ଦିଲ୍ଲୀ ବିସ୍ଫୋରଣ
ପାକିସ୍ତାନରେ ସକ୍ରିୟ ଜୈଶ-ଇ-ମହମ୍ମଦ ଲିଙ୍କରେ ଭାରତରେ ସକ୍ରିୟ ଥିବା ହ୍ୱାଇଟ କଲାର ଟେରର ମଡ୍ୟୁଲ ଦେଶର ବିଭିନ୍ନ ସହରରେ ବଡ଼ ବିସ୍ଫୋରଣ କରିବାକୁ ଯୋଜନା କରିଥିଲା। ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତ ବେଳେ ଏପରି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ଜଣେ ଆତଙ୍କୀ ଡାକ୍ତର ଦେଇଛି ସାଂଘାତିକ ତଥ୍ୟ। ଭାରତର ବିଭିନ୍ନ ସହରରେ ବିସ୍ଫୋରଣ ପାଇଁ ୨୦୨୩ରୁ ଯୋଜନା ଆରମ୍ଭ ହୋଇଥିଲା ବୋଲି ସେ ଜେରା ବେଳେ ସ୍ୱୀକାର କରିଛି। ୧୦/୧୧ ଦିଲ୍ଲୀ ବିସ୍ଫୋରଣ ପଛରେ ଥିବା ଷଡ଼ଯନ୍ତ୍ରକୁ ଜାଣିବା ପାଇଁ ଉଦ୍ୟମ ଚାଲିଥିବା ବେଳେ ସୁରକ୍ଷା ଏଜେନ୍ସିକୁ ଏପରି ତଥ୍ୟ ମିଳିଛି।
ନଭେମ୍ବର ୧୦ରେ ଦିଲ୍ଲୀର ଲାଲକିଲ୍ଲାରେ କାର ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଦିଲ୍ଲୀ ବିସ୍ଫୋରଣ ତରବରିଆ ଭାବେ କରାଯାଇଥିବା ବେଳେ ବାସ୍ତବରେ ବଡ଼ଧରଣର ସିରିଜ ବୋମା ବିସ୍ଫୋରଣ ପାଇଁ ମସୁଧା ହୋଇଥିବା ସ୍ପଷ୍ଟ ହୋଇଛି।
୧୦/୧୧ରେ କାର ବୋମା ବିସ୍ଫୋରଣ କରିଥିବା ଆତଙ୍କବାଦୀ ଉମର ମହମ୍ମଦର ଘନିଷ୍ଠ ସହଯୋଗୀ ହେଉଛି ଫରିଦାବାଦର ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ମୁଜାମିଲ ଶକିଲ। ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ ଶକିଲର ଭଡ଼ା ଘରୁ ୨୯୦୦ କେଜି ବିସ୍ଫୋରକ ଜବତ ହୋଇଥିଲା।
ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ ଶକିଲକୁ ଗିରଫ କରି ଜେରା କରାଯାଉଛି। ଏହି ସମୟରେ ଶକିଲ ଦାବି କରିଛି ଯେ ସିରିଜ ବିସ୍ଫୋରଣ(Blast In Delhi) ପାଇଁ ସେ ୨ ବର୍ଷ ହେଲା ପ୍ରସ୍ତୁତି ଚଳାଇଥିଲା। ଏହି ଦୁଇ ବର୍ଷ ମଧ୍ୟରେ ସେ ବିସ୍ଫୋରକ, ରିମୋଟ ଓ ବୋମା ତିଆରି ପାଇଁ ଆବଶ୍ୟକ ଜିନିଷ ସବୁ ସଂଗ୍ରହ କରିବାରେ ଲାଗିଥିଲା। ଶକିଲକୁ ୟୁରିଆ ଓ ଆମୋନିୟମ ନାଇଟ୍ରେଟ କିଣିବାକୁ କୁହାଯାଇଥିଲା।
ମୁଜାମିଲ ଗୁରୁଗ୍ରାମ ଓ ନୁହରୁ ୩ ଲକ୍ଷ ଟଙ୍କା ଦେଇ ୨୬ କ୍ୱିଣ୍ଟାଲ ଏନପିକେ ସାର କିଣିଥିଲା। ନୁହରୁ ଅନ୍ୟ ବିସ୍ଫୋରକ ସାମଗ୍ରୀ ଆସିଥିବା ବେଳେ ବାକି ବୈଦ୍ୟୁତିକ ସାରଞ୍ଜାମ ଫରିଦାବାଦର ୨ଟି ଭିନ୍ନଭିନ୍ନ ମାର୍କେଟରୁ କିଣା ଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଆତଙ୍କୀ ଡାକ୍ତର ଜଣକ ଗୋଟିଏ ଡିପ୍ ଫ୍ରିଜର ମଧ୍ୟ କିଣିଥିଲା। ଏହି ଫ୍ରିଜରେ ସେ କେମିକାଲଗୁଡ଼ିକୁ ଗୋଟିଏ ଉପଯୁକ୍ତ ପରିବେଶରେ ସୁରକ୍ଷିତ ଭାବେ ରଖିପାରିଥିଲା।
ମୁଜାମିଲର ସହଯୋଗୀ ଉମରକୁ ସାରର ପ୍ରିକ୍ରିୟାକରଣ ଦାୟିତ୍ୱ ଦିଆଯାଇଥିଲା। ସାରକୁ ଯେମିତି ବିସ୍ଫୋରକ ସହ ବ୍ୟବହାର କରାଯିବ, ସେ ଦାୟିତ୍ୱ ପାଇଥିଲା ଉମର। ଏଥିସହ ସେ କେମିକାଲ ଓ ଅନ୍ୟ ସାମଗ୍ରୀଗୁଡ଼ିକର ସଂଗ୍ରହ କରିଥିଲା। ୟୁରିୟାକୁ ଗ୍ରାଇଣ୍ତ କରି କେମିକାଲ ତିଆରି କରିବା ପାଇଁ ବ୍ୟବହାର ହେଉଥିବା ଅଟା କଳକୁ ମଧ୍ୟ ମୁଜାମିଲର ଠିକଣାରୁ ଠାବ କରାଯାଇଛି।
ବିସ୍ଫୋରଣ ପାଇଁ ନିଜେ ପାଣ୍ଠି ଯୋଗାଡ଼ କରିଥିଲେ
ଦିଲ୍ଲୀ ବିସ୍ଫୋରଣ ଷଡ଼ଯନ୍ତ୍ର ପାଇଁ ଆବଶ୍ୟକ ପାଣ୍ଠିକୁ ନିଜେ ଆତଙ୍କୀ ଅଭିଯୁକ୍ତ ଯୋଗାଡ଼ କରିଥିଲେ। ଟେରର ମଡ୍ୟୁଲର ସଦସ୍ୟମାନେ ବିସ୍ଫୋରକ ସାମଗ୍ରୀ କିଣିବା ପାଇଁ ୨୬ ଲକ୍ଷ ଟଙ୍କା ଏକାଠି କରିଥିଲେ। ଏହି ଟଙ୍କାକୁ ଉମରକୁ ଦିଆଯାଇଥିଲା। ଏଥିରେ ଉମରର ଯୋଗଦାନ ୨ ଲକ୍ଷ ଟଙ୍କା ଥିଲା।
ମୁଜାମିଲ ୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଟେରର ମଡ୍ୟୁଲରେ ଥିବା ଆଦିଲ ରାଥେର ଓ ମୁଜାଫର ରାଥେର ଯଥାକ୍ରମେ ୮ ଲକ୍ଷ ଓ ୬ ଲକ୍ଷ ଦେଇଥିଲେ। ମହିଳା ଡାକ୍ତର ଶାହୀନ ସୟିଦ ୫ ଲକ୍ଷ ଟଙ୍କା ଆତଙ୍କୀ ହମଲା ପାଇଁ ଦାନ କରିଥିଲା।
ତେବେ ଟଙ୍କାକୁ ନେଇ ଏକଦା ଉମର ଓ ମୁଜାମିଲ ମଧ୍ୟରେ ଅଲ ଫଲାହ ବିଶ୍ୱବିଦ୍ୟାଳୟରେ ଝଗଡ଼ା ହୋଇଥିଲା। ଏହାପରେ ଉମର ରାଗରେ ତା’ର ନାଲି ରଙ୍ଗର ଇକୋସ୍ପୋର୍ଟ କାର ମୁଜାମିଲକୁ ଦେଇଥିଲା। ଏହି ଗାଡ଼ିକୁ ପରବର୍ତ୍ତୀ ଅବସ୍ଥାରେ ଫରିଦାବାଦର ଗୋଟିଏ ପରିତ୍ୟକ୍ତ ସ୍ଥାନରୁ ଜବତ କରାଯାଇଛି।
ନଭେମ୍ବର ୧୦ରେ ଉମର କାର ସହ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିବା ବେଳେ ଟେରର ମଡ୍ୟୁଲର ଅନ୍ୟ ସଦସ୍ୟମାନେ ଏବେ ଗିରଫ ହୋଇ ଏନଆଇଏ ହେଫାଜତରେ ରହିଛନ୍ତି। ଏମାନେ ସମସ୍ତେ ଅଲ ଫଲାହ ବିଶ୍ୱବିଦ୍ୟାଳୟରେ କାମ କରୁଥିଲେ। ଅଲ ଫଲାହ ବିଶ୍ୱ ବିଦ୍ୟାଳୟ ମଧ୍ୟ ସୁରକ୍ଷା ଏଜେନ୍ସିର ସ୍କାନରରେ ରହିଛି।
ଏକେ ୪୭ ଡିଲ ଓ ତୁର୍କୀ ଟ୍ରିପ୍
ଜେରା ବେଳେ ମୁଜାମିଲ ସ୍ୱୀକାର କରିଛି ଯେ ୬.୫ ଲକ୍ଷ ଟଙ୍କା ଦେଇ ଗୋଟିଏ ଏକେ ୪୭ ରାଇଫଲ କିଣିଥିଲା। ଏହାକୁ କଶ୍ମୀର ଡାକ୍ତର ଆଦିଲ ରାଥେରର ଲକରରୁ ପୁଲିସ୍ ଜବତ କରି ସାରିଛି। ମୁଜାମିଲର ହ୍ୟାଣ୍ଡେଲର ଥିଲା ମନସୁର ଓ ଉମରର ହ୍ୟାଣ୍ଡେଲର ହେଉଛି ହାସିମ। ଉଭୟ ଇବ୍ରାହିମ ନାମକ ଜଣେ ବ୍ୟକ୍ତିର ନିର୍ଦ୍ଦେଶରେ କାମ କରୁଥିଲେ।
ମୁଜାମିଲ ଓ ମୁଜାଫର ଏକଦା ଓକାସାର ନିର୍ଦ୍ଦେଶରେ ତୁର୍କୀ ଗସ୍ତ କରିଥିଲେ। ଓକାସା ହେଉଛି ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି)ର ସଦସ୍ୟ। ଆଫଗାନିସ୍ତାନରେ ପ୍ରବେଶ ପାଇଁ ଯୋଜନା ଥିଲା। କିନ୍ତୁ ସେମାନଙ୍କ ହ୍ୟାଣ୍ଡେଲର ଯୋଜନାରୁ ପ୍ରାୟ ସପ୍ତାହେ ପରେ ଓହରି ଯାଇଥିଲା।
ଓକାସା ଟେଲିଗ୍ରାମ ଜରିଆରେ ମୁଜିମିଲ ସହ ଯୋଗାଯୋଗ କରିଥିଲା। କିନ୍ତୁ ମୁଜାମିଲ ନିଜର ହ୍ୟାଣ୍ଡେଲର ସମ୍ପର୍କରେ ତା’କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ବନ୍ଦ ହୋଇଯାଇଥିଲା ବୋଲି ଜଣାପଡ଼ିଛି।
ବୋମା ତିଆରି ପାଇଁ ଶିକ୍ଷା
ବିସ୍ଫୋରକ ସାମଗ୍ରୀ କିଣିବା ପୂର୍ବରୁ ଉମର ଇଣ୍ଟରନେଟରେ ବୋମା ତିଆରି ଭିଡିଓ ଓ ବିଭିନ୍ନ ଶୈଳୀକୁ ଦେଖିଥିଲା। ହ୍ୱାଇଟ କଲାର ଟେରର ମଡ୍ୟୁଲ ପକ୍ଷରୁ ଏକାଧିକ ସହରରେ ବିସ୍ଫୋରଣ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଗୋଟିଏ ସମୟରେ ଏକାଧିକ ସ୍ଥାନରେ ବିସ୍ଫୋରଣ କରିବାକୁ ସେମାନେ ଚାହୁଁଥିଲେ। ଏବେ ଏହି ଷଡ଼ଯନ୍ତ୍ର ତଦନ୍ତକାରୀ ଏଜେନ୍ସିର ରାଡାରରେ ରହିଛି। ତଦନ୍ତ ଆଗକୁ ବଢ଼ିବା ସହ ଏକାଧିକ ବିଦେଶୀ ଲିଙ୍କ ଓ ଘରୋଇ ମଡ୍ୟୁଲର ଲିଙ୍କ ସାମ୍ନାକୁ ଆସୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/22/delhi-2025-11-22-14-56-59.jpg)