Advertisment

ଟିକେଟ୍‌ ନମିଳିବାରୁ ନବାବ ନାରାଜ, ନିର୍ବାଚନ ଲଢ଼ିବାକୁ ଜିଦ୍‌

ଦଳ ତାଙ୍କ ବଦଳରେ ତାଙ୍କ ଝିଅ ସନା ମଲ୍ଲିକଙ୍କୁ ଟିକେଟ୍ ଦେଇଛି।

author-image
Madhupriya Mistry
Nawab Malik

Nawab Malik

ବାଜି ସାରିଲାଣି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବିଗୁଲ। ଆଉ ମାତ୍ର ଦିନ କେଇଟା ପରେ ପଡ଼ିବ ଭୋଟ। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ରାଜନୈତିକ ଦଳମାନଙ୍କର ସେତେ ହାର୍ଟବିଟ୍‌ ବଢ଼ି ଚାଲିଛି। ମହାରାଷ୍ଟ୍ର ଦଖଲ କରିବାକୁ ଲାଗିପଡିଛନ୍ତି ସମସ୍ତେ। ତେବେ ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ର ଏନ୍‌ସିପି ଅଜିତ ପାଓ୍ୱାରଙ୍କ ଗୋଷ୍ଟିର ଅଡୁଆ ବଢ଼ିବାରେ ଲାଗିଛି। ଦଳର ବରିଷ୍ଠ ନେତା ନବାବ ମଲ୍ଲିକ ରାଗି ଯାଇଛନ୍ତି। ଟିକେଟ୍‌ ନମିଳିବାରୁ ସେ ମୁହଁ ଫୁଲାଇ ବସିଛନ୍ତି।

Advertisment

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାରଙ୍କ ଉପରେ ଖପ୍ପା ଅଛନ୍ତି ନବାବ ମଲ୍ଲିକ। ତାଙ୍କୁ ଦଳ ଟିକେଟ୍‌ ନ ଦେବା ପରେ ସେ ରାଗି ଯାଇଛନ୍ତି। ଏଥିପାଇଁ ତାଙ୍କୁ ମନାଇଛନ୍ତି ଅଜିତ ପାଓ୍ୱାର। ଶନିବାର ସନ୍ଧ୍ୟାରେ ନବାବ ମଲ୍ଲିକଙ୍କ କୁର୍ଲା ସ୍ଥିତ ଘରେ ପହଞ୍ଚିଥିଲେ ଅଜିତ ପାଓ୍ୱାର। ତାଙ୍କ ସହ ଛଗନ ଭୁଜବଳ ଓ ସୁନୀଲ ତଟକରେ ମଧ୍ୟ ଥିଲେ। ସମସ୍ତେ ମିଶି ନବାବ ମଲ୍ଲିକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ବୁଝିନଥିଲେ। ଏବେ ନିର୍ବାଚନ ଲଢ଼ିବାକୁ ସେ ଜିଦ୍‌ ଧରି ବସିଛନ୍ତି।

ଅଜିତ ପାୱାରଙ୍କ ସହ ସାକ୍ଷାତ ପରେ ଅକ୍ଟୋବର ୨୯ ରେ ଶିବାଜିନଗର ମାନଖୁର୍ଦ ନିର୍ବାଚନମଣ୍ଡଳୀରୁ ନାମାଙ୍କନ ଦାଖଲ କରିବି ବୋଲି ନବାବ ଘୋଷଣା କରିଛନ୍ତି। ଲୋକମାନେ ମୋ ପାଖକୁ ଆସୁଛନ୍ତି। ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ ବୋଲି ସେମାନେ ମୋତେ ବାଧ୍ୟ କରୁଛନ୍ତି। ଏହି ନିର୍ବାଚନ ମଣ୍ଡଳିର ଲୋକଙ୍କ ମନରେ ମୋ ପ୍ରତି ଯେଉଁ ବିଶ୍ୱାସ ରହିଛି, ତାକୁ ମୁଁ କମ୍‌ ହେବାକୁ ଦେବିନି ବୋଲି ନବାବ କହିଛନ୍ତି।

Advertisment

କହିରଖୁ ଯେ, ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଏନ୍‌ସିପି(ଅଜିତ ପାଓ୍ୱାର ଗୋଷ୍ଠୀ) ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବା ପରଠାରୁ ନବାବ ମଲ୍ଲିକ ଅସନ୍ତୋଷ ଅଛନ୍ତି। ତାଙ୍କୁ ଟିକେଟ୍ ଦିଆଯାଇ ନଥିବା ଯୋଗୁ ସେ ରାଗିଛନ୍ତି। ତେବେ ଦଳ ତାଙ୍କ ଝିଅ ସନା ମଲ୍ଲିକଙ୍କୁ ଟିକେଟ୍ ଦେଇଛି।

ନବାବ ମଲ୍ଲିକ ମନିଲଣ୍ଡରିଂ ମାମଲାରେ ଅଭିଯୁକ୍ତ ଅଛନ୍ତି। ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ୍‌ଙ୍କ ସହ ତାଙ୍କର ଲିଙ୍କ୍ ଥିବା ମଧ୍ୟ ଅଭିଯୋଗ ରହିଛି।

Nawab Malik NCP Ajit Pawar Maharashatra Assembly Election 2024