Advertisment

ଜାତୀୟ ଦଳର ମାନ୍ୟତା ହରାଇବ ଶରଦ ପାୱାରଙ୍କ ଏନସିପି! ନିଷ୍ପତ୍ତି ନେବେ ଇସି

୨୦୧୯ ସାଧାରଣ ନିର୍ବାଚନ ପରେ ଏନସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତାକୁ ସମୀକ୍ଷା କରିବା ପ୍ରସ୍ତାବ ଇସିଙ୍କ ପାଖକୁ ଆସିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
undefined

NCP

ଶରଦ ପାୱାରଙ୍କ ଏନସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତାକୁ ସମୀକ୍ଷା କରିବେ ଭାରତୀୟ ନିର୍ବାଚନ କମିଶନ ବା ଇସି। କ’ଣ ପାଇଁ ଏନସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରା ନ ଯିବ, ସେ ଉପରେ ଆଜି ପକ୍ଷ ରଖିବେ ଦଳର ପ୍ରତିନିଧି। ଏହାପରେ ଇସି ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

Advertisment

ଜାତୀୟ ଦଳର ମାନ୍ୟତା ପାଇବା ପାଇଁ ଆବଶ୍ୟକ ସର୍ତ୍ତଗୁଡ଼ିକ ଏବେ ଏନସିପି ପୂରଣ କରିପାରୁ ନାହିଁ। ତେଣୁ ଇସି ଏନସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତା ପ୍ରତ୍ୟାହାର କରିବା ମୁଡରେ ଥିବା ଜଣାପଡ଼ିଛି। ତେବେ ଏହା ପୂର୍ବରୁ ଏନସିପିର ପକ୍ଷରୁ ଶୁଣିବାକୁ ଇସି ନିଷ୍ପତ୍ତି ନେଇଛନ୍ତି।

ନିୟମ ଅନୁସାରେ, ବିଭିନ୍ନ ରାଜନୀତିକ ଦଳକୁ ଜାତୀୟ ଦଳର ମାନ୍ୟତା ନିର୍ବାଚନ କମିଶନ ଦେଇଥାଆନ୍ତି। ଯଦି କୌଣସି ଦଳ ୪ଟି ରାଜ୍ୟର ଲୋକସଭା କିମ୍ବା ବିଧାନସଭା ନିର୍ବାଚନରେ ଅତିକମରେ ୬% ଭୋଟ ସହ ଲୋକସଭାର ୪ଟି ଆସନ ହାତେଇବାକୁ ସକ୍ଷମ ହୁଏ, ତା’ହେଲେ ଉକ୍ତ ଦଳକୁ ଇସି ଜାତୀୟ ଦଳର ମାନ୍ୟତା ଦେଇଥାଆନ୍ତି। କିମ୍ବା  ଜାତୀୟ ଦଳର ମାନ୍ୟତା ପାଇଁ ଗୋଟିଏ ରାଜନୀତି ଦଳକୁ ମୋଟ ଲୋକସଭା ଆସନର ୨% ଅର୍ଥାତ ୩ଟି ରାଜ୍ୟରେ ୧୧ଟି ଆସନ ଜିତବାକୁ ହେବ।

Advertisment

ଜାତୀୟ ଦଳର ମାନ୍ୟତା ପାଇବାକୁ ସବୁ ରାଜନୀତିକ ଦଳ ଲକ୍ଷ୍ୟ ରଖିଥାଆନ୍ତି। ଏହାଦ୍ୱରା ଉକ୍ତ ଦଳ ନିଜର ଦଳୀୟ ଚିହ୍ନରେ ସବୁ ରାଜ୍ୟରେ ନିର୍ବାଚନ ଲଢ଼ିବାକୁ ସକ୍ଷମ ହୋଇଥାଏ। ଦିଲ୍ଲୀରେ ଅଫିସ ଖୋଲିବାକୁ ସୁଯୋଗ ମିଳିବ ଓ ପବ୍ଲିକ ବ୍ରଡକାଷ୍ଟରରେ ମାଗଣା ଦଳର ପ୍ରଚାର ପାଇଁ ନିର୍ବାଚନ ସମୟରେ ସୁଯୋଗ ମଧ୍ୟ ଉକ୍ତ ଦଳ ପାଇପାରିବ।

୨୦୧୯ ସାଧାରଣ ନିର୍ବାଚନ ପରେ ଏନସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତାକୁ ସମୀକ୍ଷା କରିବା ପ୍ରସ୍ତାବ ଇସିଙ୍କ ପାଖକୁ ଆସିଥିଲା। ଏନସିପି ବ୍ୟତୀତ ସିପିଆଇ ଓ ମମତା ବାନାର୍ଜୀଙ୍କ ଟିଏମସିର ଜାତୀୟ ମାନ୍ୟତାକୁ ମଧ୍ୟ ସୀମକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କିନ୍ତୁ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦେଖି ଇସି ସେତେବେଳେ ଇସି ସ୍ଥିତାବସ୍ଥା ବଜାୟୀ ରଖିବା ପାଇଁ କହିଥିଲେ।

ଏବେ ଏନସିପିକୁ ମିଳିଥିବା ଜାତୀୟ ଦଳର ମାନ୍ୟତା ପ୍ରସଙ୍ଗକୁ ଇସି ସମୀକ୍ଷା କରୁଛନ୍ତି। ଯଦି ଏନସିପି ପ୍ରତିନିଧିଙ୍କ ଯୁକ୍ତିକୁ ଇସି ଗ୍ରହଣ କରିବେ ନାହିଁ, ତା’ହେଲେ ଦଳ କେବଳ ଯେଉଁ ରାଜ୍ୟରେ ଆଞ୍ଚଳିକ ପାର୍ଟିର ମାନ୍ୟତା ପାଇଥିବ, ସେଠାରେ ଦଳୀୟ ଚିହ୍ନକୁ ବ୍ୟବହାର କରିପାରିବ। ୨୦୧୬ରେ ଇସି ଜାତୀୟ ଦଳର ମାନ୍ୟତାକୁ ସମୀକ୍ଷା କରିବା ପାଇଁ ଆଇନରେ ସଂଶୋଧନ କରିଥିଲେ। ଏହି ନିୟମ ଅନୁସାରେ ଇସି ପ୍ରତିବର୍ଷରେ ଯେକୌଣସି ଦଳକୁ ମିଳିଥିବା ଜାତୀୟ ଦଳ ମାନ୍ୟତାର ସୀମକ୍ଷା କରିପାରିବେ। ପୂର୍ବରୁ ଏହା ୫ ବର୍ଷ ରହିଥିଲା।

Sharad Pawar Eci NCP