Advertisment

ଆତିଶୀଙ୍କ ନାଁରେ ଯୋଡ଼ି ହେବ ନୂଆ ରେକର୍ଡ

ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଆତିଶୀ ହୋଇଥିଲେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Atishi

Atishi

ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା। ରବିବାର ଆପ୍‌ର ବିଧାୟକ ଦଳ ବୈଠକରେ ବିରୋଧୀ ଦଳ ନେତା ପଦ ପାଇଁ ତାଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଛି। ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଭାବେ ସେ ହେବେ ପ୍ରଥମ ମହିଳା।

Advertisment

ବିରୋଧୀ ଦଳ ନେତା ବାଛିବା ପାଇଁ ଆଜି ଆପ୍‌ ବିଧାୟକମାନଙ୍କ ବୈଠକ ବସିଥିଲା। ଏଥିରେ ଆତିଶୀଙ୍କ ସମେତ ଦଳର ସମସ୍ତ ୨୨ ବିଧାୟକ ଉପସ୍ଥିତ ଥିଲେ। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଜଣେ ମହିଳା ହୋଇଥିବାରୁ ତାଙ୍କୁ ଟକ୍କର ଦେବା ପାଇଁ ଆପ୍‌ ଆତିଶୀଙ୍କୁ ‘ବିରୋଧୀ ଦଳ ନେତା’ ଭାବେ ବାଛିଥିବା କୁହାଯାଉଛି।

ବିରୋଧୀ ଦଳ ନେତା ପଦ ପାଇଁ ତାଙ୍କୁ ଚୟନ କରିଥିବାରୁ ଆତିଶୀ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ଦଳର ସମସ୍ତ ବିଧାୟକମାନଙ୍କୁ ଧନ୍ୟବାଦ ଦେଇଛନ୍ତି।

Advertisment

ଆତିଶୀ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଦିଲ୍ଲୀବାସୀ ଆମକୁ ବିରୋଧୀ ଦଳର ଭୂମିକା ନିର୍ବାହ କରିବାକୁ ଦାୟିତ୍ୱ ଦେଇଛନ୍ତି। ବିଜେପି ସରକାର ଲୋକଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଯେପରି ପାଳନ କରିବ, ତାହା ଆମେ ଏକ ଦୃଢ଼ ବିରୋଧୀ ଦଳ ଭାବେ ସୁନିଶ୍ଚିତ କରିବୁ। ଆମେ ପୂରା ଦମ୍‌ରେ ଲୋକଙ୍କ ପ୍ରସଙ୍ଗକୁ ଗୃହରେ ଉପସ୍ଥାପନ କରିବୁ। ଦିଲ୍ଲୀ ଓ ଦିଲ୍ଲୀବାସୀଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରହିବ।

ଆତିଶୀଙ୍କୁ ବିରୋଧୀ ଦଳ ନେତା ଚୟନ କରାଯିବା ପରେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ‘ଏକ୍ସ’ରେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଦିଲ୍ଲୀବାସୀଙ୍କ ସ୍ୱାର୍ଥ ପାଇଁ ଆପ୍ ଏକ ଗଠନମୂଳକ ବିରୋଧୀ ଭାବେ ଦାୟିତ୍ୱ ନିର୍ବାହ କରିବ ବୋଲି ଲେଖିଛନ୍ତି।

ଦିଲ୍ଲୀ ଅବକାରୀ ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇ ୫ ମାସରେ ଜେଲ୍‌ରେ ରହି ଜାମିନରେ ଆସିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପରେ ୪୩ ବର୍ଷୀୟା ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ସେ ହୋଇଥିଲେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ।୨୦୨୦ରେ କାଲକାଜୀ ବିଧାନସଭା ଆସନରୁ ବିଜୟୀ ହୋଇଥିବା ଆତିଶୀ ଚଳିତ ମାସରେ ହୋଇଥିବା ନିର୍ବାଚନରେ ମଧ୍ୟ ଏହାକୁ ବଜାୟ ରଖିଛନ୍ତି। ଏହି ଆସନରେ ବିଜେପିର ରମେଶ ବିଧୁରୀଙ୍କ ସହିତ ତାଙ୍କର ଜୋରଦାର ଲଢ଼େଇ ହୋଇଥିଲା। ତେବେ ସେ ବିଜୟୀ ହୋଇଥିଲେ।

ଅନ୍ୟପକ୍ଷରେ ଏଥର ହୋଇଥିବା ବିଧାନସଭା ନିର୍ବାଚନରେ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ଅନ୍ୟ ପ୍ରମୁଖ ନେତା ମନୀଷ ସିସୋଦିଆ ଓ ସୌରଭ ଭରଦ୍ୱାଜ ପରାସ୍ତ ହୋଇଛନ୍ତି। ୭୦ଟି ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପି ୪୮ଟି ଆସନ ଜିତିଥିବା ବେଳେ ଆପ୍ ମାତ୍ର ୨୨ଟି ଆସନ ଜିତିଛି। କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ଖାତା ଖୋଲିପାରିନି।

ବିଜେପି ସରକାର ଗଠନ କରିସାରିଥିବା ବେଳେ ଦିଲ୍ଲୀ ବିଧାନସଭାର ପ୍ରଥମ ଅଧିବେଶନ ଫେବ୍ରୁଆରୀ ୨୪ ତାରିଖରୁ ଆରମ୍ଭ ହେବ। ତିନି ଦିନ ପାଇଁ ବସିବାକୁ ଥିବା ଏହି ଅଧିବେଶନରେ ପୂର୍ବର ଆପ୍ ସରକାରଙ୍କ ପ୍ରଦର୍ଶନକୁ ନେଇ ପ୍ରସ୍ତୁତ ସିଏଜି ରିପୋର୍ଟକୁ ଉପସ୍ଥାପନ କରାଯିବ ବୋଲି ସରକାର କହିଛନ୍ତି।

AAP Atishi Delhi Assembly