Advertisment

ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଏନ୍‌ଡିଏ

ଏବେ ମହାରାଷ୍ଟ୍ରର ରାଜ୍ୟପାଳ ଅଛନ୍ତି ସି.ପି ରାଧାକୃଷ୍ଣନ।

ଅଦ୍ୟତନ ହୋଇଛି
CP Radhakrishnan and Narendra Modi

CP Radhakrishnan and Narendra Modi

Advertisment

ମହାରାଷ୍ଟ୍ରର ରାଜ୍ୟପାଳ ସି.ପି ରାଧାକୃଷ୍ଣନ ହେବେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ। ରବିବାର ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା। ବିଜେପି ସଂସଦୀୟ ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିବା ପରେ ଏହି ଘୋଷଣା କରାଯାଇଛି। 

Advertisment

ଚନ୍ଦ୍ରପୁରମ ପୋନ୍ନୁସ୍ୱାମୀ ରାଧାକୃଷ୍ଣନ ବା ସି.ପି ରାଧାକୃଷ୍ଣନ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପ୍ପୁରରେ ଜନ୍ମ ହୋଇଥିଲେ। ୧୬ ବର୍ଷ ବୟସରୁ ସେ ଆରଏସ୍‌ଏସ୍‌ ଓ ଜନସଂଘ ସହ ଜଡ଼ିତ ହୋଇଥିଲେ। ତାଙ୍କର ଦୀର୍ଘ ରାଜନୀତିକ କ୍ୟାରିୟରରେ ସେ ଅନେକ ପଦପଦବୀରେ ରହି କାର୍ଯ୍ୟ କରିଛନ୍ତି। 

୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ସଭାପତି ଭାବେ କାର୍ଯ୍ୟ କରିଥିଲେ ସି.ପି ରାଧାକୃଷ୍ଣନ। ତା’ପୂର୍ବରୁ ୧୯୯୮ ଓ ୧୯୯୯ରେ ସେ ଦୁଇ ଥର ତାମିଲନାଡୁର କୋଏମ୍ବାଟୁର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। 

Advertisment

୨୦୨୪ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସି.ପି ରାଧାକୃଷ୍ଣନ। ତା’ପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ୨୦୨୩ ଫେବ୍ରୁଆରୀ ୧୮ରୁ ୨୦୨୪ ଜୁଲାଇ ୩୦ ତାରିଖ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ରାଜ୍ୟପାଳ ରହିଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ସେ ତେଲଙ୍ଗାନାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ। ସେହିଭଳି ୨୦୨୪ ମାର୍ଚ୍ଚରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ପୁଡୁଚେରୀର ଉପ-ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ। 

ତାମିଲନାଡୁ ବିଜେପିର ସଭାପତି ଥିବା ବେଳେ ସି.ପି ରାଧାକୃଷ୍ଣନ ଏକ ୯୩ ଦିନିଆ ରଥ ଯାତ୍ରା କରିଥିଲେ। ଏଥିରେ ନଦୀ ସଂଯୋଗୀକରଣ, ଆତଙ୍କବାଦର ନିପାତ ଓ ଜାତିପ୍ରଥାକୁ ସଂପୂର୍ଣ୍ଣ ଲୋପ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବ। ଏନେଇ ଆସନ୍ତା ଅଗଷ୍ଟ ୭ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନ ଦାଖଲର ଶେଷ ତାରିଖ ଅଗଷ୍ଟ ୨୧ ରହିଥିବା ବେଳେ ୨୨ ତାରିଖରେ ଏହାକୁ ଯାଞ୍ଚ କରାଯିବ। ଅଗଷ୍ଟ ୨୫ ହେଉଛି ନାମାଙ୍କନ ପ୍ରତ୍ୟାହାର କରିବା ଶେଷ ତାରିଖ। ଶେଷରେ ସେପ୍ଟମ୍ବର ୯ରେ ଉପ ରାଷ୍ଟ୍ରପତି ପଦ ପାଇଁ ଭୋଟିଂ ହେବ।

ମତଦାନର ସମୟ ସକାଳ ୧୦ରୁ ଅପରାହ୍ନ ୫ଟା ଯାଏ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଭୋଟିଂ ଶେଷ ହେବା ପରେ ସେହିଦିନ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଅର୍ଥାତ ସେପ୍ଟେମ୍ବର ୯ ତାରିଖରେ ଦେଶକୁ ନୂଆ ଉପ ରାଷ୍ଟ୍ରପତି ମିଳିବେ।

ଜୁଲାଇ ୨୧ରେ ରାତିରେ ଭାରତର ଉପ ରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ ଅପ୍ରତ୍ୟାଶିତ ଢଙ୍ଗରେ ଇସ୍ତଫା ଦେଇଥିଲେ। ଏଥିଯୋଗୁ ଉପ ରାଷ୍ଟ୍ରପତି ପଦ ଖାଲି ପଡ଼ିଛି। ତେଣୁ ଭାରତୀୟ ନିର୍ବାଚନ କମିଶନ ଏହି ପଦ ପୂରଣ ପାଇଁ ସେପ୍ଟେମ୍ବର ୯ରେ ଭୋଟ ହେବ ବୋଲି ଘୋଷଣା କରିଛନ୍ତି।

Vice President
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe