ଗୋଆରୁ ଗାଏବ ହୋଇଗଲେ ନେପାଳର ଜଣେ ମେୟରଙ୍କ ଝିଅ । ଯୁବତୀଜଣକ ଓସୋ ମେଡିଟେସନ ସେଣ୍ଟରରେ ଗତ କିଛି ମାସ ହେଲା ରହୁଥିବା ବେଳେ ଗତକାଲିଠୁ ତାଙ୍କ ପତ୍ତା ମିଳୁନି। ଝିଅ ନିଖୋଜ ହେବାର ଖବର ପାଇବା ପରେ ନେପାଳର ଧାଙ୍ଗାଡ଼ିର ମେୟର ଗୋପାଳ ହମଲ ଝିଅକୁ ଖୋଜିବା ନିମନ୍ତେ ସୋଶାଲ ମିଡିଆରେ ସମସ୍ତଙ୍କୁ ନିବେଦନ କରିଛନ୍ତି।
ଗୋପାଳ ହମଲଙ୍କ ୩୩ ବର୍ଷୀୟା ବଡ଼ ଝିଅ ଆରତୀ ହମଲ ଓସୋ ମେଡିଟେସନ ସେଣ୍ଟରକୁ କିଛି ମାସ ହେବ ଆସି ରହୁଥିଲେ। ଗତ ସୋମବାର ସନ୍ଧ୍ୟାରେ ତାଙ୍କୁ ଶେଷ ଥର ପାଇଁ Ashvem Bridge ନିକଟରେ ଦେଖିବାକୁ ମିଳିଥିଲା। ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। ଏନେଇ ଗୋଆର ଏକ ପୁଲିସ୍ ଷ୍ଟେଶନରେ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଛି।
ଏନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ଗୋପାଳ ସୋଶାଲ ମିଡିଆରେ ପୋଷ୍ଟ କରି ନିଖୋଜ ବଡ଼ ଝିଅକୁ ଖୋଜିବାରେ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ନିଜ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ଝିଅର ସହଯୋଗୀମାନେ ତା’ ସହ ଯୋଗାଯୋଗ କରି ପାରୁ ନ ଥିବା ନେଇ ମୋତେ ଜଣାଇଥିଲେ। ଏହି ଖବର ପାଇବା ପରେ ପରିବାରର ସମସ୍ତେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥିବା ସେ କହିଛନ୍ତି।
ଏହାପରେ ତୁରନ୍ତ ଗୋପାଳ ହମଲଙ୍କ ସାନ ଝିଅ ଓ ଜ୍ୱାଇଁ ଗୋଆ ଅଭିମୁଖେ ଆସିଥିବା ଜଣାଯାଇଛି। ତେବେ ଝିଅ ସମ୍ପର୍କରେ କିଛି ବି ସୂଚନା ପାଇଲେ ତୁରନ୍ତ ଜଣାଇବାକୁ ଗୋପାଳ ହମଲ ନିବେଦନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।