜରୁ ଯବାନମାନେ ଫସି ରହିଥିବା ୨୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିଜ ଦମ ଦେଖାଇଛନ୍ତି।

ନୌସେନା ପକ୍ଷରୁ ଗୋଟିଏ ବିବୃତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଲିବେରିଆ ପତାକା ଲାଗିଥିବା ବ୍ୟବସାୟିକ ଜାହାଜ MSCSkyII ଉପରେ ଡ୍ରୋନ ଆଟାକ ହୋଇଥିଲା। ଏଥିଯୋଗୁ ଜାହାଜରେ ନିଆଁ ଲାଗି ଯାଇଥିଲା। ମାର୍ଚ୍ଚ ୪ ତାରିଖରେ ଜାହାଜରେ ନିଆଁ ଲାଗି ଯାଇଥିବା ଖବର ନୌସେନା ପାଖରେ ପହଞ୍ଚିଥିଲା।

Advertisment

ଉକ୍ତ ‌ଅଞ୍ଚଳରେ ମୁତୟନ ହୋଇଥିବା ଆଇଏନଏସ୍‌ କୋଲକାତାର ଯବାନମାନେ ତୁରନ୍ତ ଉଦ୍ଧାର ପାଇଁ ବାହାରି ଯାଇଥିଲେ। ରାତି ପ୍ରାୟ ୧୦.୩୦ରେ ସେମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆଇଏନଏସ୍‌ କୋଲକାତାର ୧୨ ଜଣ ସ୍ୱତନ୍ତ୍ର ଅଗ୍ନି ନିର୍ବିପାକ ଟିମ ମାର୍ଚ୍ଚ ୫ ତାରିଖ ଭୋର ସମୟରେ ଜଳନ୍ତା ଜାହାଜ ଭିତରକୁ ପ୍ରବେଶ କରିଥିଲେ। ସେମାନେ ନିଆଁ ଲିଭାଇବାରେ ସହାୟତା କରିଥିଲେ। ଏହାପରେ ସ୍ୱତନ୍ତ୍ର ଇଓଡି ଟିମ ଜାହାଜକୁ ଯାଇ ତା’ ଭିତରେ ଫସିଥିବା ଲୋକଙ୍କୁ ସହାୟତା କରିଥିଲା।

ଜାହାଜରେ ୧୩ ଭାରତୀୟଙ୍କ ସମେତ ୨୩ ଜଣ ସଦସ୍ୟ ରହିଥିଲେ। ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏଥିସହ ଜାହାଜରେ ଲାଗିଥିବା ନିଆଁକୁ ମଧ୍ୟ ଆୟତ୍ତ କରାଯାଇଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ନୌସେନା ପକ୍ଷରୁ ଉଦ୍ଧାର ବେଳର ଭିଡିଓକୁ ମଧ୍ୟ ସାର୍ବଜନୀନ କରାଯାଇଛି। 

Indian Navy Gulf Of Aden
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe