Advertisment

ମହାରାଷ୍ଟ୍ର ନିର୍ବାଚନ: ଏନ୍‌ସିପିର ପ୍ରଥମ ପ୍ରାର୍ଥୀ ତାଲିକା ଜାରି, ବାରାମତୀରେ ପାୱାର ବନାମ ପାୱାର ଲଢ଼େଇ

ଏନ୍‌ସିପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩୮ ଜଣଙ୍କ ନାଁ ଜାରି କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨୬ ଜଣ ସିଟିଂ ବିଧାୟକ ରହିଛନ୍ତି।

author-image
Jitendra Garnayak
ଅଦ୍ୟତନ ହୋଇଛି
Ajit Pawar

Ajit Pawar

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଆଜି ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୩୮ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ନିଜେ ଅଜିତ ପାୱାର ଅଛନ୍ତି। ସେ ପୁଣି ଥରେ ବାରାମତୀ ଆସନରୁ ପ୍ରାର୍ଥୀ ହେବେ। ସେ ଏନ୍‌ସିପି ଟିକେଟରେ ୧୯୯୯ରୁ ଲଗାତାର ଭାବେ ଏହି ଆସନରୁ ଜିତି ଆସୁଛନ୍ତି। ତା’ପୂର୍ବରୁ ଦୁଇ ଥର ସେ ଏହି ଆସନରୁ କଂଗ୍ରେସ ଟିକେଟରେ ବିଜୟୀ ହୋଇଥିଲେ।

Advertisment

ଗତ ଥର ଅର୍ଥାତ୍ ୨୦୧୯ ବିଧାନସଭା ନିର୍ବାଚନରେ ଅଜିତ ପାୱାର ବାରାମତୀ ଆସନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀଙ୍କୁ ରେକର୍ଡ ୧ ଲକ୍ଷ ୬୫ ହଜାର ଭୋଟରେ ପରାସ୍ତ କରିଥିଲେ। ହେଲେ ଏଥର ଏଠାରେ ତାଙ୍କର ମୁକାବିଲା ତାଙ୍କ କାକା ଅର୍ଥାତ୍ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ସହିତ ହେବ। ଏନ୍‌ସିପି (ଶରଦ ପାୱାର) ପକ୍ଷରୁ ବାରାମତୀରୁ ଯୁଗେନ୍ଦ୍ର ପାୱାରଙ୍କୁ ଛିଡ଼ା କରାଯିବ।

ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୩୮ ଜଣଙ୍କ ନାଁ ଜାରି କରିଥିବା ବେଳେ ସେମାନଙ୍କ ମଧ୍ୟରେ ୨୬ ଜଣ ସିଟିଂ ବିଧାୟକ ରହିଛନ୍ତି। ଦଳ ସେମାନଙ୍କ ଉପରେ ପୁଣି ଥରେ ଭରସା ଦେଖାଇଛି। ଦଳୀୟ ନେତା ତଥା ମହାରାଷ୍ଟ୍ର ବିଧାନସଭାର ଉପ-ବାଚସ୍ପତି ନରହରି ଜିରୱାଲଙ୍କୁ ଡିଣ୍ଡୋରି ଆସନରୁ ପ୍ରାର୍ଥୀ କରାଯାଇଥିବା ବେଳେ ମନ୍ତ୍ରୀ ଛଗନ ଭୁଜବଳଙ୍କୁ ୟେଓଲା ଆସନରୁ ପ୍ରାର୍ଥୀ କରାଯାଇଛି। ଛଗନ ଭୁଜବଳ ଏହି ଆସନରୁ ୨୦୦୪ରୁ ଲଗାତାର ନିର୍ବାଚନ ଜିତି ଆସୁଛନ୍ତି। ସେହିଭଳି ନିକଟରେ କଂଗ୍ରେସ ଛାଡ଼ି ଅଜିତ ପାୱାରଙ୍କ ଏନ୍‌ସିପିରେ ଯୋଗ ଦେଇଥିବା ହୀରାମନ ଖୋସକରଙ୍କୁ ଇଗତପୁରୀ ଆସନରୁ ଟିକେଟ ମିଳିଛି।

Advertisment

୨୮୮ଟି ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭା ପାଇଁ ନଭେମ୍ବର ୨୦ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣତି ହେବ।

NCP Maharashtra Polls